ଭୁବନେଶ୍ବର ୨୬।୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ‘ଅର୍ଣ୍ଣବ’ରେ ପରିଣତ ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରି ସୋମବାର ସକାଳ ସାଢ଼େ ୫ଟା ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଏହା ବିଶାଖାପାଟଣା ଠାରୁ ୬୫୦ କିଲୋମିଟର ଦୂରରେ ରହିଛି ।

ସୋମବାର ମଧ୍ୟରାତ୍ରି ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟା ଏବଂ ମଙ୍ଗଳବାର ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବ । ଏହାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୮ ଅକ୍ଟୋବର ପୂର୍ବାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ବାପଟ୍ଟଲା ଏବଂ ବିଶାଖାପାଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କି.ମି. ଏବଂ ସର୍ବାଧିକ ୧୪୦ କି.ମି. ପର୍ଯ୍ୟନ୍ତ ରହିବ । ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ‘ରେଡ୍ ୱାର୍ଣ୍ଣିଂ’ ଜାରି କରାଯାଇଛି ।

Also Read:- ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର କ୍ୟାବିନେଟ୍ ସଚିବ, ଦକ୍ଷିଣ ଓଡ଼ିଶା ଉପରେ ଫୋକସ୍

ତେବେ, ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ଏ ନେଇ ସମୀକ୍ଷା ମଧ୍ୟ କରିଛନ୍ତି । ଏସ୍ଆର୍ସି କହିଛନ୍ତି ରାଜ୍ୟରେ ୮ NDRF, ୪୦ ODRAF ଟିମ୍ ବର୍ତ୍ତମାନ ସୁଦ୍ଧା ମୁତୟନ ହୋଇଛନ୍ତି । ସ୍ଥଳସେନା ଓ ବାୟୁସେନା ସହ ରାଜ୍ୟ ସରକାର ଯୋଗାଯୋଗରେ ରହିଛନ୍ତି । ଜିଲ୍ଲାରେ ସମସ୍ତ ଜିଲ୍ଲାପାଳ ସଜାଗ ରହିଛନ୍ତି । ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲା ସହ କଳାହାଣ୍ଡି, ନୂଆପଡ଼ା ଓ କନ୍ଧମାଳ ପ୍ରଭାବିତ ହୋଇପାରେ । ୧୩୫ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ସମୁଦ୍ର ଉପକୂଳବର୍ତ୍ତୀ ଲୋକେ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର ହୋଇପାରନ୍ତି ବୋଲି ଏସ୍ଆର୍ସି କହିଛନ୍ତି ।

Watch Video: