ନୂଆଦିଲ୍ଲୀ: ଯଶପ୍ରୀତ ବୁମରାଙ୍କ ବିନା ଭାରତୀୟ କ୍ରିକେଟ୍ ଦଳର ବୋଲିଂ ଆକ୍ରମଣ କେତେ ଫିକା ତାହା ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ଦେଖିବାକୁ ମିଳିଛି। ବୁମରା ଭାରତୀୟ ଦଳ ପାଇଁ ଏମିତି ଏକ ଅମଘୋ ଅସ୍ତ୍ର ଯିଏ ଯେ କୌଣସି ପିଚ୍, ଯେ କୌଣସି ପରିସ୍ଥିତିରେ କୌଣସି ବି ଓଭର ବୋଲିଂ କରି ପାରିବେ। ଏହା ସହିତ ଭାରତୀୟ ଦଳକୁ ମୁସ୍କିଲ ସ୍ଥିତିରୁ ମୁକୁଳାଇ ପାରିବେ। ମାତ୍ର ତାଙ୍କର ଆହତ ସମସ୍ୟା ଭାରତୀୟ ଦଳ ପାଇଁ ସବୁଠୁ ବଡ଼ ଚିନ୍ତାର ବିଷୟ। ଅନ୍ୟପଟେ ୨୦୨୭ ବିଶ୍ଵକପକୁ ଆଉ ଗୋଟିଏ ବର୍ଷରୁ କମ ସମୟ ରହିଛି। ଏମିତି ସମୟରେ ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ବୁମରାଙ୍କୁ ବିଶ୍ଵକପ୍ ପର୍ଯ୍ୟନ୍ତ କେମିତି ଫିଟ୍ ରହି ପାରିବେ ସେ ନେଇ ପରାମର୍ଶ ଦେଇଛନ୍ତି। ବୁମରା ଓ ଭାରତୀୟ ଦଳ ପ୍ରବନ୍ଧକଙ୍କୁ ତାଙ୍କ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ରବି ଶାସ୍ତ୍ରୀ ଟାଇମ୍ସ ଅଫ ଇଣ୍ଡିଆ ସହ ଆଲୋଚନା ବେଳେ କହିଛନ୍ତି, ମୋ ମତରେ ବୁମରାଙ୍କୁ ବିଶ୍ଵକପ୍ ପର୍ଯ୍ୟନ୍ତ ତିନୋଟି ଫର୍ମାଟରେ ଖେଳିବା ଉଚିତ୍ ନୁହେଁ। ମୁଖ୍ୟତଃ ତାଙ୍କୁ ଟେଷ୍ଟ କ୍ରିକେଟ୍ ଉପରେ ଧ୍ୟାନ ଦେବା ଉଚିତ୍ ଏବଂ ବେଳେ ବେଳେ ଦିନିକିଆ କିମ୍ବା ଟି-୨୦ ମ୍ୟାଚ୍ ଖେଳିବା ଉଚିତ୍। ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ବୁମରାଙ୍କୁ ବଞ୍ଚାଇ ରଖିବା ଉଚିତ୍।

Also Read: ଚୟନକର୍ତ୍ତାଙ୍କ ଅଣଦେଖାରେ ଭାଙ୍ଗି ପଡ଼ିଲେ ଶାମି ? ବେଙ୍ଗଲ ପାଇଁ ଖେଳୁ ନାହାନ୍ତି ରଣଜୀ ମ୍ୟାଚ୍

ଶାସ୍ତ୍ରୀଙ୍କ ମତରେ ଛଅ ସପ୍ତାହ ନ୍ୟୁଜିଲାଣ୍ଡ ଗସ୍ତ ଭାରତୀୟ କ୍ରିକେଟ୍ ପାଇଁ ଏକ ପ୍ରମୁଖ ସମୟ ସାବ୍ୟସ୍ତ ହୋଇପାରେ। କାରଣ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକାର ପିଚ୍ ପ୍ରାୟତଃ ସମାନ। ତେଣୁ ନ୍ୟୁଜିଲାଣ୍ଡରେ ଦଳର ପ୍ରଦର୍ଶନ ବେଶ ଗୁରୁତ୍ଵପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ।

ଶାସ୍ତ୍ରୀ ବୁମରାଙ୍କ ବ୍ୟତୀତ ଭୁବନେଶ୍ଵର କୁମାରଙ୍କ ବିଷୟରେ ଖୋଲାଖୋଲି ନିଜର ମତ ରଖିଛନ୍ତି। ଏହି ଅଭିଜ୍ଞ ବୋଲର ଚାରି ବର୍ଷ ପରେ ଭାରତୀୟ ଦଳରେ ସାମିଲ୍ ହୋଇଛନ୍ତି। ପୂର୍ବତନ ଭାରତୀୟ ହେଡ୍ କୋଚଙ୍କ  ଅନୁସାରେ, ଭୁବନେଶ୍ଵର ନିଜର ପ୍ରଦର୍ଶନ ଦମରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଟେଷ୍ଟ ଏବଂ ଦିନିକିଆ ଟିମରେ ନିଜର ସ୍ଥାନ ବଜାୟ ରଖି ପାରିବେ।

ଶାସ୍ତ୍ରୀ କହିଛନ୍ତି, ଅନୁଭବର କୌଣସି ବିକଳ୍ପ ନାହିଁ। ଯେବେ ଆପଣଙ୍କ ପାଖରେ ଭୁବନେଶ୍ଵରଙ୍କ ପରି ଗୁଣବତ୍ତା ଏବଂ ଅଭିଜ୍ଞତାସଂପନ୍ନ ବୋଲର ଅଛନ୍ତି ତେବେ ଆପଣଙ୍କୁ ଅଧିକ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ଆଇପିଏଲରେ ସେ ଯେଉଁ ପ୍ରଦର୍ଶନ କରିଛନ୍ତି ଏବଂ ଭାରତୀୟ ଦଳ ପ୍ରତି ଯେଉଁ ପ୍ରଦର୍ଶନ ରହିଛି, ତାହା ନ୍ୟୁଜିଲାଣ୍ଡ ସ୍ଥିତି ପାଇଁ ବହୁତ ଆଦର୍ଶ।