Sugauli Treaty Papers Missing: ଭାରତ-ନେପାଳ ମଧ୍ୟରେ ଦୀର୍ଘଦିନ ଧରି ଚାଲିଆସୁଥିବା ସୀମା ବିବାଦର ମୂଳରେ ରହିଛି ପ୍ରାୟ ୨୧୦ ବର୍ଷ ପୁରୁଣା ସୁଗୌଲି ଚୁକ୍ତି। କିନ୍ତୁ ଏବେ ଏହି ଚୁକ୍ତିର ମୂଳ ଦସ୍ତାବିଜ ନେପାଳ ପାଖରେ ଅଛି କି ନାହିଁ, ସେନେଇ ନିଜେ ନିଶ୍ଚିତ ନୁହେଁ। ନେପାଳ ସରକାର ସଂସଦରେ ଏହା ସ୍ୱୀକାର କରିଛି। ଏହା ସାମ୍ନାକୁ ଆସିବା ପରେ ଲିପୁଲେଖ, କାଲାପାଣି ଓ ଲିମ୍ପିୟାଧୁରାକୁ ନେଇ ଚାଲିଥିବା ଭାରତ-ନେପାଳ ସୀମା ବିବାଦ ପୁଣି ଚର୍ଚ୍ଚାକୁ ଆସିଛି।

ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ କହିଛନ୍ତି ଯେ, ସରକାର ପାଖରେ ୧୮୧୬ର ସୁଗୌଲି ଚୁକ୍ତିର ମୂଳ କାଗଜପତ୍ର ରହିଛି କି ନାହିଁ, ତାହା ସ୍ପଷ୍ଟ ଭାବେ କହିହେବ ନାହିଁ। ଜାତୀୟ ଅଭିଲେଖାଗାରରେ ଏହି ଚୁକ୍ତି ସମ୍ପର୍କିତ କିଛି ଦସ୍ତାବିଜ ଥିବା ରେକର୍ଡ ରହିଛି, କିନ୍ତୁ ସେଗୁଡ଼ିକ ହିଁ ମୂଳ ଅଧିକୃତ ଚୁକ୍ତି କି ନୁହେଁ, ତାହା ନେଇ ସରକାର ନିଶ୍ଚିତ ନୁହେଁ।

କେଉଁଠି ଅଛି ସୁଗୌଲି ଚୁକ୍ତିର ମୂଳ କପି?

ସୁଗୌଲି ଚୁକ୍ତି ସହ ଜଡ଼ିତ ଦସ୍ତାବିଜ ଖୋଜିବା ପାଇଁ ନେପାଳ ପକ୍ଷରୁ ଦୀର୍ଘଦିନ ଧରି ପ୍ରୟାସ କରାଯାଉଛି। ୨୦୧୬ରେ ଭାରତ-ନେପାଳ ସମ୍ପର୍କର ସମୀକ୍ଷା କରିବା ପାଇଁ ଏମିନେଣ୍ଟ ପର୍ସନ୍ସ ଗ୍ରୁପ୍ ଆଲୋଚନା ଆରମ୍ଭ କରିବା ସମୟରେ ମଧ୍ୟ ନେପାଳ ଏହି ଚୁକ୍ତିର ମୂଳ କପି ଖୋଜିଥିଲା। କିନ୍ତୁ ମୂଳ କପି ମିଳିନଥିବାରୁ ସରକାର ଏହାର ଅନ୍ୟ ଏକ କପି କମିଟିକୁ ଦେଇଥିଲା।

Also Read- ଆଲ୍ଲାଙ୍କୁ ଧନ୍ୟବାଦ ଦେଲେ ଟ୍ରମ୍ପ୍ ! କହିଲେ -'ହର୍ମୁଜରେ ଆମେରିକା ତିଆରି କରିଛି ଲୁହାର ପାଚେରୀ', କ’ଣ କରିବ ଇରାନ ?

ପରେ ଖୋଜାଖୋଜିକୁ ଆହୁରି ବ୍ୟାପକ କରାଯାଇଥିଲା। ଲାଇବ୍ରେରୀ, ଅଭିଲେଖାଗାର, ପୁରାତତ୍ତ୍ୱ ବିଭାଗ, ନାରାୟଣହିଟି ପ୍ୟାଲେସ୍ ମ୍ୟୁଜିୟମ୍, ଆଇନ ମନ୍ତ୍ରଣାଳୟ ଓ ବୈଦେଶିକ ମନ୍ତ୍ରଣାଳୟ ସମେତ ବିଭିନ୍ନ ସ୍ଥାନରେ ଦସ୍ତାବିଜ ଖୋଜାଯାଇଥିଲା। ତଥାପି ସୁଗୌଲି ଚୁକ୍ତି ଏବଂ ୧୯୫୦ର ଭାରତ-ନେପାଳ ଶାନ୍ତି ଓ ମୈତ୍ରୀ ଚୁକ୍ତିର ମୂଳ କପି ମିଳିନଥିଲା।

୨୦୧୯ରେ ନେପାଳର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ପ୍ରଦୀପ ଜ୍ଞାୱାଲି ମଧ୍ୟ ଏହି ଅନିଶ୍ଚିତତା ସମ୍ପର୍କରେ କହିଥିଲେ। ନେପାଳ ପାଖରେ ଉଭୟ ଚୁକ୍ତିର କପି ଥିଲେ ମଧ୍ୟ ସେଗୁଡ଼ିକ ମୂଳ କି ନୁହେଁ, ତାହା ଫରେନ୍ସିକ୍ ଯାଞ୍ଚ କରିବା ଆବଶ୍ୟକ ବୋଲି ସେ କହିଥିଲେ।

କାହିଁକି ଗୁରୁତ୍ୱପୂର୍ଣ୍ଣ ସୁଗୌଲି ଚୁକ୍ତି?

୧୮୧୪ରୁ ୧୮୧୬ ମଧ୍ୟରେ ହୋଇଥିବା ଆଙ୍ଗ୍ଲୋ-ନେପାଳ ଯୁଦ୍ଧରେ ନେପାଳ ପରାଜିତ ହେବା ପରେ ସୁଗୌଲି ଚୁକ୍ତି ହୋଇଥିଲା। ୧୮୧୫ ଡିସେମ୍ବରରେ ଏହା ସ୍ୱାକ୍ଷରିତ ହୋଇଥିବାବେଳେ ୧୮୧୬ ମାର୍ଚ୍ଚରେ ଏହାକୁ ଅନୁମୋଦନ କରାଯାଇଥିଲା। ଏହି ଚୁକ୍ତିକୁ ନେପାଳର ଆଧୁନିକ ସୀମା ନିର୍ଦ୍ଧାରଣର ଏକ ପ୍ରମୁଖ ଆଧାର ଭାବେ ଦେଖାଯାଏ।

ବର୍ତ୍ତମାନର ଭାରତ-ନେପାଳ ସୀମା ବିବାଦ ପାଇଁ ଚୁକ୍ତିର ଧାରା ୫ ବିଶେଷ ଗୁରୁତ୍ୱ ରଖେ। ଏଥିରେ ନେପାଳ କାଳୀ ନଦୀର ପଶ୍ଚିମ ପାର୍ଶ୍ୱର ଅଞ୍ଚଳ ଉପରେ ନିଜ ଦାବି ଛାଡ଼ିଥିବା କଥା ଉଲ୍ଲେଖ ରହିଛି। ଫଳରେ କାଳୀ ବା ମହାକାଳୀ ନଦୀକୁ ନେପାଳର ପଶ୍ଚିମ ସୀମା ଭାବେ ଧରାଯାଇଛି।

କିନ୍ତୁ ବିବାଦର ମୁଖ୍ୟ ପ୍ରଶ୍ନ ହେଉଛି - କାଲୀ ନଦୀର ପ୍ରକୃତ ଉତ୍ସ କେଉଁଠି?

କାଳୀ ନଦୀର ଉତ୍ସକୁ ନେଇ ଦୁଇ ଦେଶର ଭିନ୍ନ ଦାବି କରୁଛନ୍ତି। ନେପାଳର ଦାବି ଅନୁସାରେ କାଲୀ ନଦୀର ଉତ୍ସ ଲିମ୍ପିୟାଧୁରାରେ। ଯଦି ଏହି ଦାବିକୁ ଆଧାର କରାଯାଏ, ତେବେ ଲିମ୍ପିୟାଧୁରା, କାଲାପାଣି ଓ ଲିପୁଲେଖ ନଦୀର ପୂର୍ବ ପାର୍ଶ୍ୱରେ ପଡ଼ିବ ଏବଂ ନେପାଳର ଭୂଭାଗରେ ରହିବ ବୋଲି କାଠମାଣ୍ଡୁ ଦାବି କରୁଛି।

ଅନ୍ୟପକ୍ଷରେ ଭାରତର ମତ ହେଉଛି, କାଳୀ ନଦୀର ଉତ୍ସ ଲିପୁଲେଖ ଅଞ୍ଚଳ ତଳେ ଥିବା ଝରଣାରୁ ହୋଇଛି। ଏହା ସହିତ ଐତିହାସିକ ପ୍ରଶାସନିକ ଓ ରାଜସ୍ୱ ରେକର୍ଡ ଦେଖାଇ ଭାରତ କହିଆସିଛି ଯେ କାଲାପାଣି ଅଞ୍ଚଳ ଐତିହାସିକ ଭାବେ ପିଥୋରାଗଡ଼ ଜିଲ୍ଲାର ପ୍ରଶାସନ ଅଧୀନରେ ରହିଛି। ପିଥୋରାଗଡ଼ ପୂର୍ବରୁ ଅବିଭକ୍ତ ଉତ୍ତରପ୍ରଦେଶର ଅଂଶ ଥିବାବେଳେ ବର୍ତ୍ତମାନ ଉତ୍ତରାଖଣ୍ଡରେ ରହିଛି।

ଉଭୟ ଦେଶ ନିଜ ନିଜ ଦାବି ପାଇଁ ବ୍ରିଟିଶ ଯୁଗର ମାନଚିତ୍ର, ପ୍ରଶାସନିକ ରେକର୍ଡ ଓ ଐତିହାସିକ ଦସ୍ତାବିଜର ଉଦାହରଣ ଦେଇଆସୁଛନ୍ତି। ତେବେ ସୁଗୌଲି ଚୁକ୍ତିରେ ଲିମ୍ପିୟାଧୁରାକୁ କାଳୀ ନଦୀର ଉତ୍ସ ଭାବେ ସ୍ପଷ୍ଟ ଭାବରେ ଚିହ୍ନଟ କରାଯାଇନଥିବା ମଧ୍ୟ ଏହି ବିବାଦକୁ ଜଟିଳ କରିଛି।

୨୦୨୦ରେ ତୀବ୍ର ହୋଇଥିଲା ବିବାଦ

୨୦୨୦ରେ ଭାରତ-ନେପାଳ ସୀମା ବିବାଦ ହଠାତ୍ ତୀବ୍ର ହୋଇଥିଲା। ଭାରତ ଉତ୍ତରାଖଣ୍ଡରୁ ଲିପୁଲେଖ ଦେଇ କୈଳାସ ମାନସରୋବର ଯାତ୍ରା ମାର୍ଗ ପାଇଁ ପ୍ରାୟ ୮୦ କିଲୋମିଟର ଲମ୍ବା ରାସ୍ତା ଉଦ୍ଘାଟନ କରିଥିଲା। ନେପାଳ ଏହାକୁ ବିରୋଧ କରି ରାସ୍ତାଟି ନିଜ ଭୂଭାଗ ଦେଇ ଯାଇଥିବା ଦାବି କରିଥିଲା।

ଏହାପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସରକାର ଏକ ନୂଆ ରାଜନୈତିକ ମାନଚିତ୍ର ପ୍ରକାଶ କରିଥିଲା। ଏଥିରେ ଲିମ୍ପିୟାଧୁରା, ଲିପୁଲେଖ ଓ କାଲାପାଣିକୁ ନେପାଳର ଭୂଭାଗ ଭାବେ ଦର୍ଶାଯାଇଥିଲା। ପରେ ଏହି ନୂଆ ମାନଚିତ୍ରକୁ ସମ୍ବିଧାନରେ ସାମିଲ କରିବା ପାଇଁ ନେପାଳ ସଂସଦରେ ସାମ୍ବିଧାନିକ ସଂଶୋଧନ ମଧ୍ୟ ପାରିତ ହୋଇଥିଲା।

ଭାରତ ଏହାକୁ ଦୃଢ଼ ଭାବେ ବିରୋଧ କରି ନେପାଳର ଏହି ପଦକ୍ଷେପକୁ ‘କୃତ୍ରିମ ଭାବେ ଭୂଖଣ୍ଡୀୟ ଦାବି ବଢ଼ାଇବା’ ବୋଲି କହିଥିଲା। ଏହା ପରେ ଦୁଇ ଦେଶର ସମ୍ପର୍କରେ ମଧ୍ୟ ତିକ୍ତତା ବଢ଼ିଥିଲା।

ଲିପୁଲେଖକୁ ନେଇ ଭାରତ-ଚୀନ ଚୁକ୍ତି ପରେ ପୁଣି ବିବାଦ

ସମ୍ପ୍ରତି ଭାରତ ଓ ଚୀନ ଲିପୁଲେଖ ଦେଇ ପୁଣି ବାଣିଜ୍ୟ ଆରମ୍ଭ କରିବା ନେଇ ସହମତି ପ୍ରକାଶ କରିବା ପରେ ନେପାଳ ଏହାକୁ ନେଇ ଆପତ୍ତି ଜଣାଇଥିଲା। କାଠମାଣ୍ଡୁର ଦାବି ଅନୁସାରେ ଲିପୁଲେଖ, ଲିମ୍ପିୟାଧୁରା ଓ କାଲାପାଣି ନେପାଳର ଅବିଚ୍ଛେଦ୍ୟ ଭୂଭାଗ।

ଏହି ପରିପ୍ରେକ୍ଷୀରେ ସୁଗୌଲି ଚୁକ୍ତିର ମୂଳ ଦସ୍ତାବିଜ ନେପାଳ ପାଖରେ ଅଛି କି ନାହିଁ, ସେନେଇ ନେପାଳ ସରକାରଙ୍କ ଅନିଶ୍ଚିତତା ବିବାଦକୁ ଆହୁରି ରୋଚକ କରିଛି। ତେବେ ମୂଳ ଚୁକ୍ତିର ଦସ୍ତାବିଜ ନମିଳିବା ମାତ୍ରରେ ନେପାଳର ଭୂମି ଦାବି ସ୍ୱତଃ ଖାରଜ ହୋଇଯିବ ନାହିଁ। ଉଭୟ ଦେଶ ନିଜ ନିଜ ଦାବି ପାଇଁ ଅନ୍ୟ ଐତିହାସିକ ମାନଚିତ୍ର, ପ୍ରଶାସନିକ ରେକର୍ଡ ଓ ଅନ୍ୟ ଦସ୍ତାବିଜକୁ ମଧ୍ୟ ଆଧାର କରିଆସୁଛନ୍ତି।

ଏବେ ନେପାଳ ପାଇଁ ପ୍ରଶ୍ନ ହେଉଛି ୨୧୦ ବର୍ଷ ପୁରୁଣା ଏହି ଐତିହାସିକ ଚୁକ୍ତିର ମୂଳ କପି ପ୍ରକୃତରେ କେଉଁଠି ଅଛି ଏବଂ ଏହାକୁ ନେଇ ନିଶ୍ଚିତ ପ୍ରମାଣ କେବେ ସାମ୍ନାକୁ ଆସିବ। ଭାରତ-ନେପାଳ ସୀମା ବିବାଦରେ ଐତିହାସିକ ଦସ୍ତାବିଜ ଓ ମାନଚିତ୍ରର ଭୂମିକା ଥିବାରୁ ଏହି ଖୋଜ୍ ଆଗାମୀ ଦିନରେ ମଧ୍ୟ ଗୁରୁତ୍ୱ ବହନ କରିବ।