କୋଲକାତା: ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଶନିବାର ଟିଏମସି ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ମମତା ବାନାର୍ଜୀଙ୍କ ସରକାର ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେଉଛନ୍ତି । ବେଙ୍ଗଲର ଲୋକମାନେ ଟିଏମସିକୁ ଉପାଡ଼ି ଫୋପାଡ଼ିବେ । ଟିଏମସିର ବିଦାୟ ସମୟ ଆସିଛି । ମମତା ବାନାର୍ଜୀ ଯେତେ ଇଚ୍ଛା ସେତେ ବିରୋଧ କରିପାରିବେ। ଭୋଟର ତାଲିକାରୁ ଅନୁପ୍ରବେଶକାରୀଙ୍କୁ ହଟାଇବାକୁ ପଡିବ। ବିଜେପି ମୁଖ୍ୟମନ୍ତ୍ରୀ ଅବଶିଷ୍ଟ ଯେକୌଣସି ଅନୁପ୍ରବେଶକାରୀଙ୍କୁ ହଟାଇ ଦେବେ। ୨୦୨୬ ହେଉଛି ଟିଏମସିକୁ ବିଦାୟ ଦେବାର ବର୍ଷ ବୋଲି ଶାହ କହିଛନ୍ତି ।

ଶାହ କହିଛନ୍ତି, ୨୦୨୬ ହେଉଛି ଟିଏମସିକୁ "ବାଏ-ବାଏ" କହିବାର ବର୍ଷ। ଟିଏମସି କମ୍ୟୁନିଷ୍ଟମାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛି। ମୁଁ ଯେତେବେଳେ ପ୍ରଥମ ଥର ପାଇଁ ଆସିଥିଲି,କହିଥିଲିବିଜେପି ପଶ୍ଚିମବଙ୍ଗରେ ଏକ ବିଶାଳ ବହୁମତ ସହିତ ସରକାର ଗଠନ କରିବ। ସେତେବେଳେ ମମତା ବାନାର୍ଜୀ ମୋତେ ପରିହାସ କରିଥିଲେ। ଯେତେବେଳେ ପ୍ରଭୁ ରାମ ରାମ ସେତୁ ନିର୍ମାଣ କରିଥିଲେ, ରାବଣ ମଧ୍ୟ ସେହିପରି ଭାବରେ ତାଙ୍କୁ ପରିହାସ କରିଥିଲେ । ୨୦୨୪ ମସିହାରେ, ତିନି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ମୋଦୀ ଲଗାତାର ତୃତୀୟ ଥର ପାଇଁ ଏହି ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୨୪ ମସିହାରେ, ଆମେ ଆନ୍ଧ୍ର ପ୍ରଦେଶରେ ସରକାର ଗଠନ କରିଥିଲୁ। ଆମେ ଓଡ଼ିଶାରେ ସରକାର ଗଠନ କରିଥିଲୁ। ଆମେ ତୃତୀୟ ଥର ପାଇଁ ଅରୁଣାଚଳ ପ୍ରଦେଶରେ ସରକାର ଗଠନ କରିଥିଲୁ ବୋଲି ଶାହ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ‘୨୦୨୫ ମସିହାରେ, ଆମେ ୩୦ ବର୍ଷ ପରେ ହରିୟାଣା, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସରକାର ଗଠନ କରିଥିଲୁ। ୨୦୨୫ ଶେଷ ସୁଦ୍ଧା, ବିହାରରେ ବିପୁଳ ବହୁମତ ସହିତ ବିଜେପି ଏବଂ ଏନଡିଏ ସରକାର ଗଠନ ହୋଇଥିଲା। ସ୍ୱାଧୀନତା ସଂଗ୍ରାମରେ ଯେଉଁମାନେ ମୃତ୍ୟୁବରଣ କରିଥିଲେ ସେମାନଙ୍କର ଶେଷ ଶବ୍ଦ ଥିଲା ‘ବନ୍ଦେ ମାତରମ୍’। ମୋଦୀ ସରକାର ସାରା ଦେଶରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ବେଙ୍ଗଲ ମାଟିରେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା ‘ବନ୍ଦେ ମାତରମ୍’ । କିନ୍ତୁ ବିଡ଼ମ୍ବନା ଦେଖନ୍ତୁ, ସଂସଦରେ ସେହି ବନ୍ଦେ ମାତରମ୍ ଉପରେ ହେଉଥିବା ଚର୍ଚ୍ଚାକୁ ମମତା ବାନାର୍ଜୀଙ୍କ ସାଂସଦମାନେ ବିରୋଧ କରିଥିଲେ।’

ଆନନ୍ଦପୁରରେ ଅଗ୍ନିକାଣ୍ଡ କୌଣସି ଦୁର୍ଘଟଣା ନୁହେଁ। ୨୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୭ ଜଣ ନିଖୋଜ ଅଛନ୍ତି। ଏହା କାହିଁକି ଘଟିଲା ? ଏହି ମୋମୋ କାରଖାନାରେ କାହାର ଟଙ୍କା ବିନିଯୋଗ ହୋଇଛି ? ଏହାର ମାଲିକ କିଏ ବୋଲି ଶାହ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅଭିଯୋଗ କରିଛନ୍ତି, ଆନନ୍ଦପୁର ଗୋଦାମ ଅଗ୍ନିକାଣ୍ଡରେ ମମତା ବାନାର୍ଜୀଙ୍କ ଲୋକମାନେ ସମ୍ପୃକ୍ତ । ଯଦି ମମତା ବାନାର୍ଜୀ ଏହାକୁ ଲୁଚାଇବାକୁ ଚାହାଁନ୍ତି, ତେବେ ଏପ୍ରିଲ ପରେ ଯେତେବେଳେ ବିଜେପି ସରକାର କ୍ଷମତାକୁ ଆସିବ, ଆମେ ଏହି ଅଗ୍ନିକାଣ୍ଡ ପାଇଁ ଦାୟୀ ଲୋକଙ୍କୁ ଜେଲ ପଠାଇବୁ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ଅମିତ ଶାହ ।