କିଭ: ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମୀର ଜେଲେନସ୍କି କହିଛନ୍ତି ଯେ ଋଷିଆର ଚିନ୍ତାଧାରା ଓ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଆଭିମୁଖ୍ୟକୁ ତାଙ୍କ ଦେଶ ଆମେରିକା ଅପେକ୍ଷା ବେଶ ଭଲ ଭାବେ ବୁଝିପାରେ। ସେ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ଦେଶ୍ୟ ଋଷିଆ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବା, ହେଲେ ଶାନ୍ତି ହାସଲ ପାଇଁ ଉପାୟ ଉପରେ ଉଭୟ ନେତା ପୃଥକ ପୃଥକ ରାୟ ରଖନ୍ତି। ଜେଲେନସ୍କି ବୁଧବାର ବ୍ରିଟିଶ ସମ୍ବାଦପତ୍ର ‘ଦି ସନ୍’କୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି। ଜେଲେନସ୍କିଙ୍କ ଅନୁସାରେ ଋଷିଆ ସହିତ ୟୁକ୍ରେନର ଦୀର୍ଘ ଅନୁଭବ ତାକୁ ଋଷିଆ ନେତୃତ୍ୱର ମାନସିକତା ବୁଝିବାରେ ସହାୟତା କରୁଛି।

ଜେଲେନସ୍କି କହିଛନ୍ତି ଯେ ଯେତେବେଳେ ଋଷିଆର ଯୁଦ୍ଧ ସମାପ୍ତିର କଥା ଉଠୁଛି ସେତେବେଳେ ରାଷ୍ଟ୍ରପତି ଟ୍ରମ୍ପ ଓ ପୁଟିନ ଗୋଟିଏ ପଟେ ରହୁଛନ୍ତି। ହେଲେ ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ସେମାନଙ୍କ ପଦ୍ଧତୀ ଭିନ୍ନ। ପୁଟିନଙ୍କ ଚିନ୍ତାଧାରାର ଉଲ୍ଲେଖ କରି ଜେଲେନସ୍କି କହିଛନ୍ତି ଯେ ପୁଟିନଙ୍କ ମାନସିକତା ଓ ବାସ୍ତବିକତା ଉଭୟ ଉପରେ ସୋଭିୟେତ କାଳର ଗଭୀର ଛାପ ରହିଛି। ୟୁକ୍ରେନ ରାଷ୍ଟ୍ରପତିଙ୍କ ଏହି ତାଜା ବୟାନ ସାରା ବିଶ୍ୱରେ ଏବେ ହଲଚଲ ସୃଷ୍ଟି କରିଛି। ଜେଲେନସ୍କି ତାଙ୍କ ବୟାନରେ କହିଛନ୍ତି ଯେ ‘ମୋ ପିଢୀର ଜନ୍ମ ସୋଭିଏତ ସଂଘରେ ହୋଇଥିଲା, ଏଣୁ ଏହି ଚିନ୍ତାଧାରାକୁ ମୁଁ ଭଲ ଭାବେ ବୁଝି ପାରେ’।

ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ଯେ ପୁଟିନ ଯେବେ ମିଛ କୁହନ୍ତି, ସେ ଏହା ଜାଣି ଯାଆନ୍ତି। ସେ କହିଛନ୍ତି ଯେ ଏତେ ବର୍ଷରୁ ଆମେ ଋଷିଆ ପଡିଶାରେ ରହି ଆସୁଛୁ, ଏହି କାରଣରୁ ମୋତେ ଲାଗୁଛି ଆମେ ଋଷିୟଙ୍କୁ ଆମେରିକୀୟଙ୍କ ତୁଳନାରେ ଅଧିକ ସ୍ପଷ୍ଟ ରୂପେ ବୁଝି ପାରୁ। ଋଷିଆ ସହିତ ୟୁକ୍ରେନର ସିଧା ଓ ପୂର୍ବ ଅଭିଜ୍ଞତା ତାଙ୍କୁ ଋଷିଆ ନେତୃତ୍ୱର ବ୍ୟବହାରକୁ ବୁଝିବାରେ ସହାୟତା କରୁଛି। ଜେଲେନସ୍କି କହିଛନ୍ତି ଯେ ବୈଶ୍ୱିକ ସୁରକ୍ଷାକୁ ଧ୍ୟାନରେ ରଖି ଆମେରିକା ଋଷିଆ ସହିତ ଅଲଗା ଅଲଗା ପ୍ରସଙ୍ଗରେ ଆଲୋଚନା କରିପାରେ, କିନ୍ତୁ ୟୁକ୍ରେନ ପୁଟିନଙ୍କ ସହିତ ଋଷିଆ ସୈନିକ ଓ ସାଧାରଣ ନାଗରିକଙ୍କ ମାନସିକତାକୁ ବୁଝିପାରେ।

ଜେଲେନସ୍କି କହିଛନ୍ତି ‘ଆମେ ଜାଣୁ ସେମାନେ କେବେ କଣ କରିବା ଲାଗି ପ୍ରସ୍ତୁତ ହେଉଛନ୍ତି ଓ କେବେ ପୁଟିନଙ୍କ ଡରରେ ଏପରି କରନ୍ତି। ସେମାନେ ଜାଣନ୍ତି ଜେଲ ଯିବାର ବିପଦ ରହିଛି। ଯଦି ସେମାନେ ୟୁକ୍ରେନିୟଙ୍କୁ ମାରିବାକୁ ନ ଯାଆନ୍ତି ତେବେ ପୁଟିନ ତାଙ୍କ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବେ’। ଆମେରିକା ସହ ସମ୍ପର୍କ ଉପରେ କହିବାକୁ ଯାଇ ଜେଲେନସ୍କି ମାନିଛନ୍ତି ଯେ ଦୁଇ ଦେଶଙ୍କ ମଧ୍ୟରେ ରଣନୀତିକୁ ନେଇ ମତପାର୍ଥକ୍ୟ ରହିଛି। ଏଣୁ ରାଷ୍ଟ୍ରପତି ଟ୍ରମ୍ପ କିଛି ପ୍ରସଙ୍ଗରେ ଆମର ସମର୍ଥନ କରିଛନ୍ତି, ତେବେ କିଛି ଅନ୍ୟ ପ୍ରସଙ୍ଗରେ ଆମର ବିଚାର ପୃଥକ। ଜେଲେନସ୍କିଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ପ୍ରଥମ ମହିଳା ମେଲେନିଆ ଟ୍ରମ୍ପ ଋଷିଆ-ୟୁକ୍ରେନ ଯୁଦ୍ଧରେ ସିଜଫାୟାର ଘୋଷଣା କରିଛନ୍ତି। ମେଲେନିୟାଙ୍କ ଅନୁସାରେ ଏହି ସିଜ୍ ଫାୟାର ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ ଲାଗୁ ହୋଇଛି, ଯାହା ଦ୍ୱାରା ଯୁଦ୍ଧ ପ୍ରଭାବିତ କ୍ଷେତ୍ରର ଲୋକଙ୍କୁ ମାନବୀୟ ସହାୟତା ପହଞ୍ଚା ଯାଇ ପାରିବ।

ଏ ନେଇ ମେଲିନିୟା ଟ୍ରମ୍ପ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ଯୁଦ୍ଧ ବିରାମ ଆରମ୍ଭ ହୋଇଯାଇଛି। ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବିରାମ ୨୭ ଅକ୍ଟୋବର ୨୦୨୬ ମସ୍କୋ ସମୟ ଅନୁସାରେ ଭୋର ୪ଟାରୁ ଲାଗୁ ହେଲା। ସାଧାରଣ ନାଗରିକଙ୍କୁ ସୁରକ୍ଷା ଓ ଜରୁରି ମାନବୀୟ ସହାୟତା ପହଞ୍ଚାଇବା ଲାଗି ଏହାକୁ ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ ଲାଗୁ କରାଯାଇଛି। ମେଲେନିୟା କହିଛନ୍ତି ଯେ ଖେରସାନ ପ୍ରାନ୍ତର ଓଲେସ୍କିରୁ ଆଗକୁ ସିଜଫାୟାରର ଭୌଗଳିକ ପରିସର ବୃଦ୍ଧି କରାଯାଇଛି, ଯାହାଦ୍ୱାରା ମାନବିକ ସହାୟତା ନେଇ ଯାଉଥିବା ବାହନଙ୍କୁ ରାସ୍ତା ମିଳିପାରିବ। ମେଲେନିୟାଙ୍କ ଅନୁସାରେ ଋଷିଆ ସଶସ୍ତ୍ର ବଳର ଜେନେରାଲ ଷ୍ଟାଫ ପ୍ରମୁଖ ଜେନେରାଲ ଭାଲେରୀ ଭାସିଲିଭିଚ୍ ମଧ୍ୟ ଏହାକୁ ପୁଷ୍ଟି କରିଛନ୍ତି।