ଭୁବନେଶ୍ୱର: ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଅଧୀନରେ ଥିବା ହାଇଦ୍ରାବାଦର ‘ଆଟୋମିକ ମିନେରାଲ୍ସ ଡିରେକ୍ଟୋରେଟ ଫର ଏକ୍ସପ୍ଲୋରେସନ ଆଣ୍ଡ ରିସର୍ଚ୍ଚ’ (AMD) ଏବଂ ଓଡ଼ିଶା ମାଇନିଂ କର୍ପୋରେସନ ଲିମିଟେଡ୍ (OMC) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ସରକାରଙ୍କ ‘ଜାତୀୟ କ୍ରିଟିକାଲ ମିନେରାଲ ମିଶନ’ (NCCM)ର ଲକ୍ଷ୍ୟକୁ ସାକାର କରିବା ପାଇଁ ଏହି ସହଯୋଗିତା ସ୍ଥାପନ କରାଯାଇଛି।

ଏହି ଚୁକ୍ତି ଅନୁଯାୟୀ, ଓଏମ୍‌ସିର ଖଣି ଲିଜ୍ ଅଞ୍ଚଳ ଏବଂ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ମୂଲ୍ୟବାନ ତଥା ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ (Critical Minerals)ର ଅନ୍ୱେଷଣ, ବୈଜ୍ଞାନିକ ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟାର ଆଦାନପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ଭାରତକୁ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଆଗେଇ ନେବା ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା ଶିଳ୍ପକୁ ସମୃଦ୍ଧ କରିବା ପାଇଁ କେନ୍ଦ୍ର ସରକାର ଜାନୁଆରୀ ୨୦୨୫ ରେ ‘ନ୍ୟାସନାଲ କ୍ରିଟିକାଲ ମିନେରାଲ ମିଶନ’ ଆରମ୍ଭ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦେଶରୁ ଆମଦାନୀ ହେଉଥିବା ଦୁର୍ଲଭ ଖଣିଜ ଉପରେ ନିର୍ଭରଶୀଳତା କମାଇବା ଏବଂ ଦେଶ ଭିତରେ ଖଣିଜ ସମ୍ପଦର ବିକାଶ କରି ଭାରତକୁ ସ୍ୱାବଲମ୍ବୀ କରିବା। ଏହି ଚୁକ୍ତି ଦ୍ୱାରା ଓଡ଼ିଶା ଆଗାମୀ ଦିନରେ କ୍ରିଟିକାଲ ମିନେରାଲ୍ସ ଏବଂ ହାଇ-ଟେକ୍ନୋଲୋଜି ଶିଳ୍ପର ଏକ ପ୍ରମୁଖ ହବ୍ ଭାବେ ଉଭା ହେବ।

ସଫଳତାର ଶୀର୍ଷରେ ଓଏମ୍ସି: ୨୫,୩୦୦ କୋଟିର ରେକର୍ଡ ରାଜସ୍ୱ

ଓଡ଼ିଶା ସରକାରଙ୍କ ଏହି ଶତପ୍ରତିଶତ ମାଲିକାନା ଥିବା ସଂସ୍ଥା ‘ଓଏମ୍‌ସି’ ବର୍ତ୍ତମାନ ଦେଶର ଅନ୍ୟତମ ବୃହତ୍ତମ ଖଣି କମ୍ପାନୀ ଭାବେ ଗୌରବ ହାସଲ କରିଛି। କମ୍ପାନୀ ମୁଖ୍ୟତଃ କ୍ରୋମାଇଟ୍, ଲୁହାପଥର, ବକ୍ସାଇଟ୍ ଏବଂ ମାଙ୍ଗାନିଜ୍ ଉତ୍ପାଦନ କରି ଦେଶର ଷ୍ଟିଲ୍ ଓ ଆଲୁମିନିୟମ ଶିଳ୍ପର ଆବଶ୍ୟକତା ପୂରଣ କରୁଛି।

ଆର୍ଥିକ ବର୍ଷ ୨୦୨୫-୨୬ରେ OMC ସ୍ଥାପନ କରିଛି ନୂଆ ମାଇଲଖୁଣ୍ଟ

ଉଲ୍ଲେଖଯୋଗ୍ୟ, ଗତ ଆର୍ଥିକ ବର୍ଷରେ ସର୍ବକାଳୀନ ରେକର୍ଡ ସହ କମ୍ପାନୀ ୪୪.୮୨ ମିଲିୟନ ଟନର ଖଣିଜ ଉତ୍ପାଦନ କରିଛି। ସେହିଭଳି ବାର୍ଷିକ ଆଧାରରେ ୧୨.୦୬% ଅଭିବୃଦ୍ଧି ସହ ୪୦.୦୨ ମିଲିୟନ ଟନ୍ ଲୁହାପଥର ଉତ୍ପାଦନ ହୋଇଛି। ଏହା ସହିତ ୧.୬୯ ମିଲିୟନ ଟନ୍ କ୍ରୋମାଇଟ୍ ଏବଂ ୨.୮୩ ମିଲିୟନ ଟନ୍ ବକ୍ସାଇଟ୍ ଉତ୍ପାଦନ ହୋଇଛି।

ଆହୁରି ମଧ୍ୟ ଗତ ବର୍ଷ ମୋଟ ୪୨.୫୨୪ ମିଲିୟନ ଟନ୍ ଖଣିଜ ବିକ୍ରି କରି ଓଏମ୍ସି ସର୍ବାଧିକ ୨୫,୩୦୦ କୋଟି ଟଙ୍କାର ରାଜସ୍ୱ ଅର୍ଜନ କରିବାରେ ସଫଳ ହୋଇଛି। ତେବେ ଏହି ନୂତନ ଚୁକ୍ତିନାମା ଆଧୁନିକ ଜ୍ଞାନକୌଶଳ ଏବଂ ଦାୟିତ୍ୱପୂର୍ଣ୍ଣ ଖଣିଜ ଉତ୍ତୋଳନ (Responsible Mining) କ୍ଷେତ୍ରରେ ଓଏମ୍ସିର ପ୍ରତିବଦ୍ଧତାକୁ ଆହୁରି ମଜବୁତ କରିବ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।