ଜାମନଗର: ସାଧାରଣ ଲୋକେ ବ୍ୟାଙ୍କରେ ସୁନା ଜମା କରି ଲୋନ ନେଇଥାନ୍ତି। ସେମାନେ ନିଶ୍ଚିନ୍ତରେ ଥାଆନ୍ତି ଯେ, ତାଙ୍କ ସୁନା ବ୍ୟାଙ୍କରେ ସୁରକ୍ଷିତ ଅଛି। ଯଦି ବ୍ୟାଙ୍କରୁ ସୁନା ଗାଏବ ହେବ ତେବେ କଥା ସରିଲା। ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋଡ୍ ଶାଖାରେ ଘଟିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା। ବ୍ୟାଙ୍କ ଲକରରେ ସୁରକ୍ଷିତ ଭାବେ ରଖାଯାଇଥିବା ଗ୍ରାହକଙ୍କ ଅସଲି ସୁନା ଅଳଙ୍କାର ଚୋରି କରି ତା’ ବଦଳରେ ନକଲି ଗହଣା ରଖିଦେଲେ ବ୍ୟାଙ୍କ କର୍ମଚାରୀ। ଚୋରି ହୋଇଥିବା ଗହଣାର ଆନୁମାନିକ ମୂଲ୍ୟ ପ୍ରାୟ ୩୯.୪୮ ଲକ୍ଷ ଟଙ୍କା (ଓଜନ ୩୪୨.୧ ଗ୍ରାମ) ବୋଲି ସୂଚନା ମିଳିଛି।

କିପରି ହେଲା ଏହି ହାଇଟେକ୍ ଚୋରି ?

ପୋଲିସ ଅନୁଯାୟୀ, ଏହି ଘଟଣା ଅଗଷ୍ଟ ୨୭ ତାରିଖ ଘଟିଛି। ଗୋଲ୍ଡ ଲୋନ୍ ବାବଦରେ ଗ୍ରାହକମାନେ ବ୍ୟାଙ୍କରେ ଏହି ସୁନା ଅଳଙ୍କାରଗୁଡ଼ିକୁ ବନ୍ଧକ ରଖିଥିଲେ। ବ୍ୟାଙ୍କର ପିଅନ୍-କମ୍-କ୍ଲର୍କ ଭାବେ କାର୍ଯ୍ୟରତ ହସମୁଖ ଦିନେଶଭାଇ ପାରିଆ ନାମକ ଜଣେ କର୍ମଚାରୀ ଏହି ସମ୍ପୂର୍ଣ୍ଣ ଚକ୍ରାନ୍ତ ରଚିଥିଲେ।

Also Read: ୨୧ ଦିନରେ ୩୩୦ ଥର କଲ୍, କୋଟିପତି ବୋହୂ ଘରର ଚାକର ସହ କ'ଣ କଥା ହେଉଥିଲେ ? ଶ୍ଵଶୁର ହତ୍ୟାର ବଡ଼ ଖୁଲାସା

ଶାଖା ପରିଚାଳକ ନିଜ କ୍ୟାବିନରୁ ବାହାରକୁ ଯାଇଥିବା ସୁଯୋଗ ନେଇ ହସମୁଖ ଷ୍ଟ୍ରଙ୍ଗ୍ ରୁମ୍/ଲକରର ଚାବି ହାତେଇ ନେଇଥିଲେ। ଲକର ଖୋଲି ସେଥିରୁ ପ୍ରାୟ ୩୪୨.୧ ଗ୍ରାମର ଅସଲି ସୁନା ହାର, ମଙ୍ଗଳସୂତ୍ର, ମୁଦି ଓ କାନଫୁଲ ବାହାର କରିନେଇଥିଲେ। ଚୋରି ବିଷୟରେ ଯେପରି ସଙ୍ଗେ ସଙ୍ଗେ କେହି ସନ୍ଦେହ ନକରନ୍ତି, ସେଥିପାଇଁ ପ୍ୟାକେଟ୍ ଭିତରେ ସେହି ଆକାରର ନକଲି ସୁନା ଗହଣା ରଖି ଦେଇଥିଲେ।

ପର୍ଦ୍ଦାଫାଶ କଲା ପୋଲିସ

ଅଗଷ୍ଟ ୨୭ ତାରିଖରେ ଏହି ଚୋରି ଘଟିଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଆଦୌ ସୁରାକ୍ ସୁଦ୍ଧା ପାଇନଥିଲେ। ତେବେ ଗୁପ୍ତ ସୂଚନା ଆଧାରରେ ଜାମନଗର ସିଟି 'ଏ' ଡିଭିଜନ୍ ପୋଲିସ ବିଜୟ ଆଳାଭାଇ ଭଗୋରା ନାମକ ଜଣେ ବ୍ୟକ୍ତିଙ୍କୁ ବିନା କାଗଜପତ୍ରରେ ସୁନା ବିକ୍ରି କରିବାକୁ ଚେଷ୍ଟା କରୁଥିବା ବେଳେ କାବୁ କରିଥିଲା। ପୋଲିସର କଡ଼ା ଜେରା ପରେ ବିଜୟ ସବୁ ସତ ମାନିଯାଇଥିଲେ ଏବଂ ବ୍ୟାଙ୍କ କର୍ମଚାରୀ ହସମୁଖଙ୍କ ସହ ତାଙ୍କର ସମ୍ପୃକ୍ତି ବିଷୟରେ ପ୍ରକାଶ କରିଥିଲେ। ଏହାପରେ ପୋଲିସ ବ୍ୟାଙ୍କ ପ୍ରବନ୍ଧକଙ୍କୁ ସୂଚିତ କରିବା ସହ ଲକର ଯାଞ୍ଚ କରିବାରୁ ସେଥିରୁ ନକଲି ଗହଣା ଜବତ ହୋଇଥିଲା।

ପୋଲିସର କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରୀ

ବ୍ୟାଙ୍କ ମ୍ୟାନେଜର ହେମରାଜ ଗଜରାଙ୍କ ଏଫ୍ଆଇଆର୍ ଆଧାରରେ ପୋଲିସ ମୁଖ୍ୟ ଅଭିଯୁକ୍ତ ହସମୁଖ ପାରିଆ ଓ ତାଙ୍କ ସହଯୋଗୀ ବିଜୟ ଭଗୋରାଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଙ୍କଠାରୁ ଚୋରି ହୋଇଥିବା ସମ୍ପୂର୍ଣ୍ଣ ସୁନା ଅଳଙ୍କାର ସହ କିଛି ନଗଦ ଟଙ୍କା ମଧ୍ୟ ଜବତ କରିବାରେ ସଫଳ ହୋଇଛି।