ଖଲ୍ଲିକୋଟ ୨୨।୫: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡକାପଲ୍ଲୀ ଛକରେ ଦୁର୍ଘଟଣା ଘଟିଛି । ବସ୍ ଓ ଅଟୋ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ, ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ​​ମୃତକଙ୍କ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଗୋଟିଏ ଯାତ୍ରୀବାହୀ ଅଟୋ ସୋରଳ ରୋଡ୍ ଏରେଣ୍ଡ୍ରାରୁ ସିଂହାସନୀ ପୀଠକୁ ଭୋଜିରେ ଯୋଗ ଦେବାକୁ ଯାଉଥିଲେ । ଏହି ସମୟରେ ପୁରୁଷୋତ୍ତମପୁର ଥାନା ସିକୁଳା ନିକଟସ୍ଥ ଲଡକାପଲୀ ଠାରେ 'ଡାଇମଣ୍ଡ' ନାମକ ଏକ ଯାତ୍ରୀବାହୀ ବସ୍‌ଟି ଅଟୋଟି ଧକ୍କା ଦେଇଥିଲା । ଅଟୋକୁ ଧକ୍କା ଦେଇ ବସ୍‌ଟି ଘୋଷାଡ଼ି ନେଇଥିଲା ।ଦୁର୍ଘଟଣା ଅତି ଭୟଙ୍କର ରହିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ୪ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ମଧ୍ୟରେ ୨ ନାବାଳିକା ରହିଥିବା ସୂଚନା ମିଳିଛି । ନାବାଳିକା ୨ ଜଣଙ୍କ ବୟସ ୧୦ରୁ ୧୨ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି । ମୃତକ ମାନେ ହେଲେ ୧୦ ବର୍ଷର କିରଣ ବେହେରା, ୧୨ ବର୍ଷର ସନି ବେହେରା, ୫୦ ବର୍ଷର ନୀଳା ବେହେରା, ୪୩ ବର୍ଷର ନାରସୁ ବେହେରା, ୪୦ ବର୍ଷର ରତନୀ ବେହେରା, ୭୫ ବର୍ଷର ମଲ୍ଲି ବେହେରା ।
ଗୁରୁତର ମାନେ ହେଲେ ୧୭ ବର୍ଷର ଅଳକା ବେହେରା, ୬୦ ବର୍ଷର କନକ ବେହେରା, ୫୫ ବର୍ଷର ଭାଗ୍ୟ ବେହେରା, ୪୦ ବର୍ଷର ଝିଲି ବେହେରା । ଅଟୋ ଡ୍ରାଇଭର ବାବୁ ପ୍ରଧାନ ଆହତ ହୋଇଥିବା ଜଣାପଡିଛି ।

Also Read:- ସୌମ୍ୟ ହତ୍ୟା ମାମଲାରେ ଟ୍ୱିଷ୍ଟ ! ୪ ଜଣଙ୍କୁ ବାଉଳାରେ ବାନ୍ଧିଛି ପୋଲସ, CCTVର ପ୍ରମାଣ ଦେଲେ ପରିବାର ଲୋକ

ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି । କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୁରୁଷୋତ୍ତମପୁର ଏସଡିଓ ସୁଜିତ୍ କୁମାର ନାୟକଙ୍କ ସମେତ କୋଦଳା ପୋଲିସ କର୍ମଚାରୀ ମାନେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।