ନୂଆଦିଲ୍ଲୀ, ୧୯/୧୦:ଘରୋଇ ଭାରତ ଓ ଜିମ୍ବାୱେ ମହିଳା ଦଳ ମଧ୍ୟରେ ଅନୁଷ୍ଠିତ ଦ୍ଵିତୀୟ ଟି-ଟ୍ୱେଷ୍ଟିରେ ଭାରତ ୯ ୱିକେଟ୍ରେ ବିଜୟୀ ହୋଇ ସିରିଜ କବଜା କରିଛି। ଏହି ମ୍ୟାଚରେ ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ହରାଇ ୧୦୨ ରନ୍ କରିଥିଲା। ଜବାବରେ ଭାରତ ୮.୫ ଓଭର ମଧ୍ଯରେ ୧ ୱିକେଟ୍ ବିନିମୟରେ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା।

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ଜିମ୍ବାୱେ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଭାରତୀୟ ବୋଲରମାନେ ଶୃଙ୍ଖଳିତ ବୋଲିଂ କରି ବିପର୍ଯ୍ୟୟ ଘଟାଇଥିଲେ। ୩୦ରନ୍ ମଧ୍ୟରେ ୩ଟି ୱିକେଟ୍ ହରାଇଥିଲା ଜିମ୍ବାୱେ। କେଲିସ୍ ଏନଭୁ ଖାତା ଖୋଲି ପାରିନଥିବାବେଳେ ବିଜା ୭ଓ ଏସ୍. ମାୟର୍ସ ୯ରନ୍ କରି ଆଉଟ୍ ହୋଇଥିଲେ । ପ୍ରଥମ ୱିକେଟର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ଚିପୁ ମୁଗେରି-ତିରିପାନୋ ୩୪ ଓ ଅଧିନାୟିକା ଯୋଶେଫିନା ଏନକୋମୋ ୨୭ରନ୍ ଯୋଗ କରିବା ଫଳରେ ଦଳୀୟ ସ୍କୋର ୮/୧୦୨ରେ ପହଞ୍ଚିଥିଲା।

Also Read ;-ଚୟନକର୍ତ୍ତାଙ୍କ ଅଣଦେଖାରେ ଭାଙ୍ଗି ପଡ଼ିଲେ ଶାମି ? ବେଙ୍ଗଲ ପାଇଁ ଖେଳୁ ନାହାନ୍ତି ରଣଜୀ ମ୍ୟାଚ୍

ଭାରତ ପକ୍ଷରୁ ନିକି ପ୍ରସାଦ ୨ଟି,କ୍ରାନ୍ତି ଗୌଡ଼,ନନ୍ଦନୀ ଶର୍ମା,ଦୀପ୍ତି ଶର୍ମା ଓ ଏନ୍ ଶ୍ରୀ ଚରଣୀ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

୧୦୩ ରନର ସହଜ ବିଜୟ ଲକ୍ଷ୍ୟ ନେଇ ଭାରତର ଦୁଇ ଓପନର ଶେଫାଳି ଓ ସ୍ମୃତି ମନ୍ଧନା ଆକ୍ରମଣାତ୍ମକ ବ୍ୟାଟିଂ କରି ୯୬ରନ୍ ସଂଗ୍ରହ କରିଥିଲେ। ଶେଫାଳି ୨୪ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ ହେଁ ବଡ଼ ସଟ୍ ଖେଳିବାକୁ ଯାଇ ୱିକେଟ୍ ଫିଙ୍ଗି ଦେଇଥିଲେ। ସେ ୨୫ ବଲ୍ରେ ୬ଚୌକା ଓ ୪ଛକା ବଳରେ ୫୫ରନ୍ କରିଥିଲେ। ମାତ୍ର ମନ୍ଧନା ଅପରାଜିତ ୪୭(୬ଚୌକା,୨ଛକା) ରନ୍ କରି ଦଳକୁ ବିଜୟୀ କରାଇଥିଲେ।