ନ୍ୟୁୟର୍କ, ୧୫/୧୦ : ହିନ୍ଦୁ ମନ୍ଦିରରେ ହୋଇଥାନ୍ତା ଗଣହତ୍ୟା । ଗୁଳିମାଡରେ ଯାଇଥାନ୍ତା ଶହ ଶହ ଜୀବନ । ଏମିତି କିଛି ଟାର୍ଗେଟ ରଖିଥିଲା ଛାତ୍ର । ହେଲେ ଫେଲ୍ ମାରିଗଲା ଚାଲ୍ । ଧରିଦେଲା ପୋଲିସ । ଏମିତି ଏକ ଘଟଣା ଆମେରିକାରେ ଚହଳ ପକାଇ ଦେଇଛି ।

ରିପୋର୍ଟ ଅନୁସାରେ, ଆମେରିକାର ହିନ୍ଦୁ ମନ୍ଦିର ପାଖରେ ଗୁଳିମାଡ଼ କରି ଗଣହତ୍ୟା ବାବଦରେ ହୋଇଥିବା ଏକ ଷଡଯନ୍ତ୍ରର ପର୍ଦ୍ଦାଫାସ ହୋଇଛି । ଇଲିନୟର ପେଲେଟାଇନରେ ରହୁଥିବା ଜଣେ ୧୯ ବର୍ଷୀୟ ଯୁବକକୁ ଏହି ମାମଲାରେ ପୋଲିସ ଗିରଫ କରିଛି । ଗିରଫ ଯୁବକର ନାଁ ଆଲେକଜାଣ୍ଡ୍ରୋସ୍ ପାପାରୋକିସ୍ । ନବରାତ୍ରୀ ସମୟରେ ସେ ମନ୍ଦିର ପାଖରେ ନାରକୀୟ କାଣ୍ଡ ଭିଆଇଥାନ୍ତା ବୋଲି ପୋଲିସ ସନ୍ଦେହ କରୁଛି ।

ପୋଲିସର କହିବାନୁସାରେ, କେଉଁ ମନ୍ଦିରରେ ଆକ୍ରମଣ ହୋଇଥାନ୍ତା ସେନେଇ କିଛି ତଥ୍ୟ ମିଳିନାହିଁ । ଅକ୍ଟୋବର ୧୧ ତାରିଖରେ ମାଉଣ୍ଟ୍ ପ୍ରସପେକ୍ଟ ପୋଲିସକୁ ସମ୍ଭାବ୍ୟ ଆକ୍ରମଣ ନେଇ ଖବର ମିଳିଥିଲା । ଏହାପରେ ରେଡ୍ କରାଯାଇ ଜଣେ ୧୯ ବର୍ଷୀୟ ଯୁବକକୁ ଗିରଫ କରାଯାଇଥିଲା । ତା ନିକଟରୁ ରାଇଫଲ୍, ମାଗାଜିନ୍, ବଡି ଆର୍ମର ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ମିଳିଛି ।

Also Read :- ଗଞ୍ଜେଇ ଧରି ଯାତ୍ରୀ ବିଶ୍ରାମାଗାରରେ ଠିଆ ହୋଇଥିଲେ ଯୁବକ : ମାଡ଼ି ବସିଲା ପୋଲିସ

ଅଭିଯୁକ୍ତର ଘରେ ମଧ୍ୟ ଚଢାଉ କରାଯାଇଥିଲା । ଘରୁ ଆହୁରି ଅନେକ ଅସ୍ତ୍ରଶସ୍ତ୍ର ମିଳିଛି । ରାଇଫଲ୍ ସମେତ ଶତାଧିକ ଗୁଳି, ବାରୁଦ ଭଳି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏହାସହ କିଛି ଆତଙ୍କବାଦୀଙ୍କ ଫଟୋ ମଧ୍ୟ ଜବତ କରାଯାଇଛି ।

ତଦନ୍ତ ସମୟରେ ଅଭିଯୁକ୍ତ ଘରୁ ଏକ ଡକ୍ୟୁମେଣ୍ଟ୍ ମିଳିଥିଲା । ଏଥିରେ ମୁଁ କାହିଁକି ଲଢିବି ବୋଲି ଲେଖାଯାଇଥିଲା । ଏଥିରେ ସେ ଭାରତ ସମେତ ଦକ୍ଷିଣ ଏସିଆର ଲୋକଙ୍କୁ ଟାର୍ଗେଟ୍ କରିବ ବୋଲି ଉଲ୍ଲେଖ କରିଥିଲା ।