ମୁମ୍ବାଇ: ଜିଓ ପ୍ଲାଟଫର୍ମସର ଆଇପିଓରେ ବଡ଼ ଧରଣର ନିବେଶ ପାଇଁ ଆଗେଇ ଆସିଛନ୍ତି ଦେଶ ଓ ବିଶ୍ୱର ପ୍ରମୁଖ ସଂସ୍ଥାଗତ ନିବେଶକ। ୮,୧୧୦ କୋଟି ଟଙ୍କାର ଆଙ୍କର୍ ବୁକ୍ ପାଇଁ ୨.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ସଂସ୍ଥାଗତ ଡିମାଣ୍ଡ ବା ଆବେଦନ ଆସିଛି। ଅର୍ଥାତ୍, ଆଙ୍କର୍ ନିବେଶକଙ୍କ ପାଇଁ ଉପଲବ୍ଧ ସେୟାର ତୁଳନାରେ ଚାହିଦା ୩୦ ଗୁଣରୁ ମଧ୍ୟ ଅଧିକ ରହିଛି। ଭାରତୀୟ ଆଇପିଓ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଇସ୍ୟୁ ପାଇଁ ସଂସ୍ଥାଗତ ନିବେଶକଙ୍କ ଡିମାଣ୍ଡ ଅଢେଇ ଲକ୍ଷ କୋଟି ଟଙ୍କାର ସୀମା ଅତିକ୍ରମ କରିଛି।

ଏହି ରେକର୍ଡ ଡିମାଣ୍ଡର ଅନ୍ୟ ଏକ ବିଶେଷ ଦିଗ ହେଉଛି ଜିଓ ଉପରେ ଆସ୍ଥା ପ୍ରକଟ କରିଥିବା ସଂସ୍ଥାଗତ ନିବେଶକଙ୍କ ତାଲିକା। ଏଥିରେ ସେହି ସଂସ୍ଥାଗୁଡ଼ିକ ସାମିଲ ଅଛନ୍ତି, ଯେଉଁମାନଙ୍କ ନିକଟରେ ସାଧାରଣ ନିବେଶକମାନେ ନିଜ ସଞ୍ଚୟ ଓ ନିବେଶର ଏକ ବଡ଼ ଅଂଶ ରଖିଥାନ୍ତି। ଏଲଆଇସି ସହିତ ଏସବିଆଇ ମ୍ୟୁଚୁଆଲ୍ ଫଣ୍ଡ୍, ଏଚଡିଏଫ୍ସି ମ୍ୟୁଚୁଆଲ୍ ଫଣ୍ଡ୍, ଆଇସିଆଇସିଆଇ ପୃଡେନ୍ସିଆଲ୍ ମ୍ୟୁଚୁଆଲ୍ ଫଣ୍ଡ୍, କୋଟକ୍ ମ୍ୟୁଚୁଆଲ୍ ଫଣ୍ଡ୍ ଏବଂ ନିପ୍ପନ୍ ମ୍ୟୁଚୁଆଲ୍ ଫଣ୍ଡ୍ ଭଳି ଦେଶର ପ୍ରମୁଖ ନିବେଶ ସଂସ୍ଥା ଆଙ୍କର୍ ବୁକ୍ରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ, ବ୍ଲାକରକ୍, କ୍ୟାପିଟାଲ୍ ଗ୍ରୁପ, ଫିଡେଲିଟି, ଶ୍ରୋଡର୍ସ, ଜେପି ମୋର୍ଗାନ୍ ଆସେଟ୍ ମ୍ୟାନେଜମେଣ୍ଟ ଏବଂ ଆଲିଆଞ୍ଜ୍ ଭଳି ବିଶ୍ୱସ୍ତରୀୟ ପ୍ରମୁଖ ନିବେଶକ ମଧ୍ୟ ଏଥିରେ ଭାଗ ନେଇଛନ୍ତି।

କେବଳ ମ୍ୟୁଚୁଆଲ୍ ଫଣ୍ଡ୍ ନୁହେଁ, ଦୀର୍ଘକାଳୀନ ନିବେଶକମାନେ ମଧ୍ୟ ଜିଓ ସହ ଦୃଢ଼ ଭାବେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଜିଆଇସି, ଏଡିଆଇଏ, କ୍ୟୁଆଇଏ ଏବଂ ନର୍ଗେସ୍ ଭଳି ସାର୍ବଭୌମ ନିବେଶ ପାଣ୍ଠି ସହିତ କାଲିଫର୍ଣ୍ଣିଆ ଷ୍ଟେଟ୍ ଟିଚର୍ସ ରିଟାୟରମେଣ୍ଟ, ଫ୍ଲୋରିଡା ରିଟାୟରମେଣ୍ଟ ସିଷ୍ଟମ୍, ଏସବିଆଇ ପେନସନ୍, ଏଚଡିଏଫସି ପେନସନ୍, ଆଇସିଆଇସିଆଇ ପେନସନ୍ ଏବଂ ୟୁଟିଆଇ ପେନସନ୍ ଭଳି ପେନସନ୍ ପାଣ୍ଠି ମଧ୍ୟ ଆଙ୍କର୍ ନିବେଶକଙ୍କ ତାଲିକାରେ ରହିଛନ୍ତି।

ଆଙ୍କର୍ ବୁକ୍ରେ ୨୦୦ରୁ ଅଧିକ ନିବେଶକ ସଂସ୍ଥା ଓ ଫଣ୍ଡ୍ ସ୍କିମ୍ ଭାଗ ନେଇଛନ୍ତି। ଡ୍ରାଗୋନିୟର୍, ଜାନସ୍ ହେଣ୍ଡରସନ୍ ଏବଂ ନାଇଣ୍ଟି ୱାନ୍ ଭଳି ବିଶ୍ୱସ୍ତରୀୟ ପ୍ରଯୁକ୍ତି କ୍ଷେତ୍ରର ବିଶେଷଜ୍ଞ ନିବେଶକମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସେହିପରି ଏନାମ୍, ପ୍ରେମଜି ଏବଂ ଏଚସିଏଲ୍ ଭଳି ଭାରତୀୟ ଫ୍ୟାମିଲି ଅଫିସ୍ ମଧ୍ୟ ଜିଓ ଆଇପିଓର ଆଙ୍କର୍ ନିବେଶକ ହୋଇଛନ୍ତି।

Also Read: ଘୋଷଣା ହେଲା ଦିପାବଳୀର ମହୁରତ ଟ୍ରେଡିଂ ସମୟ, ମଧ୍ୟାହ୍ନ ୨ଟା୨୦ ମିନିଟରେ ଖୋଲିବ ବଜାର

ଆବଣ୍ଟନ ଦୃଷ୍ଟିରୁ ଏଲଆଇସିକୁ ସର୍ବାଧିକ ୫୦୦ କୋଟି ଟଙ୍କାର ଅଂଶଧନ ଆବଣ୍ଟନ କରାଯାଇଛି । ବ୍ଲାକରକ୍, କ୍ୟାପିଟାଲ୍ ଇଣ୍ଟରନ୍ୟାସନାଲ୍, ଫିଡେଲିଟି ମ୍ୟାନେଜମେଣ୍ଟ ଆଣ୍ଡ ରିସର୍ଚ୍ଚ, ଜିଆଇସି, ଏଚଡିଏଫସି ମ୍ୟୁଚୁଆଲ୍ ଫଣ୍ଡ୍, ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ମ୍ୟୁଚୁଆଲ୍ ଫଣ୍ଡ୍ ଏବଂ ଏସବିଆଇ ମ୍ୟୁଚୁଆଲ୍ ଫଣ୍ଡ୍‌କୁ ପ୍ରାୟ ୪୨୫ କୋଟି ଟଙ୍କା ଲେଖାଏଁ ଅଂଶଧନ ଆବଣ୍ଟନ କରାଯାଇଛି। ମୋଟ ଆଙ୍କର୍ ବୁକ୍ ର ମୂଲ୍ୟ ୮,୧୧୦ କୋଟି ଟଙ୍କା ରହିଛି ।

ସୂଚନାଯୋଗ୍ୟ ଯେ, ଦେଶର ଏଯାବତ ସର୍ବବୃହତ କୁହାଯାଉଥିବା ଜିଓ ପ୍ଲାଟଫର୍ମସର ଆଇପିଓ ସବସ୍କ୍ରିପସନ ସାଧାରଣ ନିବେଶକଙ୍କ ପାଇଁ ଅକ୍ଟୋବର ୨୧ରୁ ଅକ୍ଟୋବର ୨୩ ତାରିଖ ଯାଏଁ ଖୋଲିବାକୁ ଯାଉଛି ।