ନୂଆଦିଲ୍ଲୀ: ବ୍ୟବସାୟିକ ସଙ୍ଗଠନ ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କ ବିରୋଧରେ ରାଜଧାନୀ ଦିଲ୍ଲୀରେ ଜାରି ବିକ୍ଷୋଭ ଓ ପ୍ରଦର୍ଶନକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ବିଭିନ୍ନ ସଙ୍ଗଠନଙ୍କ ଆନ୍ଦୋଳନ ଓ ପ୍ରତିବାଦ ଲାଗି ରାଜଧାନୀରେ ଜାରି ହେଉଥିବା କଟକଣାକୁ ନେଇ ବ୍ୟବସାୟୀ ଚିନ୍ତା ପ୍ରକଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ପତ୍ର ଲେଖିଛନ୍ତି। ବାଣିଜ୍ୟିକ ଓ ଉଦ୍ୟୋଗ ସଙ୍ଗଠନମାନେ ସୋମବାରୁ ବୁଧବାର ମଧ୍ୟରେ ଏହି ପତ୍ର ସବୁ ଲେଖିଛନ୍ତି।

ଅଲଗା ଅଲଗା ଲେଖାଯାଇଥିବା ପତ୍ରରେ ବାଣିଜ୍ୟିକ ସଙ୍ଗଠନମାନେ କହିଛନ୍ତି ଯେ ବିରୋଧ ପ୍ରଦର୍ଶନ ଲାଗି ଅଧିକାରକୁ ଆମେ ସମ୍ମାନ କରୁଛୁ, ତେବେ ବିରୋଧ ପ୍ରଦର୍ଶନର ସମୟ ଓ ଉପାୟ ଯୋଗୁ ଖାସ କରି ପାର୍ବଣ କାଳରେ ଯେପରି ବ୍ୟବସାୟ ପ୍ରଭାବିତ ନ ହୁଏ ତାହା ସୁନିଶ୍ଚିତ କରାଯାଉ। ସଙ୍ଗଠନମାନେ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ, ଔଦ୍ୟୋଗିକ କ୍ଷେତ୍ର ଓ ମୁଖ୍ୟ ପରିବହନ ମାର୍ଗ ଅବରୋଧରୁ ରକ୍ଷା କରିବା ପାଇଁ ଦୃଢ ଆଇନଗତ ଓ ପ୍ରଶାସନିକ ପଦକ୍ଷେପ ଉଠାଇବାକୁ ଦାବି କରିଛନ୍ତି। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସାଆଇଆର) ବିରୋଧରେ ବିପକ୍ଷ ଦଳମାନେ ସୁପ୍ରିମକୋର୍ଟରେ ମିଳିତ ପିଟିସନ ଦାଖଲ କରିବାକୁ ପଦଯାତ୍ରା କରିବାରୁ କେନ୍ଦ୍ରୀୟ ଦିଲ୍ଲୀରେ ଭୀଷଣ ବାରିକେଡିଂ ଓ ସଡ଼କ ଅବରୋଧ ପରିସ୍ଥିତି ଉପୁଜିଥିଲା।

ଏଣୁ ‘ନ୍ୟୁ ଦିଲ୍ଲୀ ଟ୍ରେଡର୍ସ ଆସୋସିଏସନ’ ବୁଧବାର ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ବ୍ୟବସାୟୀଙ୍କ ବେପାର ଲାଗି ଅଧିକାରର ରକ୍ଷା ଓ ବାଣିଜ୍ୟିକ କ୍ଷେତ୍ରର ସୁରକ୍ଷା ସୁନିଶ୍ଟିତ କରିବା ପାଇଁ ପ୍ରଭାବୀ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି। ସେହିପରି ‘ଫେଡେରେସନ ଅଫ ଟ୍ରେଡ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ ଇଣ୍ଡିଆ’ (ଏଫଟିଆଇଆଇ) ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ପତ୍ର ଲେଖି ଏସଆଇଆର ବିରୋଧରେ ଆନ୍ଦୋଳନ ଦିଲ୍ଲୀରେ ସମାପ୍ତ କରିବାକୁ ନିବେଦନ କରିଛି। ସଙ୍ଗଠନ କହିଛି ଯେ ଏହି ବିରୋଧ ପ୍ରଦର୍ଶନ ବ୍ୟବସାୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସମୟରେ ବ୍ୟବସାୟୀଙ୍କ ମଧ୍ୟରେ ଅନିଶ୍ଚିତତା ସୃଷ୍ଟି କରିଛି।

ଏଫଟିଆଇଆଇ ଜାତୀୟ ସଭାପତି ସଞ୍ଜୟ ବଂସଲ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନବରାତ୍ରରୁ ଛଠ ପୂଜା ପର୍ଯ୍ୟନ୍ତ ସମୟ ସାରା ଦେଶରେ ବ୍ୟବସାୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହିପରି ଭାରତୀୟ ଉଦ୍ୟୋଗ ବ୍ୟାପାର ମଣ୍ଡଳ ମଧ୍ୟ ସୋମବାର ରାହୁଲ ଗାନ୍ଧିଙ୍କୁ ପତ୍ର ଲେଖି କହିଛି ଯେ ଲଗାତାର ଜାତୀୟ ରାଜଧାନୀରେ ହେଉଥିବା ରାଲି ଯୋଗୁ ଛୋଟ ଔଦ୍ୟୋଗିକ ସଂସ୍ଥା, ରିଟେଲ କ୍ଷେତ୍ରର କର୍ମଚାରୀ ଓ ଦିନ ମଜୁରିଆଙ୍କ ଲାଗି ସମସ୍ୟାର କାରଣ ପାଲଟିଛି। ସେହିପରି ଜୟପୁର ବ୍ୟାପାର ମହାସଂଘ ରାହୁଲଙ୍କୁ ଲେଖିଥିବା ପତ୍ରରେ ତାଙ୍କ ଉପରେ ରାଜନୈତିକ ଲାଭ ଲାଗି ବ୍ୟବସାୟୀଙ୍କ ହୀତକୁ ବିପଦରେ ପକାଉଥିବାର ଅଭିଯୋଗ ଆଣିଛି।

ଜୟପୁର ବ୍ୟାପାର ମହାସଂଘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ପତ୍ର ଲେଖି ମୁଖ୍ୟ ଆର୍ଥିକ କରିଡରରେ ଅବରୋଧ ରୋକିବାକୁ ତଥା ବାଣିଜ୍ୟିକ ଓ ପ୍ରଯୁକ୍ତି କେନ୍ଦ୍ରର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ହସ୍ତକ୍ଷେପ କରିବାକୁ ନିବେଦନ କରିଛି। ସେହିପରି ଫେଡେରେସନ ଅଫ ଅଲ ଇଣ୍ଡିଆ ଡିଷ୍ଟ୍ରିବୁର୍ସ ଆସୋସିଏସନ (ଏଫଏଆଇଡିଏ) ସିଜେଆଇଙ୍କୁ ପ୍ରଦାନ କରିଥିବା ଜ୍ଞାପନରେ କହିଛି ଯେ ପର୍ବ ପର୍ବାଣୀ ସମୟରେ ବଜାର ବନ୍ଦ ରହିବା ଯୋଗୁ ବ୍ୟବସାୟ କ୍ଷେତ୍ରରେ ସୃଷ୍ଟି ହେଉଥିବା ବ୍ୟବଧାନ ଗଣତାନ୍ତ୍ରିକ ସ୍ୱାଧୀନତାର ଦୂରୁପଯୋଗ।