ନୂଆଦିଲ୍ଲୀ: ୨୦୧୮ରେ ଭାରତୀ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଆଜରବାଇଜାନ ଗସ୍ତ କରିଥିଲେ । ତାପରଠାରୁ ଭାରତୀୟ ବୈଦେଶିକ ମନ୍ତ୍ରୀ ଆଜରବାଇଜାନ ଗସ୍ତ କରିନଥିଲେ । ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆଜରବାଇଜାନ ଗସ୍ତ  କରିବେ ।  ୨୩ ଅକ୍ଟୋବର ୨୦୨୬ ରେ ହେବାକୁ ଥିବା ଏହି ସରକାରୀ ଗସ୍ତ ୮ ବର୍ଷ ପରେ କୌଣସି ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ସ୍ୱତନ୍ତ୍ର ଆଜରବାଇଜାନ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅନୁଯାୟୀ, ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ପାଇଁ ଡ. ଜୟଶଙ୍କର ସେଠାକାର ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।

ଗତ ସେପ୍ଟେମ୍ବର ମାସରେ ବିଶକେକଠାରେ ଅନୁଷ୍ଠିତ SCO ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆଜରବାଇଜାନ ରାଷ୍ଟ୍ରପତି ଇଲହାମ୍ ଆଲିୟେଭଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହାପରେ ଚଳିତ ମାସ ଆରମ୍ଭରେ ଆଜରବାଇଜାନରେ ଭାରତର ନୂତନ ରାଷ୍ଟ୍ରଦୂତ ଅଭୟ କୁମାର, ରାଷ୍ଟ୍ରପତି ଆଲିୟେଭଙ୍କୁ ନିଜର ପରିଚୟ ପତ୍ର ପ୍ରଦାନ କରିଥିଲେ।

ଭାରତର ସରକାରୀ ସଂସ୍ଥା 'ଓଏନ୍‌ଜିସି ବିଦେଶ ଲିମିଟେଡ୍' ଆଜରବାଇଜାନରେ ୧.୨ ବିଲିୟନ ଡଲାରରୁ ଅଧିକ ପୁଞ୍ଜି ନିବେଶ କରିଛି। ଭାରତ ଦୀର୍ଘ ଦିନରୁ ଆଜରବାଇଜାନରୁ ଅଶୋଧିତ ତୈଳ କ୍ରୟ କରିଆସୁଛି । ହାଇଡ୍ରୋକାର୍ବନ୍ କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ଆଲୋଚନା ଜାରି ରଖିଛି ଭାରତ ।

ଭାରତରୁ ଚାଉଳ, ଔଷଧ , ଯନ୍ତ୍ରପାତି, ଇଲେକ୍ଟ୍ରୋନିକ୍ସ ଏବଂ ପ୍ରସେସଡ୍ ତମାଖୁ ଆଜରବାଇଜାନକୁ ରପ୍ତାନି କରାଯାଏ। ଦିଲ୍ଲୀ-ବାକୁ  ଏବଂ ମୁମ୍ବାଇ-ବାକୁମଧ୍ୟରେ ସୀଧାସଳଖ ବିମାନ ସେବା କାର୍ଯ୍ୟକାରୀ ହେଉଛି। ଦୁଇ ଦେଶ ମଧ୍ୟରେ ଲୋକସମ୍ପର୍କ ଓ ପର୍ଯ୍ୟଟନ ବେଶ୍ ବୃଦ୍ଧି ପାଇଛି। ୨୦୨୫ ମସିହାରେ ପ୍ରାୟ ୧,୬୭,୦୦୦ ଭାରତୀୟ ପର୍ଯ୍ୟଟକ ଆଜରବାଇଜାନ ଯାତ୍ରା କରିଥିଲେ । ଏହାସହ ରାଜଧାନୀ ବାକୁ ରେ ଅନେକ ଭାରତୀୟ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଶ୍ରମିକ ବସବାସ କରୁଛନ୍ତି।

ସୂଚନାଯୋଗ୍ୟ, ଭାରତ ୧୯୯୧ ଡିସେମ୍ବରରେ ଆଜରବାଇଜାନର ସ୍ୱାଧୀନତାକୁ ସ୍ୱୀକୃତି ଦେଇଥିଲା । ୧୯୯୨ ଫେବୃଆରୀରେ ଦୁଇ ଦେଶ ମଧ୍ୟରେ ଆନୁଷ୍ଠାନିକ କୂଟନୈତିକ ସମ୍ପର୍କ ସ୍ଥାପନ ହୋଇଥିଲା। ୧୯୯୯ ରେ ବାକୁଠାରେ ଭାରତୀୟ ଦୂତାବାସ ଖୋଲାଯାଇଥିଲା। ଯଦିଓ ଦୁଇ ଦେଶ ମଧ୍ୟରେ ବିଭିନ୍ନ ସମୟରେ କୂଟନୈତିକ ମତାନ୍ତର ଦେଖାଦେଇଛି, ତଥାପି ଐତିହାସିକ ଓ ସାଂସ୍କୃତିକ ଭିତ୍ତିଭୂମି ଉପରେ ସମ୍ପର୍କ ତିଷ୍ଠି ରହିଛି। ଆଜରବାଇଜାନ ସହ ଭାରତ ସରକାର ସଂପର୍କ ଦୃଢ଼ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।