ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀ ମେଟାକୁ ବଡ଼ ଝଟ୍‌କା ଲାଗିଛି । ଆମେରିକା ଇତିହାସରେ ସବୁଠାରୁ ଅଧିକ ଜରିମାନା ଦେବ ମେଟା । ବ୍ୟବହାରକାରୀଙ୍କୁ ବ୍ୟକ୍ତିଗତ ଡାଟା ଗୋପନୀୟତାକୁ ନେଇ ଭୁଲ ସୂଚନା ଦେଇଥିବାରୁ ମେଟା ଉପରେ ଲାଗିଛି ମୋଟା ଅଙ୍କର ଜରିମାନା । ଆମେରିକାର ନ୍ୟୁ ମେକ୍ସିକୋ ରାଜ୍ୟର ଏକ କୋର୍ଟ ମେଟା ଉପରେ ୨୫ ବିଲିୟନ ଡଲାର ବା ପ୍ରାୟ ୨.୩ ଲକ୍ଷ କୋଟି ଟଙ୍କା ର ଜରିମାନା ଲଗାଇଛନ୍ତି। ଆମେରିକା ଇତିହାସରେ କୌଣସି କମ୍ପାନୀ ଉପରେ ଲଗାଯାଇଥିବା ଜରିମାନା ଠାରୁ ଏହା ଅଧିକ।

ଏହି ମାମଲାଟି ୨୦୧ ୮ ମସିହାରେ ସାମ୍ନାକୁ ଆସିଥିବା ଚର୍ଚ୍ଚିତ 'କାମ୍ବ୍ରିଜ୍ ଆନାଲିଟିକା' ଦୁର୍ନୀତି ସହ ଜଡ଼ିତ। ବ୍ରିଟେନର ଏହି ରାଜନୈତିକ କନ୍ସଲଟିଂ ଫାର୍ମ ବିନା କୌଣସି ଅନୁମତିରେ ଲକ୍ଷ ଲକ୍ଷ ଫେସବୁକ୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିଥିଲା। ଏହି ତଥ୍ୟକୁ ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ଟ୍ରମ୍ପଙ୍କ ନିର୍ବାଚନୀ ପ୍ରଚାର ପାଇଁ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା।

୨୦୨୧ ମସିହାରେ ନ୍ୟୁ ମେକ୍ସିକୋର ଆଟର୍ଣ୍ଣି ଜେନେରାଲ ମେଟା ବିରୋଧରେ ଏହି ମାମଲା ଦାୟର କରିଥିଲେ। ବ୍ୟବହାରକାରୀଙ୍କ ତଥ୍ୟ ପାଖକୁ ତୃତୀୟ ପକ୍ଷ ସହଜରେ ପହଞ୍ଚିପାରୁଛନ୍ତି ବୋଲି ଜାଣି ମଧ୍ୟ ମେଟା ନିଜ ୟୁଜରଙ୍କୁ ଏହି ବିପଦ ବିଷୟରେ ସଠିକ୍ ସୂଚନା ଦେଇନଥିଲା। ରଏଟର୍ସର ରିପୋର୍ଟ ଅନୁଯାୟୀ, ନ୍ୟୁ ମେକ୍ସିକୋର ଜଜ୍ ଫ୍ରାନ୍ସିସ୍ ମ୍ୟାଥ୍ୟୁ ଏହି ଜରିମାନା ଲଗାଇଛନ୍ତି। 

ସେ କହିଛନ୍ତି, ଫେସବୁକ୍ ବର୍ଷ ବର୍ଷ ଧରି ଜନସାଧାରଣଙ୍କ ସହ ଯେଉଁ ପ୍ରତାରଣା କରିଛି, ତାହା କମ୍ପାନୀର ମୂଳ ବ୍ୟବସାୟିକ ନୀତି ପ୍ରତି ଏକ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରୁଛି। ରାଜ୍ୟ ଆଇନ ଅନୁଯାୟୀ କୋର୍ଟ ୨୧୯ ବିଲିୟନ ଡଲାରରୁ ଅଧିକ ଜରିମାନା ଲଗାଇବାକୁ ଯୁକ୍ତିଯୁକ୍ତ ମନେ କରିଥିଲେ । କିନ୍ତୁ ଶେଷରେ ଏହାକୁ ୨୫ ବିଲିୟନ ଡଲାରରେ ସୀମିତ ରଖିଛନ୍ତି। ମେଟା ଏହି ରାୟକୁ ବିରୋଧ କରିବା ସହ ଉଚ୍ଚ ଅଦାଲତରେ ଆବେଦନ କରିବ ବୋଲି ସ୍ପଷ୍ଟ କରିଛି।