ଭୁବନେଶ୍ବର ୧୯।୧୦: ପୁଣି ଅକ୍ଟୋବର ୨୯ରେ ବାତ୍ୟା ଭୟ । ୨୯ ବେଳକୁ ବାତ୍ୟା ଆଶଙ୍କା । ଓଡ଼ିଶା ଓ ଆନ୍ଧ୍ରମୁହାଁ ହେବା ସମ୍ଭାବନା । ଆସନ୍ତା ୨୨ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଧୀରେ ଧୀରେ ଏହା ଅଧିକ ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଅନ୍ତର୍ଜାତୀୟ ମଡେଲ ଗୁଡ଼ିକ ଏହି ସମ୍ଭାବ୍ୟ ଲଘୁଚାପକୁ ବାତ୍ୟାରୂପ ନେଇପାରେ ବୋଲି ଆକଳନ କରିଛନ୍ତି । ୨୮ ଓ ୨୯ ତାରିଖରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ଏବଂ ଏହା ଆନ୍ଧ୍ରପ୍ରଦେଶ କିମ୍ବା ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ ରହିଛି । ବାୟୁମଣ୍ଡଳୀୟ ଚାପରୁ ଏହାର ତୀବ୍ରତା ଶକ୍ତିଶାଳୀ ହେବା ନେଇ ପୂର୍ବାନୁମାନ କରାଯାଇଛି ।

ଗତ ସପ୍ତାହରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲେ ମଧ୍ୟ ତାହା ଅଧିକ ଘନୀଭୂତ ହୋଇ ନ ଥିଲା । ଏଥର ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ କେଉଁ ରୂପ ନେବ ତାହା ଏବେ ସୁଦ୍ଧା ଆକଳନ କରାଯାଇ ନାହିଁ । ତେବେ ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ୨୨ରୁ ୨୪ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନିଶ୍ଚିତ। ଏହାର ପ୍ରଭାବରେ ୨୫ କିମ୍ବା ୨୬ ତାରିଖ ପାଖାପାଖି ଲଘୁଚାପ ସୃଷ୍ଟି ହେବ । ସେତେବେଳକୁ ଏହା ଓଡ଼ିଶା ଠାରୁ ବହୁତ ଦୂରରେ ରହିଥିବାରୁ କୁମାର ପୂର୍ଣ୍ଣିମାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ପୂର୍ବ ଓ ଦକ୍ଷିଣ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି । ତେବେ ଏହା କେତେ ଶକ୍ତିଶାଳୀ ହେବ ଏବଂ କେଉଁ ଦିଗକୁ ଗତି କରିବ, ତାହା ଏବେଠାରୁ କହିବା ସମ୍ଭବପର ନୁହେଁ । ୨୧ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ସ୍ଥିତି ସ୍ପଷ୍ଟ ହେବ । ଅକ୍ଟୋବର ମାସରେ ଓଡ଼ିଶା ଉପକୂଳରେ ବାତ୍ୟା ହେବାର ପୁରୁଣା ଇତିହାସ ରହିଛି । ପୂର୍ବରୁ ୧୯୯୯ ମହାବାତ୍ୟା, ୨୦୧୩ରେ ‘ଫାଇଲିନ୍ ’, ୨୦୧୪ରେ ‘ହୁଡ୍ ହୁଡ୍’ ଏବଂ ୨୦୨୪ରେ ‘ଦାନା’ ଓଡ଼ିଶା ଉପକୂଳରେ ମାଡ଼ ହୋଇଥିଲା । ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଆକଳନ କରାଯାଇ ନାହିଁ ।

Also Read:- ଦଶହରାକୁ ଫିକା କରିବ ବର୍ଷା : ଏହି ସବୁ ଜିଲ୍ଲାରେ ଦୁଇ ଦିନ ପ୍ରବଳ ବର୍ଷିବ !

ସୋଆ ସିଇସି ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି, ବର୍ତ୍ତମାନ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ ୨୨ ତାରିଖ ଆଡ଼କୁ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପାଣିପାଗର ବିଭିନ୍ନ ଅନୁକୂଳ ପରିସ୍ଥିତି ଯୋଗୁଁ ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଉଛି । ତେବେ ସେହି ସମୟରେ ଆରବ ସାଗରରେ ମଧ୍ୟ ଅନ୍ୟ ଏକ ସିଷ୍ଟମ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଉଭୟ ସିଷ୍ଟମର ପରସ୍ପର ପ୍ରଭାବ ଏବଂ ଗତିପଥ ସ୍ପଷ୍ଟ ହେବା ପାଇଁ ଆଗାମୀ ୨୫ ରୁ ୨୬ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ, କାରଣ ବର୍ତ୍ତମାନ ଏହାର ଦିଗ ଓ ଗତି ସମ୍ପୂର୍ଣ୍ଣ ସ୍ପଷ୍ଟ ଭାବେ ଆକଳନ କରିବା ସମ୍ଭବପର ନୁହେଁ ।

Watch Video: