ନୂଆଦିଲ୍ଲୀ: କେନ୍ଦ୍ର ସରକାର ମନରେଗା ଯୋଜନା ସ୍ଥାନରେ ନୂଆ ଆଇନ ପ୍ରସ୍ତୁତିରେ ଲାଗିଛନ୍ତି । କଂଗ୍ରେସ ଏହାକୁ କଡ଼ା ସମାଲୋଚନା କରୁଛି । ଏହାରି ଭିତରେ ଶଶି ଥରୁର ମନରେଗାର ନାଁ ବଦଳାଇକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ଶନିବାର ଏକ୍ସ ପୋଷ୍ଟରେ ସେ କହିଛନ୍ତି, MGNREGA ନାଁ ପରିବର୍ତ୍ତନକୁ ନେଇ ସରକାରଙ୍କ ପ୍ରସ୍ତାବିତ ନୂଆ ଜୀ-ରାମ-ଜୀ ବିଧେୟକ ଉପରେ ବିବଦା ଦୁର୍ଭାଗ୍ୟପୂର୍ଣ୍ଣ ଅଟେ । ଗ୍ରାମ ସ୍ୱରାଜର ବିଚାର ଓ ରାମ ରାଜ୍ୟର ଆଦର୍ଶ କେବେ ବି ପ୍ରତିଦ୍ୱନ୍ଦ୍ୱୀ ଶକ୍ତି ନଥିଲେ, ତାହା ଗାନ୍ଧୀ ଜୀଙ୍କ ଚେତନାର ଦୁଇ ସ୍ତମ୍ଭ ଅଟେ । ଗ୍ରାମାଞ୍ଚଳ ଗରିବଙ୍କ ପାଇଁ ଯୋଜନାରେ ମହାତ୍ମାଙ୍କ ନାଁ ହଟାଇବା ଏହି ଗଭୀର ସହଜୀବନକୁ ଅଣଦେଖା କରୁଛି । ତାଙ୍କ ଶେଷ ନିଃଶ୍ୱାସ ରାମଙ୍କ ସାକ୍ଷୀ ଥିଲା, ଆସନ୍ତୁ ଆମେ ଏପରି ଏକ ବିଭାଜନ ସୃଷ୍ଟି କରି ତାଙ୍କ ଐତିହ୍ୟକୁ ଅପମାନିତ କରିବା ନାହିଁ ଯେଉଁଠାରେ କୌଣସି ବିଭାଜନ ନଥିଲା ।

ଅନ୍ୟପଟେ କଂଗ୍ରେସ ମନରେଗା ସ୍ଥାନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଆଇନର ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଛି । ସୋମବାର କଂଗ୍ରେସ ଦାବି କରିଛି ଯେ ଏହି ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାଁ ହଟାଇବା ଦର୍ଶାଉଛି ଯେ ବାପୁଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଲପାଇବା କେବଳ ଦେଖାଣିଆ । ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅଭିଯୋଗ କରିଛନ୍ତି ଯେ ଏହା ମନରେଗାକୁ ଶେଷ କରିବା ପାଇଁ ଷଡ଼ଯନ୍ତ୍ର ଓ ସରକାରଙ୍କ ଏହି ପଦକ୍ଷେପ ମହାତ୍ମା ଗାନ୍ଧୀଙ୍କ ଅପମାନ ଅଟେ । ସରକାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟ ଅଧିନିୟମକୁ ଶେଷ ଓ ଏହା ସହ ଜଡ଼ିତ ନୂଆ ଆଇନ ପାଇଁ ଲୋକସଭାରେ ବିଧେୟକ ଆଣିପାରେ ।

ନୂଆ ବିଧେୟକର ନାଁ "ବିକଶିତ ଭାରତ-ରୋଜଗାର ଓ ଆଜୀବିକା ଗ୍ୟାରେଣ୍ଟି (ଗ୍ରାମୀଣ)', (ବିକଶିତ ଭାରତ-ଜୀ ରାମ ଜୀ) ବିଧେୟକ, ୨୦୨୫ ହେବ । ବିଧେୟକର କପି ଲୋକସଭା ସଦସ୍ୟଙ୍କୁ ବଣ୍ଟା ଯାଇଛି ।