Dasarathi Gamang on suspension: କଂଗ୍ରେସରୁ ନିଲମ୍ବନ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଦାଶରଥୀ ଗମାଙ୍ଗ। ନିଜ ସଫେଇରେ ଗମାଙ୍ଗ କହିଛନ୍ତି ଯେ ମୁଁ କ୍ରସ ଭୋଟିଂ କରି ନାହିଁ। ସଭାପତି ଯାହାକୁ କହିଥିଲେ ମୁଁ ତାଙ୍କୁ ଭୋଟ ଦେଇଛି। ସବୁଠାରୁ ବଡ଼ କଥା ହେଲା ସେ କଂଗ୍ରେସକୁ ନେଇ ପୁଣିଥରେ ଆଶା ବ୍ୟକ୍ତ କରିଛନ୍ତି। କହିଛନ୍ତି ଯେ ସେ ୨୦୨୯ରେ କଂଗ୍ରେସ ଟିକେଟରେ ପୁଣି ନିର୍ବାଚନ ଲଢ଼ିବେ ଓ ବିଧାନସଭାକୁ ନିର୍ବାଚିତ ହୋଇ ଆସିବେ।

ଦାଶରଥିଙ୍କ ପ୍ରତିକ୍ରିୟାରେ କଡ଼ା ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ। ଦିଲୀପ ରାୟଙ୍କୁ ଭୋଟ ଦେବାକୁ ଦାଶରଥିଙ୍କୁ କ’ଣ ସଭାପତି କହିଥିଲେ ? ସେ ଘୋଡା ହେଇ ବିକ୍ରି ହେଇଛନ୍ତି। ଏବେ ଯେତେ ସଫେଇ ଦେଲେ ଲାଭ ନାହିଁ ବୋଲି ରାମଚନ୍ଦ୍ର କାଡ଼ାମ କହିଛନ୍ତି।

ଏହା ପୂର୍ବରୁ ନିଲମ୍ବତି ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା କ୍ରସ ଭୋଟିଂ ନେଇ ମାର୍ଚ୍ଚ ୧୮ ତାରିଖରେ ବିସ୍ଫୋରକ ବୟାନ ଦେଇ ସାରିଛନ୍ତି। ଯାହାକୁ ନେଇ ଦଳ ମଧ୍ୟରେ ହାଇଭୋଲ୍ଟେଜ୍ ଡ୍ରାମା ଜାରି ରହିଛି। ରମେଶ କାହିଁକି କ୍ରସ ଭୋଟିଂ କଲେ ତା’ର କାରଣ କହିବା ସହ ପିସିସି ସଭାପତି ଭକ୍ତ ଦାସଙ୍କ ଉପରେ ବର୍ଷିଥିଲେ।

ମାର୍ଚ୍ଚ ୧୮ ତାରିଖରେ ସାମ୍ବାଦିକ ସମ୍ମିଳନୀ କରି ସେ କହିଥିଲେ ଯେ କଂଗ୍ରେସରୁ ୫ କ୍ରସ୍ ଭୋଟ ହୋଇଛି। ୫ ଭୋଟ ସ୍ଵାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଯାଇଛି। ପ୍ରଥମ ରାଗ ବିଜେଡି ଓ ଦ୍ୱିତୀୟ ରାଗ କଂଗ୍ରେସ ଉପରେ ଥିଲା। ପ୍ରତିଶୋଧ ନେବାକୁ ଦିଲୀପ ରାୟଙ୍କୁ ଭୋଟ ଦେଲି ବୋଲି ରମେଶ ଜେନା କହିଛନ୍ତି। ସେହିଭଳି ପିସିସି ସଭାପତି ଭକ୍ତ ଦାସଙ୍କୁ ମଧ୍ୟ ରମେଶ ଜେନା ସମାଲୋଚନା କରିଥିଲେ। ଭକ୍ତଙ୍କୁ ସମାଲୋଚନା କରି ସେ କହିଥିଲେ ଯେ ଗଞ୍ଜାମ ବାଘ ଘାସ ଖାଏ ନାହିଁ। ରାଜ୍ୟ ରାଜନୀତିରେ ପିସିସି ସଭାପତି ଭକ୍ତ ଦାସଙ୍କର କିଛି ଅଭିଜ୍ଞତା ନାହିଁ। ଖାଲି ପଦବୀ ମାଡ଼ି ବସିଛନ୍ତି। ଭକ୍ତ ଦାସ ବିଭିନ୍ନ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛନ୍ତି। କଂଗ୍ରେସକୁ ବୁଡ଼େଇ ଦେବେ। ସମସ୍ତଙ୍କ ମତ ନେଉ ନାହାନ୍ତି। ନିଜକୁ ହିଟଲର ଭାବୁଛନ୍ତି ଭକ୍ତ ଦାସ। ଘାସିରାମ ମାଝିଙ୍କୁ ମନ ଇଚ୍ଛା ଟିକେଟ ଦେଇଥିଲେ।ତେଣୁ ମୁଁ ଦଲର ନିଲମ୍ବନକୁ ସ୍ୱାଗତ କରୁଛି। ଓପନ୍ କଲେ ପ୍ରତିଶୋଧ ନେଇ ହୁଏ ନାହିଁ। ସାଇଲେଣ୍ଟ ରହିଲେ ପ୍ରତିଶୋଧ ନେଇ ହୁଏ।

ପଢ଼ନ୍ତୁ- କ୍ରସ ଭୋଟିଂର ଉତ୍ତର ରଖିଲେ ୬ ବିଜେଡି ବିଧାୟକ, ପ୍ରମିଳା କହିଲେ- ଆଇନ କ'ଣ ଏକା ସେମାନଙ୍କ ପାଇଁ ?

ସେପଟେ ବିଧାୟକ ରମେଶ ଜେନାଙ୍କ ନିଲମ୍ବନ ହଟିବ ନାହିଁ ବୋଲି କିହିଛନ୍ତି ଭକ୍ତ ଦାସ । ରମେଶଙ୍କ ବିଧାୟକ ପଦ ରଦ୍ଦ ପାଇଁ ଚାର୍ଜସିଟ୍ ପ୍ରସ୍ତୁତ ହେଉଛି । ବିନା ରମେଶ ଜେନାରେ ଗଞ୍ଜାମ, ବିନା ଭକ୍ତ ଦାସରେ କଂଗ୍ରେସ ଚାଲିପାରିବ । ବ୍ୟକ୍ତି ବଡ଼ ନୁହେଁ ଦଳ ବଡ଼ ବୋଲି ଭକ୍ତ କହିଛନ୍ତି।

ସୂଚନା ଥାଉକି, ସୋମବାର(୧୬ ମାର୍ଚ୍ଚ) ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ତିନିଜଣ ବିଧାୟକ -ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା ଓ ଦାଶରଥି ଗମାଙ୍ଗ କ୍ରସ ଭୋଟିଂ କରିଥିଲେ । ଯାହା ଦଳର ନୀତି ଏବଂ ନିର୍ଦ୍ଦେଶର ବିରୁଦ୍ଧରେ ଥିଲା। ଏହି ଘଟଣାକୁ ଗୁରୁତର ସହ ନେଇ ପ୍ରଦେଶ କଂଗ୍ରେସ କମିଟି ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ନିର୍ବାଚନ ପରଦିନ ଅର୍ଥାତ୍ ମାର୍ଚ୍ଚ ୧୭ ତାରିଖରେ ଏହି ୩ ବିଧାୟକଙ୍କୁ ନିଲମ୍ବିତ କରିଥିଲା ଦଳ। ଖାଲି ସେତିକି ନୁହେଁ ସେହିଦନ କଟକ ନଗର ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ମଧ୍ୟ କଂଗ୍ରେସ ବହିଷ୍କାର କରିଥିଲା। ରମେଶ, ସୋଫିଆ ଓ ଦାଶରଥିଙ୍କୁ ବହିଷ୍କାର କରିବା ଲାଗି AICC ର ଅନୁମତି ଲୋଡ଼ାଯାଇଛି ବୋଲି ଅରବିନ୍ଦ ଦାସ ସୂଚନା ଦେଇଥିଲେ।