ନୂଆଦିଲ୍ଲୀ ୨୦।୧୦; ୫ ରାଉଣ୍ଡ ଗୁଳିମାଡ଼… ତଥାପି ଚର୍ଚ୍ଚାରେ କାର ସୁରକ୍ଷା! ଗୋଟିଏ ସାଧାରଣ କାର୍ ଆଉ ଗୋଟିଏ ବୁଲେଟପ୍ରୁଫ୍ କାର୍ ଭିତରେ ଫରକ୍ କ’ଣ? ଗୁଳିମାଡ଼ ଭଳି ଭୟଙ୍କର ପରିସ୍ଥିତିରେ କେମିତି ଯାତ୍ରୀଙ୍କ ଜୀବନ ବଞ୍ଚାଇଥାଏ ଏହି ସ୍ୱତନ୍ତ୍ର କାର୍ ? ଆଉ କେଉଁ ଟେକ୍ନୋଲୋଜି ଏହାକୁ କରିଥାଏ ଏତେ ସୁରକ୍ଷିତ?

ମୁମ୍ବାଇରେ ଅଭିନେତା ଟାଇଗର ଶ୍ରଫଙ୍କ କାର୍ ଉପରକୁ ଗୁଳିଚାଳନା ଘଟଣାକୁ ନେଇ ଏବେ ବୁଲେଟ୍ପ୍ରୁଫ୍ କାର୍ର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚା। ସାଧାରଣ କାର୍କୁ କେମିତି ଏକ ଚଳନ୍ତା ସୁରକ୍ଷା କବଚରେ ପରିଣତ କରାଯାଏ, ଆସନ୍ତୁ ଜାଣିବା। ଏହାର ଏକ ଉଦାହରଣ ହେଉଛି ମର୍ସିଡିଜ୍-ମେବାକ୍ S680 ଗାର୍ଡ। ବାହାରୁ ଦେଖିବାକୁ ଏକ ବିଳାସପୂର୍ଣ୍ଣ କାର୍, କିନ୍ତୁ ଏହାର ଭିତରେ ରହିଛି ଅତ୍ୟାଧୁନିକ ସୁରକ୍ଷା କବଚ। ଗୁଳି ନିରୋଧକ ସ୍ୱତନ୍ତ୍ର କାଚ, ମଜବୁତ ବଡି ଏବଂ ଉଚ୍ଚସ୍ତରୀୟ ବ୍ୟାଲିଷ୍ଟିକ୍ ସୁରକ୍ଷା ଏହାକୁ କରିଛି ସ୍ୱତନ୍ତ୍ର। ଏହି ମଡେଲ୍ରେ ରହିଛି VPAM VR10 ସୁରକ୍ଷା ରେଟିଂ, ଯାହା ଅତ୍ୟନ୍ତ ଉଚ୍ଚସ୍ତରର ବ୍ୟାଲିଷ୍ଟିକ୍ ସୁରକ୍ଷାକୁ ସୂଚାଏ।

କେବଳ କାଚ ଲଗାଇଦେଲେ କାର୍ ବୁଲେଟପ୍ରୁଫ୍ ହୋଇଯାଏ ନାହିଁ। ଗାଡ଼ିର ଗଠନକୁ ମଜବୁତ କରିବା ସହ ଦ୍ୱାର, ଛାତ ଓ ଅନ୍ୟାନ୍ୟ ଅଂଶରେ ସ୍ୱତନ୍ତ୍ର ସୁରକ୍ଷା ଆବରଣ ଦିଆଯାଏ। ଅତିରିକ୍ତ ଓଜନକୁ ସମ୍ଭାଳିବା ପାଇଁ ବ୍ରେକ୍ ଓ ସସ୍ପେନସନ୍କୁ ମଧ୍ୟ ସୁଦୃଢ଼ କରାଯାଏ। ଏପରିକି ଟାୟାର ପଙ୍କଚର୍ ହେଲେ ମଧ୍ୟ ଗାଡ଼ିକୁ ଆଗକୁ ନେବାରେ ସହାୟତା କରେ ରନ୍-ଫ୍ଲାଟ୍ ଟେକ୍ନୋଲୋଜି।ଏହି ସବୁ ବ୍ୟବସ୍ଥାର ମୂଳ ଲକ୍ଷ୍ୟ ହେଉଛି, ବିପଦ ସମୟରେ ଯାତ୍ରୀଙ୍କୁ ସୁରକ୍ଷା ଦେବା ଏବଂ ସେଠାରୁ ସୁରକ୍ଷିତ ଭାବେ ବାହାରିଯିବାର ସୁଯୋଗ ସୃଷ୍ଟି କରିବା।

ତେବେ ଏକ କଥା ମନେ ରଖିବା ଜରୁରୀ-ବୁଲେଟପ୍ରୁଫ୍‌ କାର୍ ମଧ୍ୟ ସବୁ ପ୍ରକାର ଆକ୍ରମଣରୁ ଶତପ୍ରତିଶତ ସୁରକ୍ଷା ଦେଇପାରେ ନାହିଁ। ଏହାର ସୁରକ୍ଷା କ୍ଷମତା ନିର୍ଦ୍ଦିଷ୍ଟ ମାନଦଣ୍ଡ ଓ ଆକ୍ରମଣର ପ୍ରକାର ଉପରେ ନିର୍ଭର କରେ। ଅର୍ଥାତ୍, ଏହା କେବଳ ଦାମୀ କାର୍ ନୁହେଁ, ବରଂ ଅତ୍ୟାଧୁନିକ ଇଞ୍ଜିନିୟରିଂ ଓ ସୁରକ୍ଷା ପ୍ରଯୁକ୍ତିର ଏକ ଅନନ୍ୟ ଉଦାହରଣ। ଯେଉଁଠି ବିଳାସିତା ସହ ଯୋଡ଼ି ହୋଇଛି ଜୀବନ ରକ୍ଷାର ବଡ଼ ଦାୟିତ୍ୱ।