ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ‘ସୂର୍ଯ୍ୟ ଫୁଡ୍ ଆଣ୍ଡ୍ ଆଗ୍ରୋ ଲିମିଟେଡ୍’କୁ ବଡ଼ ଝଟକା ଲାଗିଛି । କମ୍ପାନି ଦ୍ୱାରା ପ୍ରସ୍ତୁତ ଲୋକପ୍ରିୟ ‘ପ୍ରିୟାଗୋଲ୍ଡ’ (Priyagold) ବିସ୍କୁଟର ଆମଦାନୀ, ବିକ୍ରି ଏବଂ ବିତରଣ ଉପରେ ପଡ଼ୋଶୀ ଦେଶ ନେପାଳ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛି । ଖାଦ୍ୟ ସୁରକ୍ଷା ନିୟମର ଗୁରୁତର ଉଲ୍ଲଂଘନ ଏବଂ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବା ଅଭିଯୋଗରେ ନେପାଳ ସରକାର ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।

ନେପାଳ ଖାଦ୍ୟ ବିଭାଗର ମହାନିର୍ଦ୍ଦେଶକ ସଞ୍ଜୀବ କୁମାର କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଜରୁରୀକାଳୀନ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ମାନବ ସ୍ୱାସ୍ଥ୍ୟ ପ୍ରତି ସୁରକ୍ଷା ଏବଂ ଖାଉଟିଙ୍କ ସ୍ୱାର୍ଥ ରକ୍ଷାକୁ ଦୃଷ୍ଟିରେ ରଖି ନେପାଳରେ ଏହି ବିସ୍କୁଟ୍ ଉପରେ ବ୍ୟାନ୍ ଲଗାଯାଇଛି ।

ନେପାଳର ଖାଦ୍ୟ ପ୍ରଯୁକ୍ତିବିଦ୍ୟା ଏବଂ ଗୁଣବତ୍ତା ନିୟନ୍ତ୍ରଣ ବିଭାଗ (FTQCD) ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଭାରତର ଖାଦ୍ୟ ନିୟାମକ ସଂସ୍ଥା FSSAIର ରିପୋର୍ଟ ଆଧାରରେ ଏହି କଟକଣା ଲଗାଯାଇଛି । FSSAIର ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ, ପ୍ରିୟାଗୋଲ୍ଡ ବିସ୍କୁଟ୍ ପ୍ରସ୍ତୁତିରେ ଗୋରୁଙ୍କ ଖାଦ୍ୟ ପାଇଁ ବ୍ୟବହୃତ ହେଉଥିବା ଚୋକଡ଼ ବ୍ୟବହାର କରାଯାଉଥିଲା । ଏହା ସହିତ କମ୍ପାନିର ଉତ୍ପାଦନ ଶୈଳୀରେ ବ୍ୟାପକ ଅସ୍ୱାସ୍ଥ୍ୟକର ପରିବେଶ ଏବଂ ସ୍ୱଚ୍ଛତାର ଅଭାବ ଦେଖିବାକୁ ମିଳିଥିଲା । ଏହି ଗୁରୁତର ଅନିୟମିତତା ପାଇଁ FSSAI ସୂର୍ଯ୍ୟ ଫୁଡ୍ ଆଣ୍ଡ୍‌ ଆଗ୍ରୋର ଲାଇସେନ୍ସକୁ ମଧ୍ୟ ବାତିଲ୍ କରିଦେଇଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

Also Read: ପ୍ରିୟାଗୋଲ୍ଡ ବିସ୍କୁଟରେ ଗୋଖାଦ୍ୟ, କ୍ଷୀରରେ ଡିଟରଜେଣ୍ଟ ! ୩ ବଡ଼ କମ୍ପାନୀ ବିରୋଧରେ FSSAIର ଆକ୍ସନ

ବଜାରରୁ ତୁରନ୍ତ ଫେରାଇ ନେବାକୁ ନିର୍ଦ୍ଦେଶ

ନେପାଳ ସରକାର ସମସ୍ତ ବ୍ୟବସାୟୀ, ଆମଦାନୀକାରୀ ଏବଂ ଖାଉଟିମାନଙ୍କୁ ଏହି ବିସ୍କୁଟ୍ ନକିଣିବା ଏବଂ ବିକ୍ରି ବନ୍ଦ କରିବାକୁ ଅନୁରୋଧ କରିଛନ୍ତି । ଏହା ସହିତ ବଜାରରେ କିମ୍ବା ଦୋକାନରେ ଥିବା ପୁରୁଣା ଷ୍ଟକକୁ ମଧ୍ୟ ତୁରନ୍ତ ଫେରାଇ ନେବା ପାଇଁ ସମ୍ପୃକ୍ତ ସଂସ୍ଥାମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।