ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ ଇ- କମର୍ସ ଏବଂ ଟେକ୍ କମ୍ପାନୀ 'ଆମାଜନ' ପୁଣିଥରେ କର୍ମଚାରୀଙ୍କୁ ବଡ଼ ଝଟକା ଦେଇଛି। କମ୍ପାନୀ ପକ୍ଷରୁ ଏହାର ଡିଭାଇସେସ୍ ଏବଂ ସର୍ଭିସେସ୍ ବିଭାଗରୁ ପ୍ରାୟ ୨୫୦ ଜଣ କର୍ମଚାରୀଙ୍କ ଛଟେଇ କରାଯାଇଛି । ଏହି ଛଟେଇରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ସଫ୍ଟୱେର୍ ଡେଭଲପମେଣ୍ଟ କ୍ଷେତ୍ରରେ କାମ କରୁଥିବା ଇଞ୍ଜିନିୟରମାନେ।

ସୂଚନା ଅନୁସାରେ, ବୁଧବାର ସକାଳେ କର୍ମଚାରୀମାନେ ସେମାନଙ୍କର ଅଫିସିଆଲ୍ ଇମେଲ୍ ଏବଂ ଟେକ୍ସଟ୍ ମେସେଜ୍ ଜରିଆରେ ଏହି ସୂଚନା ପାଇଥିଲେ । କମ୍ପାନୀର ଏହି ପଦକ୍ଷେପ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ଟେକ୍ ଦୁନିଆରେ ପୁଣିଥରେ ଚାକିରି ଅନିଶ୍ଚିତତାକୁ ନେଇ ଚିନ୍ତା ବଢ଼ିଯାଇଛି ।

ଆମାଜନର ମୁଖପାତ୍ର ଏହି ଛଟେଇକୁ ସ୍ୱୀକାର କରି କହିଛନ୍ତି ଯେ, କମ୍ପାନୀର କାର୍ଯ୍ୟଦକ୍ଷତାରେ ଆହୁରି ସୁଧାର ଆଣିବା ଏବଂ ଏହାର ପ୍ରଡକ୍ଟ ରୋଡମ୍ୟାପ୍ ସହିତ ସମନ୍ୱୟ ରକ୍ଷା କରିବା ପାଇଁ ଏହି କଠୋର ନିଷ୍ପତ୍ତି ନିଆଯାଇଛି । ଡିଭାଇସେସ୍ ଏବଂ ସର୍ଭିସେସ୍ ବିଭାଗର ଏଚ୍ଆର ଭାଇସ୍ ପ୍ରେସିଡେଣ୍ଟ ଚେରି ରବିନ୍ସନ୍ କର୍ମଚାରୀମାନଙ୍କୁ ପଠାଇଥିବା ମେସେଜରେ ଦର୍ଶାଇଛନ୍ତି ଯେ, କମ୍ପାନୀର ଗଠନ ଏବଂ କାର୍ଯ୍ୟଶୈଳୀକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା କରାଯାଇଥିଲା, ଯାହାପରେ ଏହି ପଦକ୍ଷେପ ନିଆଯାଇଛି।

Also Read: ୭ ନୂଆ ବିଲେନିୟର ସୃଷ୍ଟି କରିବ ଆନ୍ଥ୍ରୋପିକ୍ IPO, ଜାଣନ୍ତୁ ସେମାନେ କିଏ ?

ଉଲ୍ଲେଖଯୋଗ୍ୟ, ଚଳିତ ଅକ୍ଟୋବର ମାସର ଆରମ୍ଭରେ ଆମାଜନ ଏହାର ରିଟେଲ୍ ଏବଂ ଷ୍ଟୋର୍ସ ୟୁନିଟ୍ରୁ ପ୍ରାୟ ୧,୦୦୦ କର୍ମଚାରୀଙ୍କୁ ବାହାର କରିଥିଲା । ଏହା ପରେ ଗତ କିଛି ମାସ ମଧ୍ୟରେ କମ୍ପାନୀ ବିଭିନ୍ନ ପର୍ଯ୍ୟାୟରେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିସାରିଛି, ଯାହା ଟେକ୍ କ୍ଷେତ୍ରରେ ଚିନ୍ତାର ବିଷୟ ପାଲଟିଛି।

ତେବେ ଏହି ସମସ୍ତ ପରିବର୍ତ୍ତନ ଏବଂ AI ପ୍ରଯୁକ୍ତିବିଦ୍ୟା ପାଇଁ ନିଆଯାଉଥିବା ବେଳେ, ଆଗାମୀ ଦିନରେ ଆଇଟି କର୍ମଚାରୀଙ୍କ ପାଇଁ ଚାକିରି ସୁରକ୍ଷା ଏକ ବଡ଼ ଚାଲେଞ୍ଜ ହୋଇପାରେ ବୋଲି ବଜାର ବିଶ୍ଳେଷକମାନେ ମତ ଦେଇଛନ୍ତି ।