ବାକୁ: ୨୦୨୨ରେ ଯେତେବେଳେ କର୍ଣ୍ଣାଟକ ସରକାର ସ୍କୁଲ, କଲେଜ୍‌ରେ ହିଜାବ ପିନ୍ଧିବା ଉପରେ କଟଣା ଲଗାଇ ୟୁନିଫର୍ମ ଲାଗୁ କଲେ ସେତେବେଳେ ଧର୍ମନିରପେକ୍ଷ ରାଷ୍ଟ୍ର ଭାରତରେ କିଛି ଏହାକୁ ବିରୋଧ କଲେ। ଏଥିପାଇଁ ଛାତ୍ର ଆନ୍ଦୋଳନ ବି ତେଜିଲା। ଶେଷରେ କର୍ଣ୍ଣାଟକରେ ସରକାର ବଦଳିବା ପରେ କଟକଣା ଉଠାଇ ଦିଆଗଲା। ହେଲେ ଭାରତ ଠାରୁ ସୁଦୂର ୩,୬୦୧ କିଲୋମିଟର ଦୂରତାରେ ଥିବା ମୁସ୍ଲିମ ବହୁଳ ରାଷ୍ଟ୍ର ଅଜରବୈଜାନରେ କର୍ଣ୍ଣାଟକ ଭଳି ନିଷ୍ପତ୍ତି ନିଆଯାଇଛି। ସ୍କୁଲ କଲେଜ୍‌ରେ ହିଜାବ ପିନ୍ଧି ଆସିବାକୁ ବାରଣ କରାଯାଇଛି।

ପ୍ରକୃତରେ ଅଜରବୈଜାନ ସରକାର ସ୍କୁଲ୍ ଡ୍ରେସ୍ କୋଡ୍‌ରେ ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଅନୁସାରେ, ସ୍କୁଲରେ ହିଜାବ ଉପରେ ରୋକ ଲଗାଯାଇଛି। ଏହା ଧର୍ମନିରପେକ୍ଷତା ବିରୁଦ୍ଧରେ ବୋଲି ଦର୍ଶାଇ ସେଠାକାର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଅଜରବୈଜାନରେ ୯୬% ମୁସ୍ଲିମ ବସବାସ କରନ୍ତି। ତଥାପି ଏହି ରାଷ୍ଟ୍ର ନିଜକୁ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି କହେ। ସେଠାକାର ସରକାର ଏହି ନିଷ୍ପତ୍ତି ନେବା ପରେ ବିରୋଧ ତେଜିଛି।

ଏହି ନିୟମ ଲାଗୁ ହେବା ପରେ କିଛି ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ହିଜାବ ପିନ୍ଧି ସ୍କୁଲ ଆସିଥିଲେ, ସେତେବେଳେ ସେମାନଙ୍କୁ ଗେଟ୍ ବାହାରେ ଅଟକାଯାଇଥିଲା। ହିଜାବ ଖୋଲି ଭିତରକୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିରୋଧ ତେଜିଥିଲା। ସେମାନେ ସ୍କୁଲ ବହିଷ୍କାର କରିଥିଲେ। ଆଉ ଏହି ବିରୋଧରେ ନିଆଁ ପଡ଼ୋଶୀ ତୁର୍କୀ ପର୍ଯ୍ୟନ୍ତ ପହଞ୍ଚି ଯାଇଛି।

Also Read- ପୁଣି ହେବ କି ଭାରତ-ଚୀନ ଯୁଦ୍ଧ ? ଚୀନ କହିଲା, ଲଦାଖ ଆମର, ଭାରତ ଦେଲା କଡ଼ା ଜବାବ

 ତେବେ ଅଜରବୈଜାନରେ ହିଜାବ ନାଁରେ ଯଦିଓ ବ୍ୟାନ ଲଗା ଯାଇ ନାହିଁ ତେବେ ସ୍କୁଲମାନଙ୍କର ଏଭଳି କପଡ଼ା ଉପରେ ରୋକ ଲଗାଯାଇଛି। ତେବେ ଦେଶର ସଂସ୍କୃତିକ ଓ ରାଷ୍ଟ୍ରୀୟ ପରମ୍ପରାଗତ କାର୍ଯ୍ୟରେ ଯଦିଓ ଏହା ପିନ୍ଧାଯାଇପାରିବ ତଥାପି ଏଥିପାଇଁ ସ୍କୁଲ କମିଟିର ମଞ୍ଜୁରି ନେବାକୁ ପଡ଼ିବ। ତେବେ ବିରୋଧୀଙ୍କ କହିବା କଥା ହେଲା ହିଜାବ ପିନ୍ଧିବା କାହାର ବ୍ୟକ୍ତିଗତ ପସନ୍ଦ ଓ ଧାର୍ମିକ ଆସ୍ଥା ସହ ଜଡ଼ିତ। ତେଣୁ ସରକାର କାହାର ପସନ୍ଦ ଉପରେ ଏଭଳି ରୋକ ଲଗାଯାଇପାରିବ ନାହିଁ। ସେପଟେ ସରକାର କହୁଛନ୍ତି ସ୍କୁଲ କଲେଜ୍ ସମସ୍ତଙ୍କର । ଧର୍ମନିରପେକ୍ଷ ରାଷ୍ଟ୍ରରେ ସମସ୍ତେ ସମାନ ଡ୍ରେସ କୋଡ ପିନ୍ଧବେ। ଧର୍ମ ଆଧାରରେ କାହାକୁ ଅଧିକ ସୁବିଧା ଦିଆଯାଇ ପାରିବ ନାହିଁ।

ନୂଆ ନିୟମ ବିରୁଦ୍ଧରେ ଅଜରବୈଜାନର ସ୍କୁଲ କଲେଜ୍‌ର ବିରୋଧ ତେଜିଛି। ପିଲାମାନେ ବିଦ୍ୟାଳୟ ବହିଷ୍କାର କରିଛନ୍ତି। ଦେଶରେ ଇଣ୍ଟରନେଟ୍ ବନ୍ଦ କରାଯାଇଥିବା ଖବର ସାମ୍ନାକୁ ଆସିଛି। ଅଜରବୈଜାନର ଏହି ଆନ୍ଦୋଳନର ନିଆଁ ପଡ଼ୋଶୀ ତୁର୍କୀକୁ ବ୍ୟାପିଛି। ସେଠାରେ ମଧ୍ୟ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜନତା।