ଜେରୁଜେଲମ: ଫ୍ଲାଏ ଦୁବାଇ ଘଟଣା ପରେ ଏୟାର ଫ୍ରାନ୍ସ ଇସ୍ରାଏଲର ନିୟମକୁ ଅନୁସରଣ କରିଛି। ଏଥିରେ ପାକିସ୍ତାନ ଓ ମୁସ୍ଲିମ ବହୁ ସଂଖ୍ୟକ ଦେଶମାନଙ୍କର କ୍ରୁ ସଦସ୍ୟଙ୍କ ଉପରେ ରୋକ ଲଗାଇ ଦେଇଛି। ଏୟାର ଫ୍ରାନ୍ସ ପୁଷ୍ଟି କରିଛି ଯେ ସେ ଇସ୍ରାଏଲର ନୂଆ ନିୟମକୁ ପାଳନ କରୁଛି। ଏହି ନିୟମ ଅନୁସାରେ କିଛି ଖାସ ଦେଶଙ୍କ ଫ୍ଲାଇଟ୍ କ୍ରୁ ସଦସ୍ୟଙ୍କୁ ଇସ୍ରାଏଲ ଯାଉଥିବା ବିମାନ ଉଡାଇବାକୁ ଅନୁମତି ନାହିଁ। ଇସ୍ରାଏଲର ଏହି ନୀତି ୩୧ ଦେଶଙ୍କ ନାଗରିକଙ୍କୁ ପ୍ରଭାବିତ କରୁଛି, ଯେଉଁଥିରେ ଅଧିକାଂଶ ମୁସଲମାନ ବହୁ ସଂଖ୍ୟକ ଦେଶ ଅଛନ୍ତି।

ଗତ ସେପ୍ଚେମ୍ବର ୩୦ ତାରିଖ ଦିନ ଫ୍ଲାଏ ଦୁବାଇ ବିମାନ ଏଫଜେଡ୍ ୧୦୭୩ରେ କୋ-ପାଇଲଟ ହମାମ ଅଲ-ହମ୍ମାମୀ କକପିଟରେ ଥିବା କୁରାଢୀରେ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ଉପରେ ଅଚାନକ ଆକ୍ରମଣ କରିଥିଲେ। ଏଥିରେ ପାଇଲଟ ଗୁରୁତର ଆହତ ହୋଇଥିବା ବେଳେ ଅଲ-ହମ୍ମାମୀ ବିମାନକୁ ନିଜ ନିୟନ୍ତ୍ରଣକୁ ନେଇ ତଳକୁ ଖସାଇଥିଲେ, ଯାହା ସ୍ପଷ୍ଟ ରୂପେ ବିମାନକୁ ହାଇଜାକ କରି ଦୁର୍ଘଟଣା କରାଇବାର ପ୍ରୟାସ ଥିଲା। ଅତ୍ୟଧିକ ବେଗ କାରଣରୁ ବିମାନର ଫ୍ଲାଇଟ ରାଡାର କ୍ଷତିଗ୍ରସ୍ତ ହୋଇଥିଲା।

ତେବେ ଗୁରୁତର ଆହତ ପାଇଲଟ କୌଣସି ମତେ କକପିଟ୍ କ୍ୟାବିନ କବାଟ ଖୋଲି ଦେଇଥିଲେ । ଫଳରେ ଯାତ୍ରୀ ଓ ଚାଳକ ଦଳ ସଦସ୍ୟ କୋ-ପାଇଲଟଙ୍କୁ କାବୁ କରିନେଇଥିଲେ ଓ ବିମାନରେ ଥିବା ଅଫ ଡ୍ୟୁଟି ପାଇଲଟ ମାନେ ବିମାନକୁ ନିୟନ୍ତ୍ରିତ କରିବା ସହ ସାଉଦୀ ଆରବର ତବୁକରେ ଅବତରଣ କରାଇ ଦେଇଥିଲେ। ପରେ କୋ-ପାଇଲଟକୁ ଗିରଫ କରାଯାଇଥିବା ବେଳେ ତାର ଉଦ୍ଦେଶ୍ୟ ଜଣାପଡିଥିଲା। ଏହି ଘଟଣା ପରେ ଇସ୍ରାଏଲକୁ ଯାତ୍ରୀ ନେଇ ଆସୁଥିବା ବିମାନରେ ମୁସଲମାନ ବହୁ ସଂଖ୍ୟକ ଦେଶର କ୍ରୁ ମେମ୍ବରଙ୍କୁ ନିଷିଦ୍ଧ କରିଛି। ଏହା ଦ୍ୱାରା ପାକିସ୍ତାନ ସମେତ ଇରାନ, ସାଉଦୀଆରବ, ଅଲଜେରିୟା, ଟ୍ୟୁନିସିୟା ଏବଂ ଓମାନ ଭଳି ଦେଶର ଚାଳକ ଦଳ ସଦସ୍ୟ ପ୍ରଭାବିତ ହୋଇଛନ୍ତି।