ଲକ୍ଷ୍ନୌ: ପ୍ରଶାସନିକ ସେବାରୁ ସ୍ଵେଚ୍ଛାକୃତ ଅବସର ନେବା ପରେ ପୂର୍ବତନ ଅଧିକାରୀ ଦିବ୍ୟା ମିତ୍ତଲ ରାଜନୀତିରେ ପାଦ ଦେବାକୁ ଘୋଷଣା କରିଛନ୍ତି। ସେ କୌଣସି ରାଜନୈତିକ ଦଳରେ ମିଶିବେ ନାହିଁ ବରଂ ନିଜେ ପାର୍ଟି ଗଠନ କରିବେ ବୋଲି କହିଛନ୍ତି। ଏପରିକି ସେ ନିଜ ପାର୍ଟିର ନାଁ ମଧ୍ୟ ଘୋଷଣା କରିଛନ୍ତି। ଆଉ ଏହି ପାର୍ଟିର ନାଁ ହେଉଛି ‘ଜନ ନୀତି ଭାରତ’।

ସୋସିଆଲ୍ ମିଡିଆରେ ଲାଇଭ ଆସି ରାଜନୀତିରେ ନୂଆ ଇନିଂସ ଗଢୁଥିବା ସୂଚନା ଦେବା ସହ ନିଜ ପାର୍ଟିର ନାଁ ଘୋଷଣା କରିଛନ୍ତି। ସେ କହିଛନ୍ତି, ତାଙ୍କର ‘ଜନ ନୀତି ଭାରତ’ ପାର୍ଟି ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢିବ। ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଜନତାଙ୍କୁ ସିଧାସଳଖ ନିର୍ଣ୍ଣୟ ପ୍ରକ୍ରିୟାରେ ଯୋଡ଼ିବା ଏବଂ ସେମାନଙ୍କର ଭାଗିଦାରୀ ବଢାଇବା।

ଦେଶ ନୀତିର କେନ୍ଦ୍ରରେ ଜନତାଙ୍କୁ ରଖିବା ଏବଂ ସେମାନଙ୍କ ବାସ୍ତବିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରାଯିବ ବୋଲି ପୂର୍ବତନ ଆଇଏଏସ କହିଛନ୍ତି। କୃଷକ ଏବଂ ଛୋଟ ବ୍ୟବସାୟୀଙ୍କ ସଂପର୍କିତ ସମସ୍ୟାର ସମାଧାନକୁ ଗୁରୁତ୍ଵ ଦିଆଯିବ। ପ୍ରତ୍ୟେକ ଉନ୍ନତିମୂଳକ କାମ ଏବଂ ପ୍ରଶାସନିକ ନିଷ୍ପତ୍ତି ଜାତି, ଧର୍ମ କିମ୍ବା ପରିଚୟ ଦେଖି ନିଆଯିବ ନାହିଁ। ସମସ୍ତ ଜନତାଙ୍କ ବାସ୍ତବିକ ଆବଶ୍ୟକତା ଆଧାରରେ ନିଷ୍ପତ୍ତି ନିଆଯିବ। ମହିଳାଙ୍କ ସୁରକ୍ଷା ଓ ସ୍ଥାନୀୟ ବିକାଶ କାର୍ଯ୍ୟରେ ପ୍ରତ୍ୟକ୍ଷ ଭାବେ ଜନତାଙ୍କ ଭାଗିଦାରୀ ରହିବ।

 

ମୋବାଇଲରେ ସବୁ ହେବ ଉପଲବ୍ଧ

ସରକାରୀ ଯୋଜନା, ବଜେଟ୍ ଏବଂ ବିକାଶମୂଳକ କାର୍ଯ୍ୟର ପ୍ରତିଟି ସୂଚନା ସିଧାସଳଖ ଜନତାଙ୍କ ମୋବାଇଲରେ ଉପଲବ୍ଧ ହେବ। ଜନତା ସ୍କୁଲ, ହସ୍ପିଟାଲ ଏବଂ ସଡ଼କର ସ୍ଥିତି ଦେଖି ସବୁଜ, ହଳଦିଆ ଏବଂ ନାଲି ରଙ୍ଗ ଜରିଆରେ ରେଟିଂ ଦେଇ ଖୋଦ୍ ଏହାର ମୂଲ୍ୟାଙ୍କନ କରିବେ। ଏହା ସହିତ ସୁଧାରମୂଳକ କାମରେ ଭାଗିଦାରୀ ହେବେ।

ଦିବ୍ୟା ମିତ୍ତଲ ସ୍ପଷ୍ଟ କରିଛନ୍ତି, ଏହି ଲଢେଇ କୌଣସି ବଡ଼ ବିଜ୍ଞାପନ କିମ୍ବା ଅର୍ଥରେ ହେବ ନାହିଁ ବରଂ ଘର ଘର ଯାଇ ଲଢାଯିବ। ସେ ଜନତାଙ୍କୁ ଆହ୍ଵାନ କରିଛନ୍ତି ଯେ, ଏହି ଅଭିଯାନରେ ଜଡ଼ିତ ହୋଇ ସନ୍ଦେଶ ଦିଅନ୍ତୁ ଯେ, ରାଜନୀତି ନୁହେଁ ଜନନୀତିରେ କାମ ହେବ।