ନୂଆଦିଲ୍ଲୀ: ଅତି ଭକ୍ତି ଚୋର ଲକ୍ଷଣ। ପାକିସ୍ତାନ ବର୍ତ୍ତମାନ ଚୀନ ପ୍ରତି ସେହିଭଳି ଅତି ଭକ୍ତି ଦେଖାଉଛି। ବିଶ୍ୱର ପ୍ରଥମ ଦେଶ ଭାବେ ପାକିସ୍ତାନ ବେଜିଂର ୱାନ ଚାଇନା ପଲିସିକୁ ସମର୍ଥନ କରି ତାଇୱାନ ଏୟାରଲାଇନ୍ସ ପାଇଁ ଏହାର ଆକାଶ ମାର୍ଗକୁ ବନ୍ଦ କରି ଦେଇଛି। ଆଶ୍ଚର୍ଯ୍ୟର କଥା ହେଲା ଖୋଦ୍ ଚୀନ କିନ୍ତୁ ଏଭଳି ନିଷ୍ପତ୍ତି ନେଇ ନାହିଁ। ହେଲେ ପାକିସ୍ତାନ ଅନ୍ତର୍ଜାତୀୟ ବିମାନ ଚଳାଚଳ କ୍ଷେତ୍ରରେ ଚୀନ୍ ପ୍ରତି କୂଟନୈତିକ ସମର୍ଥନ ଦେଇ ଏହି ନିଷ୍ପତ୍ତି ନେଇଛି। ଏହା ପାକିସ୍ତାନର ଅତି ଭକ୍ତି ଚୋର ଲକ୍ଷଣ ବୋଲି କୁହାଯାଉଛି।

ପାକିସ୍ତାନର ଏହି ନିଷ୍ପତ୍ତି ପରେ ତାଇୱାନ ବାଧ୍ୟ ହୋଇ ଏସିଆ ଏବଂ ୟୁରୋପ ମଧ୍ୟରେ ଏହାର ବିମାନ ଚଳାଚଳର ମାର୍ଗ ପରିବର୍ତ୍ତନ କରିଛି। ପରିଣାମ ସ୍ୱରୁପ ଏବେ ତାଇୱାନ ଏୟାରଲାଇନ୍ସଗୁଡ଼ିକୁ ଅଧିକ ଦୂର ଯାତ୍ରା କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ପଡ଼ିବ। ଏଥିପାଇଁ ଅଧିକ ଖର୍ଚ୍ଚ ମଧ୍ୟ ହେବ।

Also Read- ତୀବ୍ବତରେ ୨୦୦ରୁ ଅଧିକ ଭିକ୍ଷୁଙ୍କ ଘର ଭାଙ୍ଗିଲା ଚୀନ୍, ଧାର୍ମିକ ସ୍ୱାଧୀନତାକୁ ନେଇ ବଢିଲା ଚିନ୍ତା

ପାକିସ୍ତାନର ଏହି ନିଷ୍ପତ୍ତି ସମ୍ପର୍କରେ ଏହାର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫ ସୂଚନା ଦେଇଛନ୍ତି। ବୁଧବାର ବ୍ଲୁମବର୍ଗକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି “ଆମର ବିମାନ ବିଭାଗ ୱାନ ଚୀନ୍ ନୀତି ପାଳନ କରେ। କେବଳ ମେନଲ୍ୟାଣ୍ଡ ଚାଇନାକୁ ହିଁ ଅନୁମତି ଦିଆଯାଇଛି। ଆମେ କେବଳ ଚୀନ୍ ବିମାନ ସେବାକୁ ପାକିସ୍ତାନ ଉପରେ ଉଡ଼ାଣ କରିବାକୁ ଅନୁମତି ଦେଇଛୁ।”

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ପାକିସ୍ତାନ ବିଶ୍ୱର ପ୍ରଥମ ଦେଶ ଭାବେ ଚୀନ ପ୍ରତି ଏଭଳି ଆନୁଗତ୍ୟ ଦେଖାଇ ତାଇୱାନ ଏୟାରଲାଇନ୍ସକୁ ବ୍ୟାନ କରିଛି। ଅକ୍ଟୋବର ୨୫ ସକାଳ ଠାରୁ ତାଇୱାନ ଚାଇନା ଏୟାରଲାଇନ୍ସ ଲିମିଟେଡ୍ ଏବଂ ଇଭା ଏୟାରୱେଜ୍ କର୍ପୋରସେନର ଗୋଟିଏ ବି ବିମାନ ପାକିସ୍ତାନ ଏୟାରସ୍ପେଶ୍ ଦେଇ ଉଡ଼ାଣ କରି ନାହିଁ।