ନୂଆଦିଲ୍ଲୀ, ୧୩/୧୦ : ଇରାନର ଇସଫହାନରେ ଜଣେ ପ୍ରଦର୍ଶନକାରୀଙ୍କୁ ଫାଶୀ ଦିଆଯାଇଛି । ମୃତ୍ୟୁଦଣ୍ଡ ପାଇଥିବା ପ୍ରଦର୍ଶନକାରୀ ହେଲେ ଅଲୀରେଜା ସେପାହୀ । ଗତ ଜାନୁଆରୀରେ ଦେଶରେ ହୋଇଥିବା ବିରୋଧ ପ୍ରଦର୍ଶନ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଜୁଲାଇରେ ତାଙ୍କୁ ହାର୍ଟଆଟାକ୍ ଆସିଥିଲା । ତେଣୁ ଫାଶୀ ଦିଆଯାଇନଥିଲା । ଫାଶୀ ପୂର୍ବରୁ ସେ ନିଜ ବାନ୍ଧବୀଙ୍କୁ ବିବାହ ମଧ୍ୟ କରି ସାରିଥିଲେ ।

Also Read :- ଓଡି଼ଶାରେ ଖର୍ଚ୍ଚ ବେଶି : ମହଙ୍ଗା ବଜାର ଭାବେ ଦେଶରେ ଦ୍ୱିତୀୟ ସ୍ଥାନରେ ରାଜ୍ୟ

ଫାଶୀ ପୂର୍ବରୁ ବିବାହ

ତେବେ ଅକ୍ଟୋବର ୫ ତାରିଖରେ ଆସିଥିଲା ସେହି ସମୟ । ଯାହାକୁ ନେଇ ଭୟରେ ଥିଲେ ଅଲୀରେଜା । ମାତ୍ର ୨୫ ବର୍ଷୀୟ ଅଲୀରେଜାଙ୍କୁ ଫାଶୀ ଦିଆଯାଇଛି । ଏହାର ଠିକ୍ ପୂର୍ବରୁ ସେ ନିଜ ଓକିଲଙ୍କ ଦ୍ୱାରା ୨୨ ବର୍ଷୀୟ ବାନ୍ଧବୀ ମହଶାଦ କାଶାନୀଙ୍କୁ ଫୋନ୍ ଯୋଗେ ହିଁ ବିବାହ କରିଥିଲେ । ମହଶାଦ ମଧ୍ୟ ବିରୋଧ ପ୍ରଦର୍ଶନରେ ପୂର୍ବରୁ ଜେଲରେ ରହିଛନ୍ତି ।

ଇରାନ ଅଧିକାରୀଙ୍କ କହିବାନୁସାରେ, ଇସଫହାନରେ ବିରୋଧ ପ୍ରଦର୍ଶନ ବେଳେ ଉଭୟ ଅଲୀରେଜା ଏବଂ ମହଶାଦଙ୍କୁ ଗିରଫ କରାଯାଇଥିଲା । ଅଲୀରେଜାଙ୍କ ସହ ଅନ୍ୟ ଜଣଙ୍କୁ ମଧ୍ୟ ଫାଶୀ ଦିଆଯାଇଛି । ବିରୋଧ ପ୍ରଦର୍ଶନରେ ୪ ଜଣ ପୋଲିସ କର୍ମୀ ପ୍ରାଣ ହରାଇଥିଲେ । ଏହି ମାମଲାରେ ଅନେକଙ୍କୁ ଗିରଫ କରାଯାଇଥିଲା ।

ସବୁଦିନ ମୃତ୍ୟୁର ଡର

ବିରୋଧ ପ୍ରଦର୍ଶନ ମାମଲାରେ ଅଲୀରେଜାଙ୍କୁ ଜାନୁଆରୀ ୧୦ ତାରିଖରେ ଗିରଫ କରାଯାଇଥିଲା । ତାଙ୍କ ମାଆ ମଧ୍ୟ ଗିରଫ ହୋଇଥିଲେ । ଏବେବି ମାଆ ଜେଲରେ ଅଛନ୍ତି । ତାଙ୍କୁ ୫ ବର୍ଷ ପାଇଁ ଜେଲଦଣ୍ଡ ମିଳିଛି । ତେବେ ତାଙ୍କର ମାନବାଧିକାର ହନନ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ମୁକ୍ତ କରିବାକୁ ଦାଖଲ ପ୍ରମାଣକୁ ମଧ୍ୟ ସରକାର ନଜର ଅନ୍ଦାଜର କରିଛନ୍ତି ।

ମୃତ୍ୟୁ ପୂର୍ବରୁ ବିବାହ

ଅଲୀରେଜାଙ୍କୁ ଇସଫହାନର ରିଭଲ୍ୟୁସନାରୀ କୋର୍ଟ ଆଶ୍ୱସ୍ତି ପ୍ରଦାନ କରିନଥିଲେ । ତାଙ୍କ ଫାଶୀ ଦଣ୍ଡକୁ କାଏମ ରଖିଥିଲେ । ଏପରିକି ଫାଶୀ ଦିନ ତାଙ୍କୁ ପରିବାର ସହ ସାକ୍ଷାତ କରିବା ପାଇଁ ଅନୁମତି ଦିଆଯାଇଥିଲା । ହେଲେ ଅଲୀରେଜାଙ୍କ ମନରେ ଆଉ କିଛି ଥିଲା ।

ତାଙ୍କ ଓକିଲ ବାନ୍ଧବୀ ମହଶାଦଙ୍କ ସହ ଅଡିଓ କଲ୍ କରିଥିଲେ । ମହଶାଦ ଅନ୍ୟ ଏକ ଜେଲରେ ବନ୍ଦୀ ରହିଛନ୍ତି । ଏହି ଅଡିଓ କଲରେ ଉଭୟ ବିବାହ କରିଥିଲେ । ଏପରିକି ବିବାହର ସମସ୍ତ ଧାର୍ମିକି ରୀତିନୀତି ପୂରଣ କରାଯାଇଥିଲା । ଏଥିପାଇଁ ସେମାନଙ୍କ ପିତା ମଧ୍ୟ ମଞ୍ଜୁରୀ ଦେଇଥିଲେ ।

ଅନ୍ୟ ଦିଗରେ ଜେଲ୍ କର୍ତ୍ତୃପକ୍ଷ ଉଭୟଙ୍କୁ ମୁହାଁମୁହିଁ ସାକ୍ଷାତ କରିବାକୁ ଦେଇନଥିଲେ । ଅଲୀରେଜାଙ୍କ ଓକିଲ ବିବାହ ପରେ ମୃତ୍ୟୁଦଣ୍ଡ ବିଳମ୍ବିତ ହେବ ବୋଲି ଆଶଙ୍କା କରୁଥିଲେ । ହେଲେ ସେପରି କିଛି ହୋଇନଥିଲା । ବରଂ ଫୋନ୍ ଯୋଗେ ବିବାହର କିଛି ଘଣ୍ଟା ପରେ ଅଲୀରେଜାଙ୍କୁ ଫାଶୀ ଦିଆଯାଇଥିଲା ।