ନୂଆଦିଲ୍ଲୀ: ଲୋକସଭାରେ ମହିଳା ସଂରକ୍ଷଣ ବିଲ ଏବଂ ସୀମା ପୁନଃନିର୍ଦ୍ଧାରଣ (Delimitation) ପ୍ରସ୍ତାବକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସଂସଦର ସ୍ୱତନ୍ତ୍ର ଅଧିବେଶନ ସମୟରେ ଲୋକସଭାରେ ଭାଷଣ ଦେଇ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ, ସରକାର ରାଜନୈତିକ ଉଦ୍ଦେଶ୍ୟ ହାସଲ କରିବା ଏବଂ କ୍ଷମତା ବଜାୟ ରଖିବା ପାଇଁ ମହିଳା ସଂରକ୍ଷଣକୁ ଏକ ଢ଼ାଲ ଭାବରେ ବ୍ୟବହାର କରୁଛନ୍ତି। ସେ କେନ୍ଦ୍ର ଉପରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ମାଧ୍ୟମରେ ଓବିସି ଏବଂ ଦଳିତଙ୍କ ରାଜନୈତିକ ସ୍ୱରକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ମଧ୍ୟ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ, ସମଗ୍ର ବିରୋଧୀ ଦଳ ଏହାକୁ ‘ଦେଶ ବିରୋଧୀ’ ପଦକ୍ଷେପ ବୋଲି ବର୍ଣ୍ଣନା କରି ପ୍ରତିରୋଧ କରିବେ ଏବଂ ଦଳୀୟ ଲାଭ ପାଇଁ ଗଣତାନ୍ତ୍ରିକ ଢାଞ୍ଚାକୁ ପରିବର୍ତ୍ତନ କରିବାର ଯେକୌଣସି ପ୍ରୟାସକୁ ପରାସ୍ତ କରିବେ।

ଲୋକସଭାରେ ରାହୁଲ ଗାନ୍ଧୀ କହିଛନ୍ତି, ଏହା ମହିଳା ସଂରକ୍ଷଣ ବିଲ୍ ନୁହେଁ । ମହିଳା ସଶକ୍ତିକରଣ ସହିତ ଏହାର କୌଣସି ସଂପର୍କ ନାହିଁ । ଭାରତର ମାନଚିତ୍ରକୁ ବଦଳାଇବାର ଏହା ଏକ ପ୍ରୟାସ । ସେ କହିଛନ୍ତି ଯେ, ମହିଳା ସଂରକ୍ଷଣ ବିଲ୍ ୨୦୨୩ ମସିହାରେ ଗୃହୀତ ହୋଇଥିଲା। ଏହି ବିଲ୍ ଦେଶର ନିର୍ବାଚନ ମାନଚିତ୍ରକୁ ବଦଳାଇବାର ଏକ ପ୍ରୟାସ। ଏହି ବିଲ୍ SC, ST ଏବଂ OBC ସମ୍ପ୍ରଦାୟ ବିରୁଦ୍ଧରେ ଏବଂ ସେମାନଙ୍କର ଅଧିକାର ଛଡ଼ାଇ ନେବା ପାଇଁ ଉଦ୍ଦିଷ୍ଟ। ରାହୁଲ ଗାନ୍ଧୀ କହିଛନ୍ତି, ‘ସରକାର ଭୟଭୀତ। ସେମାନେ ଏହା ପୂର୍ବରୁ ଆସାମ ଏବଂ ଜମ୍ମୁ କାଶ୍ମୀରରେ କରିସାରିଛନ୍ତି, ଏବଂ ଏବେ ସରକାର ଏହା ସାରା ଦେଶରେ କରିବାକୁ ଚାହୁଁଛି।’ ଏହି ବିଲର ମହିଳା ସଶକ୍ତିକରଣ ସହିତ କୌଣସି ସମ୍ପର୍କ ନାହିଁ। ଆପଣ କ୍ଷମତା ହାସଲ କରିବାକୁ ଚେଷ୍ଟା କରୁଛନ୍ତି। ଏହି ବିଲ ରାଷ୍ଟ୍ର ବିରୋଧୀ। ଆମେ ସରକାରଙ୍କୁ ଏହା କରିବାକୁ ଦେବୁ ନାହିଁ। ଦକ୍ଷିଣ ଏବଂ ଉତ୍ତର ଭାରତରେ ଭେଦଭାବ କରାଯାଉଛି। ଦଳିତ ଏବଂ ଜନଜାତିଙ୍କ ଅଂଶଗ୍ରହଣ ହ୍ରାସ ପାଉଛି ବୋଲି ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀ।

Also Read: ‘ଲୋକସଭା ସିଟ ବଢ଼ିଲେ ଗଣତନ୍ତ୍ର ପାଇଁ ଶୁଭଙ୍କର...’: ନବୀନଙ୍କ ଚିଠିର ଉତ୍ତର ଦେଲେ ଆଇନ ମନ୍ତ୍ରୀ

ରାହୁଲ ଗାନ୍ଧୀ କହିଛନ୍ତି ଯେ, ‘ମହିଳାମାନେ ଆମର ଜାତୀୟ କଳ୍ପନାର ପ୍ରେରଣାଦାୟକ ଶକ୍ତି। ଆମେ ସମସ୍ତେ ଆମ ଜୀବନରେ ମହିଳାମାନଙ୍କଠାରୁ ଶିଖିଛୁ, ପ୍ରଭାବିତ ହୋଇଛୁ ଏବଂ ପ୍ରଚୁର ଜ୍ଞାନ ପାଇଛୁ।’ଏହି ବିଲ୍ ମହିଳାଙ୍କ ପ୍ରତିନିଧିତ୍ୱ ବିଷୟରେ କମ୍ ଏବଂ ନିର୍ବାଚନମଣ୍ଡଳୀ ପୁନଃନିର୍ମାଣ ମାଧ୍ୟମରେ ରାଜନୈତିକ ଇଞ୍ଜିନିୟରିଂ ବିଷୟରେ ଅଧିକ ବୋଲି ସେ କହିଛନ୍ତି । ରାହୁଲଙ୍କ ମତରେ, ସୀମା ପୁନଃନିର୍ଦ୍ଧାରଣ ପ୍ରସ୍ତାବ ନିର୍ବାଚନୀ ମାନଚିତ୍ରକୁ ଏପରି ଭାବରେ ପରିବର୍ତ୍ତନ କରିବ, ଯାହା ଶାସକ ବିଜେପିକୁ ଲାଭ ପହଞ୍ଚାଇବ ଏବଂ ସାମାଜିକ ନ୍ୟାୟ ଢାଞ୍ଚାକୁ ଦୁର୍ବଳ କରିବ। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଏହି ପଦକ୍ଷେପ ପଛୁଆ ବର୍ଗର ରାଜନୈତିକ ପ୍ରଭାବକୁ ହ୍ରାସ କରିବା ପାଇଁ ଡିଜାଇନ୍ କରାଯାଇଛି । ବିଲକୁ ସମାଲୋଚନା କରିବା ସହ ରାହୁଲ ଗାନ୍ଧୀ ସମାଜ ଏବଂ ରାଜନୀତିରେ ମହିଳାମାନଙ୍କ ଭୂମିକାକୁ ପ୍ରଶଂସା କରି କହିଛନ୍ତି ଯେ, ସେମାନେ ଦେଶର ପରିଚୟ ଏବଂ ପ୍ରଗତିରେ କେନ୍ଦ୍ରବିନ୍ଦୁ ।

‘ଯାଦୁଗର’ ଶବ୍ଦକୁ ନେଇ ହଙ୍ଗାମା

ନାରୀ ଶକ୍ତି ବନ୍ଦନା ଆଇନ ସଂଶୋଧନ ଉପରେ ଏକ ବିତର୍କ ସମୟରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଯାଦୁଗର’ ବୋଲି କହିଛନ୍ତି । ଶାସକ ଦଳ ତାଙ୍କ ବକ୍ତବ୍ୟକୁ ଦୃଢ଼ ବିରୋଧ କରିଛି ଏବଂ କ୍ଷମା ମାଗିବାକୁ ଦାବି କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ କହିଛନ୍ତି, ‘ମହାଶୟ, ସତ୍ୟ ହେଉଛି ଯାଦୁଗର ଧରାପଡ଼ିଛି। ବାଲାକୋଟର ଯାଦୁକର, ବିମୁଦ୍ରୀକରଣର ଯାଦୁକର, (ଅପରେସନ୍) ସିନ୍ଦୂରର ଯାଦୁଗର ଧରାପଡ଼ିଯାଇଛି । କାରଣ...’ । ରାହୁଲ ଗାନ୍ଧୀ ଆଉ କିଛି କହିବା ପୂର୍ବରୁ ଲୋକସଭାରେ ହଟ୍ଟଗୋଳ ହୋଇଥିଲା । ଶାସକ ଦଳ ତାଙ୍କ ବକ୍ତବ୍ୟର ତୀବ୍ର ବିରୋଧ କରିଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଠିଆ ହୋଇ କହିଲେ, ‘ଆମେ ରାହୁଲ ଗାନ୍ଧୀ ଜୀଙ୍କୁ ବାରମ୍ବାର ଅନୁରୋଧ କରିଛୁ ଯେ ବିରୋଧୀ ଦଳ ନେତା ଭାବରେ, ଆପଣ କହିବା ଉଚିତ କିନ୍ତୁ ନିୟମ ଅନୁସାରେ କହିବା ଉଚିତ। ଏହି ଦେଶର ୧୪୦ କୋଟି ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଅଯଥା କଥା କହି ସେ କ'ଣ ପ୍ରମାଣ କରିବାକୁ ଚାହୁଁଛନ୍ତି ?’