ନୂଆଦିଲ୍ଲୀ: କ୍ରିକେଟକୁ କାହିଁକି ଅନିଶ୍ଚିତତାର ଖେଳ କୁହାଯାଏ ତାର ଏକ ଜ୍ଵଳନ୍ତ ଉଦାହରଣ ତ୍ରିରାଷ୍ଟ୍ରୀୟ ସିରିଜରେ ଦେଖିବାକୁ ମିଳିଛି। ଏକଦା ପାକିସ୍ତାନ ଦଳ ପରାଜୟର ଦ୍ଵାର ଦେଶରେ ଥିଲା। ମାତ୍ର ଗୋଟିଏ ରିଭ୍ୟୁ ପୂରା ମ୍ୟାଚର ଦୃଶ୍ୟପଟ୍ଟ ବଦଳାଇ ଦେଲା। ଇଂଲଣ୍ଡ ବନାମ ପାକିସ୍ତାନ ମ୍ୟାଚ୍ ଏମିତି ଥିଲା, ଯାହା ରୋମାଞ୍ଚ ଏବଂ ସଂଘର୍ଷର ସବୁ ସୀମା ଡେଇଁ ଯାଇଛି। ପ୍ରତିଟି ବଲ୍ ସହ ମ୍ୟାଚର ପରିଣାମ ଆସିବାର କଳ୍ପନା କରାଯାଉଥିଲା।

ଲାହୋରରେ ଖେଳା ଯାଇଥିବା ଏହି ମ୍ୟାଚରେ ଜବରଦସ୍ତ ଡ୍ରାମା ଦେଖିବାକୁ ମିଳିଛି। ପାକିସ୍ତାନର ଟିମ୍ ଇଂଲଣ୍ଡ ଦ୍ଵାରା ଧାର୍ଯ୍ୟ  ୨୪୨ ରନର ବିଜୟ ଲକ୍ଷ୍ୟ ପିଛା କରୁଥିଲା। ଏକଦା ପାକିସ୍ତାନ ୯ ଓ୍ଵିକେଟ୍ ହରାଇ ୧୫୪ ରନ କରି ପରାଜୟର ଦ୍ଵାର ଦେଶରେ ଥିଲା। ଲାଗୁଥିଲା ଇଂଲଣ୍ଡ ବଡ଼ ବ୍ୟବଧାନରେ ମ୍ୟାଚ୍ ଜିତିବ। ମାତ୍ର ଆଠ ନମ୍ବରରେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିବା ଶାଦାବ ଖାନ ହାରିସ ରଉଫ(ଅପରାଜିତ ୭ ରନ)ଙ୍କ ସହିତ ୧୦ମ ଓ୍ଵିକେଟ୍ ପାଇଁ ୮୦ ବଲରୁ ୮୯ ରନ ଭାଗିଦାରୀ କରି ପାକିସ୍ତାନକୁ ଅବିଶ୍ଵସନୀୟ ବିଜୟ ଦେଇଛନ୍ତି। ଶାଦାବ ୯୬ ବଲରୁ ୫ ଛକା ଓ ୧୩ ଚୌକା ସହ ୧୧୩ ରନର ଅପରାଜିତ ଶତକୀୟ ଇନିଂସ ଖେଳିଛନ୍ତି।

Also Read: ତୃତୀୟ ଟି-୨୦ରୁ ବାଦ୍ ପଡ଼ିଲେ ଇଶାନ କିଶନ, ବଦଳ ଖେଳାଳି ଘୋଷଣା କଲା BCCI

ଶାଦାବଙ୍କ ନିଷ୍ପତ୍ତି ଓଲଟାଇ ଦେଲା ମ୍ୟାଚ୍

ମ୍ୟାଚରେ ଏମିତି ଏକ ମୁହୂର୍ତ୍ତ ଥିଲା, ଯେତେବେଳେ ଇଂଲଣ୍ଡ ବିଜୟର ଉତ୍ସବ ମନାଇବା ଆରମ୍ଭ କରି ଦେଇଥିଲା। ଇଂଲଣ୍ଡର ଦ୍ରୁତ ବୋଲର ଗସ୍ ଏଟଙ୍କିନସନ ଏକ ୟର୍କର ବଲ୍ ପକାଇଥିଲେ ଯାହାକୁ  ଶାଦାବ ଖେଳି ପାରି ନ ଥିଲେ ଏବଂ ବଲ୍ ଯାଇ ସିଧା ପ୍ୟାଡରେ ବାଜିଥିଲା। ଇଂଲଣ୍ଡ ଖେଳାଳି ଜୋରଦାର ଅପିଲ୍ କରିଥିଲେ ଏବଂ ଅମ୍ପାୟର ତାଙ୍କୁ ଆଉଟ୍ ଘୋଷିତ କରିଥିଲେ। ଇଂଲଣ୍ଡ ମ୍ୟାଚ୍ ଜିତି ନେଇଥିଲା। ସ୍କୋର ବୋର୍ଡରେ ମଧ୍ୟ ଲେଖାଗଲା ଇଂଲଣ୍ଡ ମ୍ୟାଚକୁ ୨୦ ରନରେ ଜିତି ନେଇଛି। ଇଂଲଣ୍ଡ ଟିମ୍ ଉତ୍ସବ ମନାଇବା ଆରମ୍ଭ କରିଥିଲା। ଖେଳାଳି ପରସ୍ପର ସହ ହାତ ମିଳାଇ ଚାଲିଥିଲେ। ଶାଦାବ ଖାନ ପାଭିଲିୟନ ଅଭିମୁଖେ ଫେରୁଥିଲେ। ସମସ୍ତେ ମାନି ଯାଇଥିଲେ ଯେ, ମ୍ୟାଚ୍ ଶେଷ ହୋଇଛି ଏବଂ ଇଂଲଣ୍ଡ ମ୍ୟାଚ୍ ଜିତି ନେଇଛି।  ଶାଦାବ ଖାନ ନିରାଶ ଜଣା ପଡ଼ୁଥିଲେ, କାରଣ ଏହା ଶେଷ ଓ୍ଵିକେଟ୍ ଥିଲା। ତେଣୁ ସେ ରିଭ୍ୟୁ ନେଇଗଲେ।

DRS ବଦଳାଇ ଦେଲା ମ୍ୟାଚର ଗତିପଥ

ଏହି ସମୟରେ ମ୍ୟାଚରେ ଆସିଥିଲା ଏକ ନୂଆ ମୋଡ଼। ଟିଭିରେ ବ୍ୟାଟରେ ଏଜ୍ ଲାଗିଥିବା ସ୍ପଷ୍ଟ ଦେଖିବାକୁ ମିଳିଥିଲା। ଏହାର ଅର୍ଥ ଶାଦାବ ଖାନ ଅଉଟ୍ ହେବାରୁ ବଞ୍ଚି ଯାଇଛନ୍ତି। ଏହା ଦେଖି ଶାଦାବ ନିଜକୁ ବିଶ୍ଵାସ କରି ପାରି ନ ଥିଲେ। ରିଭ୍ୟୁ ତାଙ୍କୁ ଜୀବନଦାନ ଦେଇଥିଲା। ଏହା ସହ ଷ୍ଟାଡିୟମରେ ପୁଣି ଥରେ ଉତ୍ତେଜନା ବଢିଥିଲା। କିଛି ସମୟର ନିରାଶ ପାକିସ୍ତାନ ପାଇଁ ଖୁସିରେ ବଦଳିଗଲା। ଶେଷରେ ଶାଦାବଙ୍କ ଐତିହାସିକ ଏବଂ ସ୍ମରଣୀୟ ଅପରାଜିତ ଶତକ ବଳରେ ପାକିସ୍ତାନ ମ୍ୟାଚ୍ ଜିତିବାରେ ସଫଳ ହୋଇଛି।

ପ୍ରଶ୍ନ ଉଠାଇଲା ଇଂଲଣ୍ଡ

ଇଂଲଣ୍ଡର କହିବା କଥା ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ବ୍ୟବଧାନ ଥିଲା।  ସେମାନେ ଭାବୁଛନ୍ତି ଯେ, ଅଲଟ୍ରାଏଜରେ କିଛି ଗଡ଼ବଡ଼ ହୋଇପାରେ। ଇଂଲଣ୍ଡ ପ୍ରଯୁକ୍ତିବିଦ୍ୟା ଉପରେ ପ୍ରଶ୍ନ ଉଠାଇଛି, ମାତ୍ର ଭାଗ୍ୟ ପାକିସ୍ତାନ ସହିତ ରହିଥିଲା। ଶାଦାବ ଏକ ସ୍ମରଣୀୟ ଇନିଂସ ଖେଳି ପାକିସ୍ତାନକୁ ରୋମାଞ୍ଚକର ବିଜୟ ଦେଇଛନ୍ତି। ପ୍ରଶଂସକ ଚକିତ ଥିଲେ, କ୍ରିକେଟ୍ ଜଗତ ସ୍ତବ୍ଧ ଥିଲା, ଆଉ ଲାହୋରରେ କ୍ରିକେଟର ରୋମାଞ୍ଚ ଚରମରେ ଥିଲା।

Also Read: ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ, ଖୁସି ହେଲେ ପାକିସ୍ତାନୀ ଭେଟେରାନ୍ ! କହିଲେ...

ଇଂଲଣ୍ଡ ମ୍ୟାଚ୍‌ରେ ୨୪୧ ରନ୍ କରିଥିଲା। ଜବାବରେ ପାକିସ୍ତାନ ୪୭.୧ ଓଭରରେ ୨୪୩ ରନ୍ କରି ମ୍ୟାଚ୍ ଜିତି ନେଇଛି। ଶାଦାବ ଖାନ ୯୬ ବଲ୍‌ରେ ୧୩ ଚୌକା ଏବଂ ୫ ଛକା ସହାୟତାରେ ଅପରାଜିତ ୧୧୩ ରନ୍ କରି ପାକିସ୍ତାନର ଇନିଂସର ନେତୃତ୍ୱ ନେଇଥିଲେ। ତାଙ୍କର ଚମତ୍କାର ଇନିଂସ ପାଇଁ ଶାଦାବ ଖାନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା।