ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ଲୋକସଭାରେ କେନ୍ଦ୍ର ସରକାରଙ୍କ ସୀମା ପୁନଃ ନିର୍ଦ୍ଧାରଣ ପ୍ରସ୍ତାବ ଉପରେ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକ୍ରିୟାକୁ ବିନା ବିଚାର ଓ ପରାମର୍ଶରେ ଲାଗୁ କଲେ ଦେଶର ଭୀଷଣ କ୍ଷତି ହୋଇପାରେ। ଥରୁର ୨୦୧୬ ନୋଟବନ୍ଦୀର ଉଦାହରଣ ଦେଇ କହିଛନ୍ତି ଯେ ସୀମା ପୁନଃନିର୍ଦ୍ଧାରଣ ମଧ୍ୟ ‘ରାଜନୈତିକ ନୋଟବନ୍ଦୀ’ରେ ପରିଣତ ହୋଇପାରେ।

ତରବର ହେଲେ ବିପଦ
ଥରୁର କହିଛନ୍ତି ଯେ ସରକାର ଦେଶରେ ନୋଟ ବନ୍ଦୀ ଅଚାନକ ଲାଗୁ କରିଥିଲେ। ଏହାର ପରିଣାମ କଣ ହେଲା ସମସ୍ତେ ଜାଣନ୍ତି। ଏବେ ସୀମା ପୁନଃନିର୍ଦ୍ଧାରଣକୁ ମଧ୍ୟ ସେହିଭଳି ତରବରିଆ ଭାବେ ଆଗକୁ ବଢା ଯାଉଛି। ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଏପରି ନ କରନ୍ତୁ ଓ ଏହି ନିଷ୍ପତ୍ତି ସମବାୟ ସଂଘବାଦ ଉପରେ କଣ ପ୍ରଭାବ ପକାଇବ ତାହା ପ୍ରଥମେ ନିଶ୍ଚିତ କରନ୍ତୁ।

ମହିଳା ସଂରକ୍ଷଣକୁ ନେଇ ଆପତ୍ତି
ଶଶି ଥରୁର ସୀମା ପୁନଃନର୍ଦ୍ଧାରଣକୁ ମହିଳା ସଂରକ୍ଷଣ ଓ ସିଟ୍ ସଂଖ୍ୟା ବୃଦ୍ଧି ସହ ଯୋଡାଯିବା ଯୋଗୁ ତାଙ୍କର ଅସହମତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସରକାର ଏହାକୁ ନାରୀ ଶକ୍ତି ପାଇଁ ଉପହାର କହୁଛନ୍ତି। ହେଲେ ବାସ୍ତବତା ହେଉଛି ଏହାକୁ କଣ୍ଟାତାରରେ ଗୁଡା ଯାଇଛି। ଥରୁର କହିଛନ୍ତି ଯେ ମହିଳା ସଂରକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ଓ ଆବଶ୍ୟକ ପ୍ରସଙ୍ଗ। ଯାହାକୁ ଏବେକା ଆସନ ସଂଖ୍ୟା ଉପରେ ତୁରନ୍ତ ଲାଗୁ କରାଯାଇ ପାରିବ। ତେବେ ଥରୁର ପ୍ରଶ୍ନ ଉଠାଇଛନ୍ତି ଯେ ଆମେ ମହିଳାଙ୍କ ଆଶାକୁ ଏକ ଜଟିଳ ଓ ବିବାଦୀୟ ପ୍ରକ୍ରିୟାରେ ବନ୍ଧକ କାହିଁକି କରୁଛେ?

ରାଜ୍ୟଙ୍କ ମଧ୍ୟରେ ଅସନ୍ତୁଳନର ବିପଦ
ଥରୁର ସୀମା ପୁନଃନିର୍ଦ୍ଧାରଣର ସମ୍ଭାବିତ ବିପଦ ଆଡକୁ ଇସାରା କରିଛନ୍ତି। ସେ କହିଛନ୍ତି ଯେ ଏହା ଦ୍ୱାରା ସେହି ରାଜ୍ୟମାନଙ୍କର କ୍ଷତି ହେବ ଯେଉଁମାନେ ଜନସଂଖ୍ୟା ନିୟନ୍ତ୍ରଣରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ତାମିଲନାଡୁ ଓ କେରଳ ଭଳି ଦକ୍ଷିଣ ରାଜ୍ୟ ଜନସଂଖ୍ୟା ନିୟନ୍ତ୍ରଣରେ ସଫଳ ହୋଇଛନ୍ତି, ହେଲେ ଉତ୍ତର ଭାରତୀୟ ରାଜ୍ୟମାନଙ୍କରେ ଜନସଂଖ୍ୟା ଦ୍ରୁତ ବଢିଛି। ସୀମା ପୁନଃନିର୍ଦ୍ଧାରଣ ପରେ ଅଧିକ ଜନସଂଖ୍ୟାର ରାଜ୍ୟଙ୍କୁ ଅଧିକ ଲୋକସଭା ନିର୍ବାଚନମଣ୍ଡଳି ଓ ରାଜନୈତିକ ଶକ୍ତି ମିଳିବ। ଫଳରେ ଦକ୍ଷିଣ ରାଜ୍ୟଙ୍କ ସ୍ୱର ଦୁର୍ବଳ ହୋଇପଡିବ। ଥରୁର ଏହାକୁ ଗଣତନ୍ତ୍ର ଲାଗି ଏକ ଭୁଲ ବାର୍ତ୍ତା ବୋଲି କହିଛନ୍ତି।

ସରକାରଙ୍କୁ ନିବେଦନ
ଥରୁର ସରକାରଙ୍କୁ ଆଗ୍ରହ କରିଛନ୍ତି ଯେ ପ୍ରଥମେ ମହିଳା ସଂରକ୍ଷଣ ବିଧେୟକକୁ ଅଲଗା ଗୃହୀତ କରାଯାଉ। ସୀମା ପୁନଃନିର୍ଦ୍ଧାରଣ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବ୍ୟାପକ ଚର୍ଚ୍ଚା ଓ ସବୁ ପକ୍ଷଙ୍କ ମଧ୍ୟରେ କଥାବାର୍ତ୍ତା ପରେ ଆଗକୁ ବଢାଇବା ଉଚିତ ହେବ। ସେ କହିଛନ୍ତି ଯେ ବିନା ପ୍ରସ୍ତୁତିରେ କୌଣସି ପଦକ୍ଷେପ ଦେଶ ହୀତର ବିପରୀତ ହେବ। ଥରୁର ଏହି ପ୍ରସଙ୍ଗ ସଂସଦରେ ମହିଳା ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ସମ୍ପର୍କିତ ବିଧେୟକ ଆଲୋଚନା କାଳରେ ଉଠାଇଛନ୍ତି। ଏଥିରେ ଥରୁରଙ୍କ ଟାର୍ଗେଟ କେନ୍ଦ୍ର ସରକାରଙ୍କ ଉପରେ ଥିଲା ଓ ଏହି ପ୍ରସଙ୍ଗ ଦେଶର ରାଜନୈତିକ ବିତର୍କକୁ ଆହୁରି ଦୃଢ କରିବ।

Also Read..ମହିଳା ସଂରକ୍ଷଣ ଏବଂ ସୀମା ପୁନଃନିର୍ଦ୍ଧାରଣ ବିଲକୁ ନେଇ ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧୀ, ଆଣିଲେ ସଂଘାତିକ ଅଭିଯୋଗ