ନୂଆଦିଲ୍ଲୀ: ଦେଶରେ କ୍ଷମତା ପରିବର୍ତ୍ତନକୁ ନେଇ ବଡ଼ ଦାବି କରିଛନ୍ତି ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ । ଲୋକଙ୍କୁ କ୍ୟାଲେଣ୍ଡରରେ ଏପ୍ରିଲ ମାସକୁ ଚିହ୍ନିତ କରି ରଖିବାକୁ କହିଛନ୍ତି ସଞ୍ଜୟ । ସେ ଦାବି କରିଛନ୍ତି, ଏପ୍ରିଲ ମାସ ଶେଷ ସୁଦ୍ଧା ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ରହିବେ ନାହିଁ । ଦେଶରେ କ୍ଷମତା ପରିବର୍ତ୍ତନ ହେବ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭିଏତନାମରୁ ଫେରିବା ପରେ ଏହି ରାଜନୈତିକ ପରିବର୍ତ୍ତନ ହେବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି । 

ସାମ୍ବାଦିକଙ୍କ ସାମ୍ନାରେ ବଡ଼ ଦାବି କରି ସଞ୍ଜୟ କହିଛନ୍ତି, ‘ଏପ୍ରିଲ ମାସର ଶେଷ ସପ୍ତାହରେ ନରେନ୍ଦ୍ର ମୋଦୀ ହଟିଯିବେ  । ଆପଣମାନେ ଏହା ଲେଖିରଖନ୍ତୁ ।’ତେବେ ଏହି କ୍ଷମତା ପରିବର୍ତ୍ତନ କିଭଳି ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ସଞ୍ଜୟ ରାଉତ । ଦେଶରେ ମୁଖ୍ୟ ନିର୍ବାଚନ କମିଶନର ଏବଂ ଏସଆଇରକୁ ନେଇ ପ୍ରତିବାଦ ମଧ୍ୟରେ ସଞ୍ଜୟ ରାଉତଙ୍କ ଏହି ଦାବି ହଇଚଇ ସୃଷ୍ଟି କରିଛି । କିନ୍ତୁ ଦାବିର ସତ୍ୟତା କେତେ ଏବଂ ସେ କେଉଁ ଆଧାରରେ ଏତେ ବଡ଼ ଦାବି କରୁଛନ୍ତି, ସେନେଇ କୌଣସି ତଥ୍ୟ ମିଳିପାରି ନାହିଁ । 

ସଞ୍ଜୟ ରାଉତ, ମୁମ୍ବାଇରେ ଟାଇଗର ଶ୍ରଫଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲା​‌ରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ମୁମ୍ବାଇରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହା ସହ ସେ କହିଛନ୍ତି, ‘ମୁମ୍ବାଇରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଭୁଷୁଡ଼ି ପଡ଼ୁଛି। ଆଜିର ଶସ୍ତ୍ର ପୂଜାରେ ହୁଏତ ଧନୁ-ତୀର ନାହିଁ, କିନ୍ତୁ ଆସନ୍ତା ଦଶହରାରେ ଆପଣ ନିଶ୍ଚିତ ଭାବରେ ଏଠାରେ ତାହା ଦେଖିବାକୁ ପାଇବେ।

ଏହା ପୂର୍ବରୁ ସଞ୍ଜୟ ରାଉତ ଏକ୍ସରେ ଏକ ଭିଡିଓ ସେୟାର କରି ଲେଖିଥିଲେ, ‘ଆଲବାନିଆର ଲୋକମାନେ ସୁପ୍ରିମକୋର୍ଟରେ ନିଆଁ ଲଗାଇ ଦେଇଥିଲେ । ଦୁର୍ନୀତିଗ୍ରସ୍ତ ପ୍ରଧାନମନ୍ତ୍ରୀମାନଙ୍କୁ କୋର୍ଟ ସମର୍ଥନ କରୁଥିବା ନେଇ ସେମାନେ ଅସନ୍ତୋଷ ଥିଲେ। ଆନ୍ଦୋଳନକାରୀମାନେ ସଂସଦ, ସରକାରୀ କାର୍ଯ୍ୟାଳୟ ଏବଂ ମନ୍ତ୍ରୀମାନଙ୍କ ବାସଭବନ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ସମସ୍ତ ଦେଶ, ବିଶେଷକରି ଭାରତ, ଏହି ଘଟଣାଗୁଡ଼ିକରୁ ଶିକ୍ଷା ଲାଭ କରିବା ଉଚିତ୍।’ ତାଙ୍କର ଏହି ପୋଷ୍ଟକୁ ନେଇ ମଧ୍ୟ ବିବାଦ ଆରମ୍ଭ ହୋଇଛି ।

ରାହୁଲଙ୍କ ବିଦେଶ ଗସ୍ତକୁ ନେଇ ରାଜନୀତି
ରାହୁଲ ଗାନ୍ଧୀ ଭିଏତନାମ ଯାଇଛନ୍ତି ବୋଲି ବିଜେପି ଦାବି କରିଥିଲା । ବିମାନ ଭିତରର ଏକ ଭିଡିଓ ସେୟାର କରିବା ସହ ଏହାକୁ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲା ବିଜେପି । ଭିଡିଓ ସହ ବିଜେପି ପକ୍ଷରୁ ଏକ ପୋଷ୍ଟ ଲେଖାଯାଇଥିଲେ । ବିଜେପିର ଏହି ପୋଷ୍ଟରେ ଲେଖାଥିଲା, ‘ମିଥ୍ୟା ପ୍ରଚାର କରି କରି ଥକି ଗଲିଣି, କିଛି ଦିନ ଭିଏତନାମ ଯାଇ ବୁଲିଆସେ ।’ ବିଜେପି ନେତା ପ୍ରଦୀପ ଭଣ୍ଡାରୀ ଏବଂ ସାଂସଦ ପ୍ରବୀଣ ଖଣ୍ଡେଲୱାଲ୍ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ଭାରତରେ ବିବାଦ ସୃଷ୍ଟି କରିବା ପରେ ବିଦେଶ ଛୁଟି ବିତାଇବାକୁ ଚାଲିଯାଆନ୍ତି। ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ ଏବଂ ସଞ୍ଜୟ ରାଉତଙ୍କ କ୍ଷମତା ପରିବର୍ତ୍ତନ ଦାବିକୁ ନେଇ ଜାତୀୟ  ରାଜନୀତି ଆହୁରି ସରଗରମ ହୋଇଛି ।