ନୂଆଦିଲ୍ଲୀ: ଧୀରେ ଧୀରେ ମଣିଷର ନିୟନ୍ତ୍ରଣରୁ ବାହାରକୁ ଚାଲିଯାଉଛି କି ମେସିନ୍‌ ? ଏମିତି ଏକ ଘଟଣା ବିଦେଶରେ ଘଟିଛି । ଯେଉଁଠି ଗୋଟିଏ ରୋବଟ୍‌ ଜଣେ ନାବାଳିକାଙ୍କୁ ଅସଦାଚରଣ କରିଛି । ସ୍ଥିତି ଏଭଳି ହେଲା ଯେ, ପୁଳିସ ଆସି ରୋବଟିକୁ ସିଜ୍‌ କରିଛି ଏବଂ ଏହାକୁ କମାଣ୍ଡ ଦେଉଥିବା ଦୁଇ ଜଣ ଯୁବକଙ୍କ ଫୋନ୍‌ ଜବତ କରିଛି । ଏହି ଅଜବ ଏବଂ ଚାଞ୍ଚଲ୍ୟକର ଘଟଣା ଜର୍ମାନୀରେ ଘଟିଛି । ଜଣେ ୧୬ ବର୍ଷର ଝିଅକୁ ଅଶ୍ଳୀଳ ଆଚରଣ ଅଭିଯୋଗରେ ପୁଲିସ୍ ଏକ Humanoid Robotକୁ ଜବତ କରିଛି। 

ଜର୍ମାନୀର କୋଲୋନ୍ ସହରରେ ଥିବା ଏକ  ରେଷ୍ଟୁରାଣ୍ଟ ବାହାରେ ରବିବାର ରାତି ପ୍ରାୟ ୧୧:୪୫ ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି। ସହରର ବ୍ୟସ୍ତବହୁଳ ହୋହେନ୍‌ଜୋଲେର୍ନରିଙ୍ଗ୍ ରାସ୍ତାରେ ନିଜ ସାଙ୍ଗମାନଙ୍କ ସହ ଛିଡ଼ା ହୋଇଥିଲେ ଜଣେ ୧୬ ବର୍ଷର ଝିଅ । ଏହି ସମୟରେ ଗୋଟିଏ ନାଲି ରଙ୍ଗର ରୋବଟ୍ ପଛପଟୁ ଆସି ନାବାଳିକାଙ୍କୁ ଅସଦାଚରଣ କରିଥିଲା। ଏହି ସମ୍ପୂର୍ଣ୍ଣ ଘଟଣାକୁ କ୍ୟାମେରାରେ ରେକର୍ଡ କରାଯିବା ସହ ସୋସିଆଲ୍ ମିଡିଆରେ ଲାଇଭ୍‌ଷ୍ଟ୍ରିମ୍ କରାଯାଉଥିଲା ବୋଲି ପୁଲିସ ଜାଣିବାକୁ ପାଇଛି।

ପ୍ରାୟ ୧.୨ ମିଟର ଉଚ୍ଚତାର ଏହି ରୋବଟ୍‌ ନାବାଳିକାଙ୍କ ନିକଟକୁ ଆସି ତାଙ୍କୁ ଆପତ୍ତିଜନକ ଭାବରେ ସ୍ପର୍ଶ କରିଥିଲା । ଏପରିକି ଏହା ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲା। ଏହା ପରେ ପୀଡ଼ିତା ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିଥିଲା। କୋଲୋନ୍ ପୁଲିସ୍ ଏକ କାର୍‌ ଡିକି ଭିତରୁ ସେହି ରୋବଟକୁ ପାଇଥିଲା । ତଦନ୍ତ ପାଇଁ ଦୁଇଟି ମୋବାଇଲ୍ ଫୋନ୍ ମଧ୍ୟ ନିଜ ଜବତ କରିଚି ପୁଲିସ । 

ରୋବଟର ମାଲିକ ଜଣେ ୧୬ ବର୍ଷୀୟ ନାବାଳକ ଏବଂ ତାଙ୍କର ଜଣେ ୧୯ ବର୍ଷୀୟ ସହଯୋଗୀ । ସେ ଦୁହେଁ ଘଟଣାର ଭିଡିଓ କରିବା ସହ ଲାଇଭ୍‌ଷ୍ଟ୍ରିମ୍ କରୁଥିଲେ ବୋଲି ଜଣାପଡ଼ିଛି । ରୋବଟଟି ସୁପରହିରୋ 'ଆଇରନ୍ ମ୍ୟାନ୍' ଭଳି ଦେଖାଯାଉଥିବାରୁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ରିମୋଟ୍ କଣ୍ଟ୍ରୋଲ୍ ଦ୍ୱାରା ପରିଚାଳିତ ଏହି ରୋବୋଟ୍‌ କିପରି ସେହି ସମୟରେ ନିୟନ୍ତ୍ରଣ କରାଯାଉଥିଲା ? ଜାଣିଶୁଣି ତାହାକୁ ନାବାଳିକାଙ୍କ ଆଡ଼କୁ ପଠାଯାଇଥିଲା କି ନାହିଁ ? ସେ ନେଇ ପୁଲିସ୍ ତଦନ୍ତ ଚଳାଇଛି।

ସାଧାରଣ ସ୍ଥାନରେ ଏଭଳି ରୋବଟର ବ୍ୟବହାର ଲୋକଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସ୍ ବର୍ତ୍ତମାନ ରୋବଟ୍ ଏବଂ ଫୋନଗୁଡ଼ିକୁ ସିଜ୍ କରି ଅଧିକ ତଥ୍ୟ ଆଦାୟ କରୁଛି। ତଦନ୍ତ ଶେଷ ହେବା ପରେ, ଏଭଳି ଘଟଣା ପଛରେ ପ୍ରକୃତ କାରଣ କଣ, କେଉଁମାନଙ୍କ ହାତ ରହିଛି ସେନେଇ ଜଣାପଡ଼ିବ ।