ଭୁବନେଶ୍ୱର: ଶିକ୍ଷା 'ଓ' ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍‌ରେ ରବିବାର "ବିକଶିତ ଭାରତ ପାଇଁ ନିଶାମୁକ୍ତ ଭାରତ ଅଭିଯାନ" କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଯୁବ ସମାଜକୁ ନିଶାଦ୍ରବ୍ୟର କୁପ୍ରଭାବ ସଂପର୍କରେ ସଚେତନ କରିବା ଏବଂ ନିଶାମୁକ୍ତ ଭାରତ ଗଠନରେ ସେମାନଙ୍କର ସକ୍ରିୟ ଭୂମିକାକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ।

ଏହି କାର୍ଯ୍ୟକ୍ରମରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଭାରତ ସରକାରଙ୍କ ଏନ୍‌ଏସ୍‌ଏସ୍ ଆଂଚଳିକ ନିର୍ଦ୍ଦେଶାଳୟର ଯୁବ ଅଧିକାରୀ ଶ୍ରୀ ଏ. ଏସ୍‌. କବୀର ଓ ଶ୍ରୀ ଅଜିତ କୁଶୱାହା ଏବଂ ସୋଆ ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର କମଳ ଲୋଚନ ମହନ୍ତ ଉପସ୍ଥିତ ଥିଲେ ।

ନିଜ ଅଭିଭାଷଣରେ ଶ୍ରୀ କବୀର ଏପରି ଏକ ସାମାଜିକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ନିମନ୍ତେ ସୋଆ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିବା ସହିତ ନିଶାମୁକ୍ତ ସମାଜ ଗଠନରେ ଶିକ୍ଷାନୁଷ୍ଠାନ ଓ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।

କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରକାର ନିଶାଦ୍ରବ୍ୟଠାରୁ ଦୂରେଇ ରହିବାକୁ ଆହ୍ୱାନ ଜଣାଇଥିଲେ ଏବଂ "ନିଶାମୁକ୍ତ ଭାରତ" ଶପଥ ପାଠ କରାଇଥିଲେ, ଯେଉଁଥିରେ ସମସ୍ତ ଉପସ୍ଥିତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଶାମୁକ୍ତ ଭାରତ ଗଠନର ସଂକଳ୍ପ ନେଇଥିଲେ ।

ଛାତ୍ର କଲ୍ୟାଣ ଡିନ୍ ପ୍ରଫେସର ଦାସ ସମଗ୍ର କାର୍ଯ୍ୟକ୍ରମକୁ ସଂଚାଳନ କରିଥିବାବେଳେ, ଡ଼କ୍ଟର ମହନ୍ତ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ‘ମାଇ ଭାରତ’ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ନିଶାମୁକ୍ତ ଭାରତ ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ ।

ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସିଧାସଳଖ ସମ୍ବୋଧନ ଶୁଣିଥିଲେ । ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ଦେଶର ଯୁବଶକ୍ତିଙ୍କୁ ନିଶା ବିରୋଧୀ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନେବାକୁ ଆହ୍ୱାନ ଜଣାଇଥିଲେ ଏବଂ ନିଶାମୁକ୍ତ ଭାରତ ଓ ବିକଶିତ ଭାରତ ଗଠନ ପାଇଁ ସମସ୍ତଙ୍କ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସୋଆ କ୍ୟାମ୍ପସ-୨ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର, ଡିନ ଓ ୫୫୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଖଣ୍ଡଗିରି ବିଜେପି ମଣ୍ଡଳ ସଭାପତି ଶ୍ରୀମତି ଆରତୀ ଭୂୟାଁ ବିଧାୟକ ଶ୍ରୀ ବାବୁ ସିଂ ଙ୍କ ପ୍ରତିନିଧି ଭାବରେ ଯୋଗ ଦେଇଥଲେ । ସଭାର ଶେଷରେ ଡକ୍ଟର ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ସୃଷ୍ଟି କରିବା ଏବଂ ସମାଜରେ ଏହି ବାର୍ତା ପହଂଚାଇବାର ସଂକଳ୍ପ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା ।