ନ୍ୟୁୟର୍କ : ଆମେରିକାରେ ମହମ୍ମଦ ୟୁନୁସଙ୍କୁ ଜୋରଦାର ବିରୋଧ । ନିକଟରେ ଆମେରିକା ଗସ୍ତ ସମୟରେ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ନେଇ ବିବାଦ ଦେଖାଦେଇଛି । ମହମ୍ମଦ ୟୁନୁସଙ୍କ ଆମେରିକା ଗସ୍ତକୁ ନେଇ ନୂଆ ବିବାଦ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରଲ ହେଉଛି । ନ୍ୟୁୟର୍କ ବିମାନବନ୍ଦରରେ କିଛି ଲୋକ ତାଙ୍କୁ ଘେରି ପ୍ରଶ୍ନ କରିଥିବା ଖବର ସାମ୍ନାକୁ ଆସିଛି। ଲୋକେ ତାଙ୍କୁ ଚାରିପଟୁ ଘେରି ଯାଇ ‘ଆପଣ ଏଠାକୁ କାହିଁକି ଆସିଛନ୍ତି?’ ବୋଲି ପ୍ରଶ୍ନ କରିବା ସହ ୟୁନୁସଙ୍କ ପ୍ରତିବାଦ କରାଯାଇଥିବା ଦାବି କରାଯାଉଛି। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ଘଟଣାଟି ୧୨ ଅକ୍ଟୋବର ୨୦୨୬ରେ ନ୍ୟୁୟର୍କର ଜନ୍ ଏଫ୍. କେନେଡି ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଥିବା ନେଇ ସମ୍ବାଦମାଧ୍ୟମରେ ରିପୋର୍ଟ ହୋଇଛି। ମହମ୍ମଦ ୟୁନୁସ ନ୍ୟୁୟର୍କ ବିମାନବନ୍ଦରରେ ପହଞ୍ଚିବା ସମୟରେ କିଛି ବ୍ୟକ୍ତି ତାଙ୍କୁ ଘେରି ବିଭିନ୍ନ ପ୍ରଶ୍ନ କରିଥିଲେ। ଏହି ସମୟରେ ତାଙ୍କ ଆମେରିକା ଗସ୍ତକୁ ନେଇ ଆପତ୍ତି ଉଠାଯାଇଥିବା ଦାବି କରାଯାଇଛି। ଭିଡିଓରେ କିଛି ବ୍ୟକ୍ତି ୟୁନୁସଙ୍କ ବିରୋଧରେ ସ୍ଲୋଗାନ ଦେଉଥିବା ଏବଂ ତାଙ୍କ ଆମେରିକା ଗସ୍ତର କାରଣ ପଚାରୁଥିବା ଦେଖାଯାଇଥିଲା । ଘଟଣାଟିକୁ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ଆଲୋଚନା କରାଯାଉଛି। ବାଂଲାଦେଶର ରାଜନୈତିକ ପରିସ୍ଥିତି ଏବଂ ଦେଶରେ ଚାଲିଥିବା ବିଭିନ୍ନ ପ୍ରସଙ୍ଗକୁ ନେଇ ମହମ୍ମଦ ୟୁନୁସ ସବୁବେଳେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାରେ ରହିଆସିଛନ୍ତି। ଏପରି ସ୍ଥିତିରେ ଆମେରିକାରେ ତାଙ୍କୁ ବିରୋଧ କରାଯାଇଥିବା ଖବର ବେଶ ଚର୍ଚ୍ଚାରେ ରହିଛି ।

ତେବେ ବିମାନବନ୍ଦରରେ ୟୁନୁସଙ୍କ ବିରୋଧରେ ଦେଖାଦେଇଥିବା ବିରୋଧ ପ୍ରଦର୍ଶନର ପ୍ରକୃତ କାରଣ ବିଷୟରେ କିଛି ସ୍ପଷ୍ଟ ଜଣାପଡିନାହିଁ । ଏଥିରେ ସାମିଲ ରହିଥିବା ଲୋକଙ୍କ ପରିଚୟ ଏବଂ ଘଟଣା ସମ୍ପର୍କରେ ୟୁନୁସଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିଛି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇପାରିନି । ଏହି ଘଟଣାର କୌଣସି ତଥ୍ୟ ନଥିବାରୁ ଏହାକୁ କିଛି ୟୁଜର୍ସ ଫେକ ଭିଡିଓ ବୋଲି ମଧ୍ୟ କହୁଛନ୍ତି । ତେବେ ଭିଡ଼ିଓର ଯାଞ୍ଚ ପରେ ଏହାର ସତ୍ୟତା ବିଷୟରେ ଜଣାପଡିବ ।