Insurance for All Train Tickets reservation: ଏବେ ଟିକେଟ କାଉଣ୍ଟର ଆସି ଟ୍ରେନରେ ରିଜର୍ବେସନ କଲେ ବି ଇନ୍ସୁରାନ୍ସ ନେଇପାରିବେ ଯାତ୍ରୀ। ଭାରତୀୟ ରେଳବାଇକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଅକ୍ଟୋବର ୨୭ ତାରିଖ ଠାରୁ କୋର୍ଟଙ୍କ ଏହି ନିର୍ଦ୍ଦେଶ ଲାଗୁ ହେବ। ଓଡ଼ିଶା ବାହାନଗା ଟ୍ରେନ୍ ଦୁର୍ଘଟଣା ସହ ସମ୍ପର୍କିତ ମାମଲାରେ ଶୁଣାଣି କରି ବୁଧବାର ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାହ ଓ ଜଷ୍ଟିସ ଆର୍ ମହାଦେବନଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

ତେବେ ବର୍ତ୍ତମାନ କେବଳ ଅନଲାଇନ ଟିକେଟ୍ ବୁକ କରାଉଥିବା ଲୋକଙ୍କୁ ବୀମା ନେବାର ସୁଯୋଗ ମିଳୁଛି। ଏବେ ଅଫ୍ଲାଇନ୍‌ରେ ଏହି ସୁବିଧା ମିଳିବ ଓ ଅନ୍‌ଲାଇନ ପରି ଏଠି ବି ଇନ୍ସୁରାନ୍ସକୁ ଅପସନାଲ ରଖାଯିବ।

ଓଡ଼ିଶା ରେଳ ଦୁର୍ଘଟଣା ପରେ କୋର୍ଟଙ୍କ ନିଷ୍ପତ୍ତି

ଜୁନ ୨୦୨୩ରେ ବାଲେଶ୍ୱରର ବାହାନଗା ଠାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ଏନେଇ କୋର୍ଟରେ ଏକ ଆବେଦନ କରାଯାଇଥିଲା। ଏଥିରେ ଟ୍ରେନ୍ ଦୁର୍ଘଟଣା ରୋକିବାକୁ ସେଫ୍‌ଟି ସିଷ୍ଟମ ଶୀଘ୍ର ଲଗାଇବା ଓ ଯାଞ୍ଚ ପାଇଁ କମିଟି ଗଠନ କରିବାକୁ ଦାବି ହୋଇଥିଲା।ମାମଲାର ଗମ୍ବୀରତା ଦେଖି କୋର୍ଟ ଯାତ୍ରୀଙ୍କ ସମ୍ପୂର୍ଣ୍ଣ ସୁରକ୍ଷା ପାଇଁ ଷ୍ଟେସନଗୁଡ଼ିକ ଉପରେ ଫୁଟ୍ ଓଭର ବ୍ରିଜ୍, ରେଳଧାରଣା ଆଖପାଖରେ ଜାଲି ଲଗାଇବା ଓ କାଉଣ୍ଟରରୁ ଟିକେଟ ନେଉଥିବା ଯାତ୍ରୀଙ୍କୁ ବୀମା ନ ମିଳିବା ଭଳି ଗୁରୁତ୍ୱର ପ୍ରସଙ୍ଗକୁ ବି ଏଥିରେ ସାମିଲ କରିଥିଲେ।

କାଉଣ୍ଟରରୁ ଟିକେଟ ନେଉଥିବା ଯାତ୍ରୀଙ୍କୁ ବୀମା ସୁରକ୍ଷା ମିଳିବା ନେଇ ଆଜି ସୁପ୍ରିମକୋର୍ଟ କହିଛନ୍ତି ଯେ ଅଧିକାଂଶ ସାଧାରଣ ଯାତ୍ରୀ କାଉଣ୍ଟରରୁ ହିଁ ଟିକେଟ ନେଇଥାନ୍ତି। ଏମାନଙ୍କ ପାଇଁ ବୀମା ବ୍ୟବସ୍ଥା କରିବା ପାଇଁ ରେଳାଇବାକୁ ଯଥେଷ୍ଟ ସମୟ ଦିଆଯାଇଥିଲା। କିନ୍ତୁ କୌଣସି କାମ ହେଲା ନାହିଁ। ଏଥିପାଇଁ ୨୭ ଅକ୍ଟୋବର ୨୦୨୬ ଠାରୁ ଷ୍ଟେସନ କାଉଣ୍ଟରରେ ପ୍ରତି ଟିକେଟର୍ ଅନଲାଇନ ଭଳି ବୀମା ଅପସନ ଦେବା ଅନିର୍ବାର୍ଯ୍ୟ କରାଗଲା। ମାମଲାର ପରବର୍ତ୍ତି ଶୁଣାଣି ୧୬ ନଭେମ୍ବର ୨୦୨୬ରେ ହେବ।

କେଉଁସବୁ କ୍ଷେତ୍ରରେ କେତେ ମିଳିବ ବୀମା ରାଶି ?

ଟ୍ରେନ ଲାଇନଚ୍ୟୁତ ହେଲେ, ଦୁଇଟି ଟ୍ରେନ ପରସ୍ପର ଧକ୍କା, ଆତଙ୍କବାଦୀ ଆକ୍ରମଣ, କୌଣସି ଅପ୍ରିୟ ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ, ଅଙ୍ଗ ନଷ୍ଟ ହେବା କିମ୍ବା ଗଭୀର ଆଘାତ ଲାଗିବାଦ୍ୱାରା ଯାତ୍ରୀଙ୍କୁ ଏହି ବୀମା ରାଶି ମିଳିବ। ତେବେ ଯଦି ଯାତ୍ରୀ ଆତ୍ମହତ୍ୟା କରୁଛନ୍ତି, ନିଜକୁ କ୍ଷତି ପହଞ୍ଚାଉଛନ୍ତି କିମ୍ବା ମାନସିକ ସନ୍ତୁଳନ ଠିକ ନଥିବାରୁ ଦୁର୍ଘଟଣାର ଶିକାର ହେଉଛନ୍ତି, ତେବେ ଏକ୍ଷେତ୍ରରେ କ୍ଷତିପୂରଣ କିମ୍ବା ବୀମା ରାଶି ମିଳିବ ନାହିଁ। କ୍ଷତି କେତେ ମାତ୍ରାରେ ହୋଇଛି ସେହି ଅନୁସାରେ ଇନ୍ସୁରାନ୍ସ ରାଶି ନିର୍ଦ୍ଧାରିତ କରାଯିବ। ଯଦି ଯାତ୍ରୀଙ୍କର ମୃତ୍ୟୁ ହୋଇଯାଏ କିମ୍ବା ସମ୍ପୂର୍ଣ୍ଣ ବିକଳାଙ୍ଗ ହୋଇଯାଆନ୍ତି ତେବେ ସର୍ବାଧିକ ୧୦ ଲକ୍ଷ ଟଙ୍କାର ବୀମା ରାଶି ମିଳିବ ଓ ଆହତ ହେଲେ ଚିକିତ୍ସା ଖର୍ଚ୍ଚ ମିଳିବ।

କେଉଁ ଶ୍ରେଣୀର ଯାତ୍ରୀଙ୍କୁ ମିଳିବ ଟ୍ରାଭେଲ ଇନ୍ସୁରାନ୍ସ , କେମିତି କରିବେ କ୍ଲେମ ?

ଏହି ଇନ୍ସୁରାନ୍ସ ସମସ୍ତ କ୍ୟାଟେଗୋରୀ କିମ୍ବା କ୍ଲାସ୍ ଯଥା ଏସି, ସେକେଣ୍ଡ ଏସି, ଥାର୍ଡ ଏସି, ସ୍ଲିପର କିମ୍ବା ଚେୟାର କାର କନଫର୍ମ ଓ ରାକ(ରିଜର୍ଭେସନ ଆଗେନଷ୍ଟ କ୍ୟାନ୍ସଲେସନ) ଟିକେଟ ଉପରେ ମିଳେ। ତେବେ କାଉଣ୍ଟରେ ଟିକେଟ କିଣିଲେ ଏହି ସୁବିଧା ମିଳେ ନାହିଁ। ଏବେ ନିକଟରେ ହୋଇଥିବା ନୂଆ ପରିବର୍ତ୍ତନରେ ପିଲାମାନଙ୍କ ପାଇଁ ହାପ୍ ଟିକେଟ ଉପରେ କିନ୍ତୁ ବୀମା ବିକଳ୍ପ ମିଳିବ ନାହିଁ। ଫୁଲ ଟିକେଟ୍‌ରେ ହିଁ ଏହି ପଲିସି ମିଳିବ।

ଟ୍ରେନ ଦୁର୍ଘଟଣାର ୪ ମାସ ଭିତରେ ବୀମା ପାଇଁ କ୍ଲେମ କରିପାରିବେ। ଆହତ ବ୍ୟକ୍ତି, ନମିନି କିମ୍ବା ଉତ୍ତରାଧିକାରୀ ବୀମା କ୍ଲେମ କରିପାରିବେ। ଏଥିପାଇଁ ଇନ୍ସୁରାନ୍ସ କମ୍ପାନୀର ଅଫିସରେ ଆପ୍ଲିକେସନ ଦେବା ସହ ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ। ସବୁଠାରୁ ବଡ଼ କଥା ହେଲା ଏହି ବୀମା ସୁବିଧା ଏବେ କେବଳ ରିଜର୍ଭେସନ ଟିକେଟଧାରୀଙ୍କୁ ମିଳୁଛି। ସାଧାରଣ ଯାତ୍ରୀ ଦୁର୍ଘଟଣାର ଶିକାର ହେଲେ କେବଳ ସରକାରୀ କ୍ଷତିପୂରଣ ପାଇପାରିବେ।

କେବେ ଆରମ୍ଭ ହୋଇଥିଲା ବୀମା ସୁବିଧା ?

ସୂଚନା ଥାଉକି ଯାତ୍ରୀଙ୍କ ସୁବିଧା ପାଇଁ, ରେଳବାଇ ସେପ୍ଟେମ୍ବର ୨୦୧୬ରେ ଅପସନାଲ ଯାତ୍ରା ବୀମା ପ୍ରଚଳନ କରିଥିଲା। ସେତେବେଳେ ପ୍ରତି ଯାତ୍ରୀଙ୍କ ପାଇଁ ବୀମା ପ୍ରିମିୟମ ୯୨ ପଇସା ଥିଲା, ଯାହା ସରକାର ପ୍ରଦାନ କରୁଥିଲେ। କିନ୍ତୁ, ଅଗଷ୍ଟ ୨୦୧୮ରେ ପ୍ରିମିୟମକୁ ପ୍ରତି ଯାତ୍ରୀଙ୍କ ପାଇଁ ୪୨ ପଇସାକୁ ହ୍ରାସ କରାଯାଇଥିଲା। ଏହାପରେ ପୁଣିଥରେ ୩୫ ପଇସାକୁ ହ୍ରାସ କରାଯାଇଥିଲା। ବର୍ତ୍ତମାନ, ନିକଟରେ ହୋଇଥିବା ଏକ ପରିବର୍ତ୍ତନ ପରେ, ରେଳବାଇ ପ୍ରିମିୟମକୁ ୪୫ ପଇସାକୁ ବୃଦ୍ଧି କରିଛି। ଯାତ୍ରୀମାନଙ୍କୁ ଟିକେଟ ବୁକିଂ କରିବା ସମୟରେ ଏହି ରାଶି ଦେବାକୁ ପଡିବ।