ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ SIR ପ୍ରକ୍ରିୟା ବିରୋଧରେ ସୁପ୍ରିମକୋର୍ଟ ଅଭିମୁଖେ ବଡ଼ ରାଲି ବାହାର କରିଥିଲେ ଇଣ୍ଡି ମେଣ୍ଟର ନେତା। ଏହି ମାମଲା ସଂପର୍କରେ ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଛି। ସୁପ୍ରିମକୋର୍ଟ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କୁ ତାଗିଦ କରିବା ସହ ନୋଟିସ୍ ଜାରି କରିଛନ୍ତି। ଏହା ସହିତ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ଏମିତି ନାହିଁ ଯେ, ଆମେ ଘଟଣା ବିଷୟରେ ଅବଗତ ନାହୁଁ। କେହି ବି ନ୍ୟାୟପାଲିକାକୁ ଡରାଇବା କି ଧମକାଇ ପାରିବେ ନାହିଁ।

ଶୁଣାଣି ସମୟରେ ପ୍ରଧାନ ବିଚାରପତି ନେତାଙ୍କ ଏମିତି କାର୍ଯ୍ୟକୁ ଭତ୍ସନା କରି କହିଛନ୍ତି ଯେ, ଆମେ କୌଣସି ଉଚ୍ଚ ମହଲରେ ବସିନାହୁଁ। ଆମକୁ ଜଣା ଯେ, ନେତାମାନେ ବାହାରେ କଣ ବୟାନ ଦେଉଛନ୍ତି ଏବଂ ଅଦାଲତରେ କଣ ତଥ୍ୟ ରଖୁଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ, ନୋଟିସ୍ ଜାରି କରାଯିବାର ଅର୍ଥ ଏହା ନୁହେଁ ଯେ, ଆମେ ନିନ୍ଦା କରୁଛୁ। କିନ୍ତୁ ଆମର ଗୋଟିଏ ଆପତ୍ତି ରହିଛି। ଆମେ ପରବର୍ତ୍ତୀ ଶୁଣାଣିରେ ଆବେଦନକାରୀଙ୍କ ବ୍ୟବହାର ବିଷୟରେ ପଚାରିବାକୁ ଚାହିଁବୁ।

Also Read: ୟୁପି ନିର୍ବାଚନରେ ମଇଦାନକୁ ଓହ୍ଲାଇବେ ପୂର୍ବତନ IAS ଦିବ୍ୟା ମିତ୍ତଲ, ନୂଆ ପାର୍ଟିର କଲେ ଘୋଷଣା

ଉଲ୍ଲେଖନୀୟ ରାହୁଲ ଗାନ୍ଧୀ ଏବଂ ବିରୋଧୀ ଦଳଗୁଡ଼ିକର ଅନ୍ୟ ନେତା ଅକ୍ଟୋବର ୧୨ରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ରାଲି ବାହାର କରିଥିଲେ। ନିର୍ବାଚନ ଆୟୋଗ ଦ୍ଵାରା ଜାରି SIR ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ। ହେଲେ ବିରୋଧୀଙ୍କ ଏମିତି ରାଲିକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା।

SIR ପ୍ରସଙ୍ଗରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ରାଲି ବାହାର କରିବା ନ୍ୟାୟାଳୟ ଉପରେ ଚାପ ପକାଯିବାକୁ ଉଦ୍ୟମ ହେଉଥିବା କୋର୍ଟରେ ଆବେଦନକାରୀଙ୍କ ଓକିଲ କହିଛନ୍ତି। ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି, ଆମେ ତୃଣମୂଳସ୍ତରରେ କଣ ଘଟୁଛି ସେ ସବୁ ବିଷୟରେ ଅଜଣା ନାହୁଁ।

Also Read: 'ଧର୍ମ ପରିବର୍ତ୍ତନ କଲେ ମିଳିବନି କୋଟା, ପାଇବେନି ସଂରକ୍ଷଣର ଲାଭ' : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଦିଲ୍ଲୀ ପୋଲିସକୁ ବି ନୋଟିସ୍

ଜନ୍ତର ମନ୍ତରକୁ ଆନୁଷ୍ଠାନିକ ଧାରଣାସ୍ଥଳ ତାଲିକାରୁ ବାଦ୍ ଦିଆଯିବା ନେଇ ଦାୟର ଯାଚିକା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଯାଚିକା ଉପରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ଏହା ସହିତ କୋର୍ଟ ବିଭିନ୍ନ ଯାଚିକା ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଅନ୍ୟ ପକ୍ଷକୁ ନୋଟିସ୍ ଜାରି କରିଛନ୍ତି।