ଭୁବନେଶ୍ବର ୨୬।୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇସାରିଛି ବାତ୍ୟା ‘ଅର୍ଣ୍ଣବ’ । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ଏହା ଗୋପାଳପୁର ଠାରୁ ୫୮୦ କି.ମି. ଦୂରରେ ରହିଛି । ଘଣ୍ଟା ପ୍ରତି ୧୫ କି.ମି. ବେଗରେ ପଶ୍ଚିମ ଦିଗରେ ଆଗକୁ ବଢୁଛି ଅର୍ଣ୍ଣବ । ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନ ୬୫ରୁ ୭୫ କି.ମି. ବେଗରେ ରହୁଥିବା ବେଳେ ଝଟ୍କା ପବନ ୮୫ କି.ମି. ଯାଏଁ ରହୁଛି l ସୋମବାର ମଧ୍ୟ ରାତି ସୁଦ୍ଧା ଭୀଷଣ ବାତ୍ୟା ଏବଂ ୨୭ ତାରିଖରେ ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ଅର୍ଣ୍ଣବ ।

ଏହାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୮ ଅକ୍ଟୋବର ପୂର୍ବାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ବାପଟ୍ଟଲା ଏବଂ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କି.ମି. ଏବଂ ସର୍ବାଧିକ ୧୪୦ କି.ମି ପର୍ଯ୍ୟନ୍ତ ରହିବ । ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ‘ରେଡ୍ ୱାର୍ଣ୍ଣିଂ’ ଜାରି କରାଯାଇଛି ।

ଆନ୍ଧ୍ର ଆଡ଼କୁ ମୁହାଁଇବ ବାତ୍ୟା । କିନ୍ତୁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । ସ୍ଥଳଭାଗ ଛୁଇଁବା ପରେ ଏହା ଉତ୍ତର ଆଡ଼କୁ ଅଗ୍ରସର ହେବ । ଅର୍ଥାତ ଓଡ଼ିଶା ଛତିଶଗଡ଼ ସୀମା ଦେଇ ଗତି କରିବ । ୨୭ ତାରିଖରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ୨୮ ତାରିଖରେ ସମଗ୍ର ରାଜ୍ୟରେ ବର୍ଷା ହେବାକୁ ଥିବାବେଳେ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ୨୦ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଅଛି । ବାତ୍ୟା ପାଇଁ ଓଡ଼ିଶାର ୫ ଜିଲ୍ଲା ବେଶୀ ପ୍ରଭାବିତ ହୋଇପାରେ । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି । ଏହି ୫ ଜିଲ୍ଲାକୁ କ୍ୟାଟେଗୋରୀ-୧ରେ ରଖି ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର ।

Also Read:- ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି TPCODLର ବ୍ୟାପକ ପ୍ରସ୍ତୁତି, ବିଦ୍ୟୁତ୍ ବିଭ୍ରାଟ ହେଲେ ଡାଏଲ୍ କରନ୍ତୁ ୧୯୧୨

୫ ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍, ଏନ୍ଡିଆରଏଫ୍ ଟିମ୍ ମୁତୟନ । ୫ଟି ଜିଲ୍ଲାରେ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ୨୮ ଓ ୨୯ ତାରିଖ ଦିନ ବନ୍ଦ ରହିବ । ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ଜିଲ୍ଲାସ୍ତରୀୟ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସମସ୍ତ ଅଧିକାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ କୁହାଯାଇଛି । କଚ୍ଚାଘର, ଝୁମ୍ପଡ଼ି ଓ ନିମ୍ନ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ନିରାପଦ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ କ୍ୟାଟେଗୋରୀ-୨ରେ ରଖାଯାଇଛି ।