ଧର୍ମଶାଳା: ଚୀନ୍ ଅଧିକାରୀମାନେ ପୂର୍ବ ତୀବ୍ବତର ଐତିହାସିକ ଦଜା ସେରଶୁଲ ମଠରେ ୨୦୦ରୁ ଅଧିକ ଭିକ୍ଷୁ ବସବାସ କରୁଥିବା ଘରକୁ ଲକ୍ଷ୍ୟ କରି ଏକ ବିଶାଳ ଘରଭଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି। ରେଡିଓ ଫ୍ରି ଏସିୟା (ଆରଏଫଏ) ଓ କେନ୍ଦ୍ରୀୟ ତୀବ୍ବତ ପ୍ରଶାସନ ଏହି ଖବର ପୁଷ୍ଟି କରିଛି। ଚୀନ୍ ଅଧିକାରୀଙ୍କ ଏହି କାର୍ଯ୍ୟାନୁଷ୍ଠାନ ଧାର୍ମିକ ସ୍ୱାଧୀନତା ତଥା ତୀବ୍ବତୀୟ ସାଂସ୍କୃତିକ ସଂରକ୍ଷଣକୁ ନେଇ ଚିନ୍ତା ବଢାଇ ଦେଇଛି। ସେରଶୁଲ କାଉଣ୍ଟିର କାର୍ଜେ କ୍ଷେତ୍ରରେ ଏହି ଘରଭଙ୍ଗା ଅଭିଯାନ ୨୫ ଅଥବା ୨୬ ଅକ୍ଟୋବରରେ ଆରମ୍ଭ ହୋଇଥିବା ଜଣାପଡିଛି।

ତେବେ ତୀବ୍ବତରେ ଚୀନ୍ ସରକାରଙ୍କ ଏପରି କାର୍ଯ୍ୟ କିଛି ନୂଆ ନୁହେଁ। ଏହା ପୂର୍ବରୁ ଜୁଲାଇ ୨୦୧୬ରେ ଲାରୁଙ୍ଗାର, ଅଗଷ୍ଟ ୨୦୧୭ରେ ୟେଚେନଗାର ଓ ଜୁଲାଇ ୨୦୧୯ରେ ଏପରି ଅଭିଯାନ ସବୁ ଦେଖା ଯାଇଥିଲା। ଏହିସବୁ କାର୍ଯ୍ୟାନୁଷ୍ଠାନ ତୀବ୍ବତ ଧାର୍ମିକ ସ୍ଥଳଙ୍କ ଉପରେ ସରକାରଙ୍କ ଚାପର ଏକ ପ୍ୟାଟର୍ଣ୍ଣ ଦର୍ଶାଉଛି। ଏହାଛଡା ତୀବ୍ବତରେ ଅନେକ ଶିକ୍ଷଣ ସଂସ୍ଥା ବନ୍ଦ କରିଦିଆଯାଇଥିବାର ମଧ୍ୟ ରିପୋର୍ଟ ଆସୁଛି। ଏଥିରେ ଜୁଲାଇ ୨୦୨୪ରେ ରାଖ୍ୟାଗୋଙ୍ଗଜୋଙ୍ଗ ଶେରିଗ ନୋରବୁ ଲୌବଲିଂ ସ୍କୁଲ, ଅଗଷ୍ଟ ୨୦୨୬ରେ ରାଖ୍ୟା ଜିଗ୍ମେ ଗ୍ୟାଲ୍ଟସେନ୍ ଗ୍ରାସଲ୍ୟାଣ୍ଡ ଗାର୍ଲସ୍ ସ୍କୁଲ ଓ ସେପ୍ଟେମ୍ବର ୨୦୨୬ରେ ଗୌଲୌକତାଦ୍ରଖ ଅନାଥ ସ୍କୁଲକୁ ବନ୍ଦ କରିଦିଆଯାଇଛି।

ଏହିସବୁ ସ୍କୁଲ ତୀବ୍ବତୀୟ ଭାଷା ଶିକ୍ଷା, ପାରମ୍ପରିକ ସାଂସ୍କୃତିକ ନିର୍ଦ୍ଦେଶ ଓ ବ୍ୟବସାୟୀକ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲେ। ତୀବ୍ବତରେ ଧାର୍ମିକ ଶିକ୍ଷାକୁ ନେଇ ଅନେକ ବର୍ଷରୁ ଚିନ୍ତା ରହି ଆସିଛି। ୨୦୧୮ ମସିହାରେ ଦଜା ସେରଶୁଲ ମଠରୁ ୨୦୦ରୁ ଅଧିକ ନାବାଳକ ଭିକ୍ଷୁଙ୍କୁ କଥିତ ଭାବେ ନିଷ୍କାସିତ କରିଦିଆଯାଇଥିଲା। ଏହି ପିଲାମାନଙ୍କୁ ସରକାରଙ୍କ ଦ୍ୱାରା ସଞ୍ଚାଳିତ ବିଦ୍ୟାଳୟରେ ଦାଖଲ କରାଯାଇଥିଲା। ତୀବ୍ବତ ମାନବାଧିକାର ଓ ଗଣତନ୍ତ୍ର କେନ୍ଦ୍ର ଅନୁସାରେ ମଠ ମାନଙ୍କୁ ବନ୍ଦ କରିବା ଓ ଧାର୍ମିକ ନେତାମାନଙ୍କୁ ଅଟକ ଭଳି ସମ୍ଭାବିତ ଦଣ୍ଡ ଦ୍ୱାରା ନିୟମ ପାଳନ କରିବାକୁ ବାଧ୍ୟ କରାଯାଉଛି।