Indian died germany building fire: ଜର୍ମାନୀର ବୋଚୁମ୍ (Bochum) ସହରରେ ଥିବା ଏକ ଆବାସିକ କୋଠାରେ ନିଆଁ ଲାଗିଯିବାରୁ ତିନିଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ବୁଧବାର ଏନେଇ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବୋଚୁମ୍ ପୋଲିସ ସୂତ୍ରରୁ ସୂଚନା ନେଇ ଜର୍ମାନୀର ସରକାରୀ ଗଣମାଧ୍ୟମ WDR ଏହି ଖବର ପ୍ରକାଶ କରିଛି। ମିଡିଆ ରିପୋର୍ଟ ଅନୁସାରେ ମୃତ ଭାରତୀୟଙ୍କ ମଧ୍ୟରେ ୨୫ ଓ ୨୭ ବର୍ଷର ଦୁଇ ଜଣ ମହିଳା ଥିବା ବେଳେ ଜଣେ ୨୬ ବର୍ଷୀୟ ପୁରୁଷ ଅଛନ୍ତି। ତେବେ ସେମାନେ ଭାରତର କେଉଁ ରାଜ୍ୟର ଲୋକେ, ସେମାନଙ୍କ ପରିଚୟ କଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ସବୁଠାରୁ ବଡ଼ କଥା ହେଲା ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଘଟଣାରେ ବୁଚୁମ ପୁଲିସ ଜଣେ ୪୧ ବର୍ଷୀୟ ନାଗରିକଙ୍କୁ ଗିରଫ କରିଛି। ବୁଧବାର ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ରୋମାନିଆର ନାଗରିକ। ଏହାକୁ ଗଣହତ୍ୟା ବୋଲି ସନ୍ଦେହ କରି ପୁଲିସ ଅଭିଯୁକ୍ତକୁ ପଚରାଉଚରା ଜାରି ରଖିଛି ବୋଲି WDR ରିପୋର୍ଟ କରିଛି।

ନିଆଁ ଆପେ ଆପେ ଲାଗି ନାହିଁ। କିମ୍ବା କୌଣସି ଟେକ୍ନିକାଲ ସମସ୍ୟା ଯୋଗୁ ନିଆଁ ଲାଗି ନାହିଁ। ୩ ଜଣଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆପାର୍ଟମେଣ୍ଟରେ ଜାଣିଶୁଣି ନିଆଁ ଲଗାଯାଇଛି ବୋଲି ପୁଲିସ ସନ୍ଦେହ କରୁଛି। ତେବେ କେମିତି ନିଆଁ ଲାଗିଲା ତା’ର ପ୍ରକୃତ କାରଣ ଜଣାପଡ଼ି ନାହିଁ।

Also Read- ଅଭିଜିତ୍ ଦୀପକେଙ୍କୁ ଆମେରିକାରୁ ହେଉଛି ଫଣ୍ଡିଂ, ୟୁଏସ୍ କଣ୍ଠଶିଳ୍ପୀ କହିଲେ ଭିତିରି କଥା

ସୂଚନା ଅନୁସାରେ, ମଙ୍ଗଳବାର ଭୋର ସମୟରେ ବୋଚମ୍ର ହଫଷ୍ଟେଡ୍ ଜିଲ୍ଲାର ଥିବା ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିଯିବା ପରେ ସ୍ଥାନୀୟ ସମୟ ପ୍ରାୟ ଭୋର ୪.୧୫ ସମୟରେ ଜରୁରୀକାଳୀନ ସେବାଗୁଡ଼ିକୁ ଆଲର୍ଟ କରାଯାଇଥିଲା। ଏହାପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା। ତେବେ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ୩ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାରେ ୫ ଜଣ ଧୂଆଁରେ ଅଣନିଃସ୍ୱୀ ହୋଇ ଆହତ ହୋଇଥିଲେ। ସେମାନଙ୍କୁ ବୁଚୁମ ହସପିଟାଲରେ ଭର୍ତ୍ତି କରାଯାଇଛି।