ଭୁବନେଶ୍ୱର: ବାଲିଅନ୍ତାରେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାର ତଦନ୍ତରେ କମିଶନରେଟ୍ ପୁଲିସ ଆଉ ଏକ ସାଂଘାତିକ ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ଅପରାଧସ୍ଥଳରେ ନଥିବା ୪ଜଣ ଅଭିଯୁକ୍ତଙ୍କୁ ଜବରଦସ୍ତି ମାମଲାରେ ଛନ୍ଦି ଦିଆଯାଇଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ସେମାନେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଫେରାଦ୍ ହୋଇଛନ୍ତି । ଘଟଣା ବେଳର ସିସିଟିଭି ଫୁଟେଜକୁ ଦେଖାଇ ୪ଜଣ ଏହି ହତ୍ୟାକାଣ୍ଡରେ ସାମିଲ ନଥିବା ସଫେଇ ଦେଇଛନ୍ତି ।

ସୂଚନା ମୁତାବକ, ୪ଜଣ ଅଭିଯୁକ୍ତଙ୍କ ଘର ହେଉଛି ବାଲିଅନ୍ତା ଥାନା ଅଧୀନ ବେଣୁପୁର ଗାଁର ଗୁଡ଼ିଆ ସାହିରେ । ସେମାନଙ୍କ ପରିବାର ଲୋକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଯାଇ ତଦନ୍ତକାରୀ ଅଧିକାରୀଙ୍କୁ ଭେଟି କହିଥିଲେ, ଘଟଣାଦିନ ପୂର୍ବାହ୍ନ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଭିତରେ ହଂସପାଳ-ନିମାପଡ଼ା ରାସ୍ତାରେ ନିର୍ମାଣଧୀନ କୋଠା ପଛରେ ଏହି ବର୍ବରକାଣ୍ଡ ଘଟିଥିଲା । ଏହି ଘଣ୍ଟାଏ ଭିତରେ ଲୋକମାନେ ସଂଘବଦ୍ଧ ଭାବେ ସୌମ୍ୟଙ୍କୁ ପିଟି ପିଟି ମାରିଦେଇଥିଲେ ।

କିନ୍ତୁ ଏହି ଘଣ୍ଟାଏ ସମୟ ଅବଧି ଭିତରେ ୪ଜଣ ଅଭିଯୁକ୍ତ ଅପରାଧସ୍ଥଳର ଆଖପାଖରେ ନଥିଲେ । ଜଣେ ମୋବାଇଲ୍ ସଜାଡ଼ିବା ପାଇଁ ହଂସପାଳର ମୋବାଇଲ୍ ମରାମତି ଦୋକାନକୁ ଯାଇଥିଲା । ଅନ୍ୟ ଜଣେ ବାଇକରେ ତେଲ ଭରିବା ପାଇଁ ଏକ ପେଟ୍ରୋଲ ପମ୍ପକୁ ଯାଇଥିଲା ।

ସେହିପରି ଅନ୍ୟ ୨ଜଣଙ୍କ ମଧ୍ୟରୁ ଜଣେ ଘରୋଇ ସଂସ୍ଥାରେ ଚାକିରି କରନ୍ତି । ଘଟଣା ବେଳେ ସେ ତାଙ୍କ ଅଫିସରେ ଥିଲେ । ଏସବୁ ସମୟର ସିସି କ୍ୟାମେରା ଫୁଟେଜକୁ ସେମାନେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି । କ୍ରାଇମବ୍ରାଞ୍ଚ ପକ୍ଷରୁ ସିସିଟିଭି ଫୁଟେଜକୁ ଜବତ କରାଯାଇ ପରୀକ୍ଷା ପାଇଁ ରସୁଲଗଡ଼ସ୍ଥିତ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାର(ଏସ୍ଏଫ୍ଏସ୍ଏଲ) କୁ ପଠାଯାଇଛି । ଲ୍ୟାବରେ ଏସବୁ ଫୁଟେଜରେ ସତ୍ୟାସତ୍ୟ ଯାଞ୍ଚ କରାଯିବ। ଫୁଟେଜରେ କୌଣସି ଏଡିଟିଂ କରାଯାଇଛି କି ନାହିଁ, ତାହା ମଧ୍ୟ ପରଖାଯିବ । ୪ ଅଭିଯୁକ୍ତ ଅପରାଧସ୍ଥଳରେ ନଥିବାର ଯଦି ଫୁଟଭଜ୍ରୁ ପ୍ରମାଣ ମିଳେ, ତେବେ ପୁଲିସ ପାଇଁ ଅଡୁଆ ବଢ଼ିପାରେ ।