ଭୁବନେଶ୍ଵର: ଓଡ଼ିଶାରେ କଟକ ବଡ଼ ଡାକ୍ତରଖାନା ଅଗ୍ନିକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ୩ ଦିନ ବିତି ଯାଇଥିଲେ ମଧ୍ୟ ସରକାର କଣ କରୁଛନ୍ତି ତାହା ଜଣାପଡିନି । ସୋମବାର ସୁଦ୍ଧା ଆସିବାକୁ ଥିବା ରିପୋର୍ଟ ବର୍ତ୍ତମାନ ସୁଦ୍ଧା ସାର୍ବଜନୀନ ହେଉନାହିଁ । ଏହାସହ ଏହି ଅଗ୍ନିକାଣ୍ଡ ପାଇଁ ଦାୟୀ କିଏ ତାହାକୁ ନେଇ ଶଙ୍ଖ ଭବନ ରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛି ବିଜେଡି। ଏହି ଘଟଣାରେ ସରକାର କଣ ନେଲେ କାର୍ଯ୍ୟନୁଷ୍ଠାନ ବୋଲି ମଧ୍ୟ ପ୍ରଶ୍ନ କରିଛି ବିଜେଡି ।

ଅଭିଜ୍ଞତା ନ ଥାଇ ଏସସିବି ଅଧୀକ୍ଷକ

ବିଜେଡି କହିଛି, ଯେଉଁଦିନ କଟକ ବଡ଼ ମେଡିକାଲରେ ନିଆଁ ଲାଗିଲା ସେଦିନ ଜଣେ କନିଷ୍ଠ ଡାକ୍ତର ଦାୟିତ୍ୱରେ ଥିଲେ । ଗୋଟେ ସମ୍ବେଦନଶୀଳ ଜାଗାରେ କିପରି ଜଣେ କନିଷ୍ଠ ଡାକ୍ତରଙ୍କୁ ଦାୟିତ୍ଵ ଦିଆଯାଇଥିଲା ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । SCB ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ଜଣେ ଅଯୋଗ୍ୟ ବ୍ୟକ୍ତି ହୋଇ ଜାଗା ଅଧିକାର କରିଛନ୍ତି ବୋଲି ସଙ୍ଗିନ ଅଭିଯୋଗ ଆଣିଛି ବିଜେଡି । ତାଙ୍କର ଅଭିଜ୍ଞତା ନ ଥାଏ ମଧ୍ୟ ସେ କିପରି ମେଡିକାଲ ଅଧୀକ୍ଷକ ହେଲେ ତାହାକୁ କିପରି ଅନୁମୋଦନ ମିଳିଲା ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

Also Read: ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି ସର୍ଟ ସର୍କିଟ୍, ଖିଅ ଖୋଜୁଛି ଅଗ୍ନିଶମ ବାହିନୀ

୬ ମାସରେ ଥରେ ବି ହେଉନି ତଦାରଖ

ଡ. ଶତପଥୀ ଯେତେବେଳେ ବୁର୍ଲାରେ ନିଲମ୍ବିତ ହୋଇଥିଲେ ତାହାଙ୍କୁ କିଭଳି ଏତେ ବଡ଼ ପଦବୀ ମିଳିଲା ବୋଲି ପ୍ରଶ୍ନ କରିଛି ବିଜେଡି । ସେ ଆଉ ଜଣେ ଅତିରିକ୍ତ ଅଧିକ୍ଷକ ଭାବେ ଆଉ ଜଣଙ୍କୁ ନିଯୁକ୍ତି ଦେଲେ, ଯିଏ ଚୁକ୍ତିଭିତ୍ତିକ କାର୍ଯ୍ୟକର୍ତ୍ତା ଭାବେ ନିଯୁକ୍ତି ପାଇଛନ୍ତି । ସେଠାରେ ମେଡିକାଲ କାମ କମ୍ ହୋଇଛି, ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କାର୍ଯ୍ୟ ଅଧିକ ହେଉଛି ବୋଲି ସଙ୍ଗିନ ଅଭିଯୋଗ ଆଣିଛି ବିଜେଡି । ନିୟମ ମୁତାବକ ପ୍ରତି ୬ ମାସରେ ଥରେ ପ୍ରତି ହସ୍ପିଟାଲରେ ବିଦ୍ୟୁତ୍ ବିଭାଗର ତଦାରଖ କରିବା ଆବଶ୍ୟକ । ଏହାକୁ ନିଜେ ମେଡିକାଲ ଅଧ୍ୟକ୍ଷଙ୍କ ତତ୍ତ୍ଵାବଧାନରେ ତଦାରଖ କରିବା ଆବଶ୍ୟକ । ହେଲେ ଏହାକୁ ପାଳନ କରୁଛନ୍ତି କି ବିଭାଗୀୟ ଅଧିକାରୀ ବୋଲି ପ୍ରଶ୍ନ କରିଛି ବିଜେଡି

ପଦ ଛାଡ଼ ସ୍ଵାସ୍ଥ୍ୟ ମନ୍ତ୍ରୀ

ଅନ୍ୟପଟେ ଘଟଣା ଘଟିବା ଦିନ ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ପାରାଦୀପ ସମୁଦ୍ର କୂଳରେ ବୁଲୁଛନ୍ତି । ସେଠାରୁ ଫେରିବା ପରେ ବିଧାନସଭାରେ ଯୁକ୍ତିତର୍କ ବା ଗଣ୍ଡଗୋଳରେ ସାମିଲ ହେଉଛନ୍ତି । ହେଲେ ନିଜ ବିବେକ ଦୃଷ୍ଟିରୁ ଥରେ ହସ୍ପିଟାଲ ଗଲେ ନାହିଁ । କଟକ ବଡ଼ ମେଡିକାଲରେ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ପ୍ରାୟ ୨୦ ମାସର ସରକାର ପୂର୍ବ ସରକାରଙ୍କୁ ଏଥିପାଇଁ ଦାୟୀ କରିବା ଅତ୍ୟନ୍ତ ସମ୍ବେଦନଶୀଳ ବୋଲି କହିଛନ୍ତି ଦେବୀ ମିଶ୍ର। ପୁରା ଘଟଣାରେ ବିରୋଧିଦଳ ନେତା ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ନିଜ ବିବେକ ଦୃଷ୍ଟିରୁ ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ପଦବୀ ଛାଡ଼ି ଦେବା ଦରକାର ବୋଲି ଦାବି କରିଛି ବିଜେଡି । ଏହାସହ ଏହି ଘଟଣାର ପ୍ରକୃତ ଦୋଷୀ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ବିଜେଡି।

Also read: ଏସସିବି ଅଗ୍ନିକାଣ୍ଡକୁ ନେଇ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତ୍ତି

ସୂଚନାଯୋଗ୍ୟ, ସୋମବାର ଭୋର ୨ଟା ୫୮ ମିନିଟରେ ରାଜ୍ୟର ସର୍ବବୃହତ ମେଡିକାଲ୍ କଲେଜ୍ ଏସସିବିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହି ବଡ଼ ଘଟଣାରେ ଏ ପର୍ଯ୍ୟନ୍ତ ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟି ସାରିଥିବା ଆଉ କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ।