ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମଙ୍ଗଳବାର ଠାରୁ କାର୍ଯ୍ୟକାରୀ ହୋଇଛି ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) । ଏହି ଚୁକ୍ତି ଅନୁସାରେ ଭାରତରୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ନ୍ୟୁଜିଲ୍ୟାଣ୍ଡରେ କୌଣସି କଷ୍ଟମ ଡ୍ୟୁଟି ଲାଗିବ ନାହିଁ । ଭାରତୀୟ ସାମଗ୍ରୀ ନ୍ୟୁଜିଲ୍ୟାଣ୍ଡରେ ୧୦୦ ପ୍ରତିଶତ କଷ୍ଟମ୍ସ ଡ୍ୟୁଟି ମୁକ୍ତ ପ୍ରବେଶ ସୁବିଧା ପାଇବ । ଏହା ସହିତ ଆଗାମୀ ୧୫ ବର୍ଷ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ଭାରତରେ ପ୍ରାୟ ୨୦ ବିଲିୟନ ଡଲାର (ପ୍ରାୟ ୧.୯୦ ଲକ୍ଷ କୋଟି ଟଙ୍କା)ର ବୃହତ ପୁଞ୍ଜିନିବେଶ ମଧ୍ୟ କରିବ ।

କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ସଫଳତା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଥିବା ୨.୪ ବିଲିୟନ ଡଲାରର ବାଣିଜ୍ୟ କାରବାରକୁ ୨୦୩୦ ସୁଦ୍ଧା ୭ ବିଲିୟନ ନ୍ୟୁଜିଲ୍ୟାଣ୍ଡ ଡଲାର ବା ପ୍ରାୟ ୩୮,୦୦୦ କୋଟି ଟଙ୍କାକୁ ବୃଦ୍ଧି କରିବା ଏହି ଚୁକ୍ତିର ମୂଳ ଲକ୍ଷ୍ୟ ।

ପ୍ରଥମ ଦିନରୁ ହିଁ ଶୂନ ଆମଦାନୀ ଶୁଳ୍କ

ଭାରତର ବାଣିଜ୍ୟ ଇତିହାସରେ ଏହା ଏଭଳି ଏକ ଅନନ୍ୟ ମୁକ୍ତ ବାଣିଜ୍ୟ ଚୁକ୍ତି, ଯେଉଁଠାରେ ପ୍ରଥମ ଦିନରୁ ହିଁ ସମସ୍ତ ପ୍ରକାର ଉତ୍ପାଦ ଉପରେ ଶୂନ ଆମଦାନୀ ଶୁଳ୍କ ବ୍ୟବସ୍ଥା ଲାଗୁ ହୋଇଛି । ପୂର୍ବରୁ ଭାରତୀୟ ରପ୍ତାନିକାରୀଙ୍କୁ ନ୍ୟୁଜିଲ୍ୟାଣ୍ଡରେ ପ୍ରାୟ ୧୦% ପର୍ଯ୍ୟନ୍ତ ଟାରିଫ୍ ଦେବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ଏହି ଚୁକ୍ତି ଯୋଗୁଁ ଭାରତୀୟ ରପ୍ତାନିକାରୀମାନେ ବହୁଳ ଭାବେ ଲାଭବାନ ହେବେ ।

କେଉଁ ସେକ୍ଟରକୁ ହେବ ଫାଇଦା, କେଉଁ ସେକ୍ଟର ପଡ଼ିଛି ବାଦ୍ ?

ଚୁକ୍ତି ଦ୍ୱାରା ଲାଭବାନ ହେବାକୁ ଥିବା ପ୍ରମୁଖ ଭାରତୀୟ କ୍ଷେତ୍ର ମଧ୍ୟରେ ରହିଛି- ଚମଡ଼ା ଏବଂ ଜୋତା, ରେଡିମେଡ୍ ପୋଷାକ ଏବଂ ବସ୍ତ୍ର, ଫଳ ଏବଂ ପନିପରିବା, ଚା', କଫି, କୋକୋ ଏବଂ ମସଲା ଜାତୀୟ ଦ୍ରବ୍ୟ, ଖାଦ୍ୟ ଶସ୍ୟ ଏବଂ ପ୍ରକ୍ରିୟାକୃତ ଖାଦ୍ୟ, ଔଷଧ, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ସାମୁଦ୍ରିକ ଉତ୍ପାଦ, ପ୍ଲାଷ୍ଟିକ ଓ ରବର ସାମଗ୍ରୀ ଆଦି ।

ସେହିଭଳି ଦୁଗ୍ଧ ଜାତୀୟ ସାମଗ୍ରୀ ଯେପରିକି କ୍ଷୀର, କ୍ରିମ୍, ଦହି, ଛେନା ଓ ପନିର । କୃଷିଜାତ ଦ୍ରବ୍ୟରେ ପିଆଜ, ଚଣା, ମଟର, ମକା ଏବଂ ବାଦାମ। ମେଣ୍ଢା ମାଂସ ବ୍ୟତୀତ ଅନ୍ୟ ପଶୁ ମାଂସ, ଚିନି, କୃତ୍ରିମ ମହୁ, ଉଦ୍ଭିଦ ଓ ପ୍ରାଣୀ ଚର୍ବି ଏବଂ ତେଲ। ଅସ୍ତ୍ରଶସ୍ତ୍ର, ସୁନା- ରୁପା ଅଳଙ୍କାର, ତମ୍ବା ଏବଂ ଆଲୁମିନିୟମ ସାମଗ୍ରୀକୁ ବାଦ୍ ଦିଆଯାଇଛି ।

Also Read: ଭାରତୀୟ ବିସ୍କୁଟ୍ ‘ପ୍ରିୟାଗୋଲ୍ଡ’ ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ, ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗ

ଭାରତୀୟ ପ୍ରଫେସନାଲଙ୍କ ପାଇଁ ଭିସା ନିୟମ କୋହଳ

ସେବା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ନ୍ୟୁଜିଲ୍ୟାଣ୍ଡ ଏହାର ୧୧୮ଟି ସର୍ଭିସ୍ ସେକ୍ଟରକୁ ଭାରତ ପାଇଁ ଉନ୍ମୁକ୍ତ କରିଛି । ଏଥିରେ ଆଇଟି, ଶିକ୍ଷା, ପର୍ଯ୍ୟଟନ ଏବଂ କନଷ୍ଟ୍ରକ୍ସନ ଭଳି କ୍ଷେତ୍ର ରହିଛି । ଏହା ଅଧୀନରେ ଭାରତୀୟମାନଙ୍କ ପାଇଁ ନୂଆ ଭିସା ବ୍ୟବସ୍ଥା କରାଯାଇଛି:

ଇଣ୍ଟ୍ରା-କର୍ପୋରେଟ୍ ଟ୍ରାନ୍ସଫର: କମ୍ପାନୀ ବଦଳି ପ୍ରକ୍ରିୟାରେ କର୍ମଚାରୀମାନେ ୩ ବର୍ଷ ପର୍ଯ୍ୟନ୍ତ ରହିପାରିବେ ।

ବିଜନେସ ଭିଜିଟର: ଯାନ୍ତ୍ରିକ ଉପକରଣ ସ୍ଥାପନ କିମ୍ବା ସେବା ଯୋଗାଇବା ପାଇଁ ବାର୍ଷିକ ସର୍ବାଧିକ ୯୦ ଦିନ ରହିବାର ସୁଯୋଗ ମିଳିବ ।

ସ୍ୱତନ୍ତ୍ର କୋଟା ଭିସା: କୁଶଳୀ ଭାରତୀୟ ପେସାଦାରଙ୍କ ପାଇଁ ୫,୦୦୦ କୋଟା ବିଶିଷ୍ଟ ଏକ ଅସ୍ଥାୟୀ ନିଯୁକ୍ତି ଭିସା ଆରମ୍ଭ କରାଯାଇଛି । ଏଥିରେ ଆଇଟି ଓ ଇଞ୍ଜିନିୟରିଂ ବ୍ୟତୀତ ଯୋଗ ପ୍ରଶିକ୍ଷକ, ରୋଷେୟା (ଶେଫ୍), ସଙ୍ଗୀତ ଶିକ୍ଷକ ଏବଂ ଆୟୁଷ ବିଶେଷଜ୍ଞମାନେ ସାମିଲ ଅଛନ୍ତି ।

ବାଣିଜ୍ୟିକ ଖର୍ଚ୍ଚ ହ୍ରାସ ଓ କୃଷି ସହଭାଗିତା

କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ଉଭୟ ଦେଶ ମଧ୍ୟରେ ଏକ ବିଶେଷ ପାର୍ଟନରସିପ୍ ହୋଇଛି, ଯାହା ଦ୍ୱାରା ଭାରତରେ କିୱି, ସେଓ ଏବଂ ମହୁର ଗୁଣବତ୍ତା ସୁଧାର ପାଇଁ କାର୍ଯ୍ୟ କରାଯିବ। ବାଣିଜ୍ୟ କାରବାରକୁ ସହଜ କରିବା ପାଇଁ ସାଧାରଣ କାର୍ଗୋ କ୍ଲିୟରାନ୍ସ ଅବଧି ୪୮ ଘଣ୍ଟା ଏବଂ ଶୀଘ୍ର ନଷ୍ଟ ହେଉଥିବା ଖାଦ୍ୟ ସାମଗ୍ରୀ ପାଇଁ ୨୪ ଘଣ୍ଟା ସମୟ ସୀମା ଧାର୍ଯ୍ୟ କରାଯାଇଛି। ଏହା ବ୍ୟତୀତ ଡିଜିଟାଲ ପ୍ରମାଣପତ୍ର ଏବଂ ସେଲ୍ଫ ସାର୍ଟିଫିକେସନ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ଫଳରେ କାଗଜପତ୍ର କାମରେ ହେଉଥିବା ବିଳମ୍ବ ମଧ୍ୟ କମିଯିବ।

ବିଗତ ଆର୍ଥିକ ବର୍ଷ (୨୦୨୫-୨୬) ରେ ଦୁଇ ଦେଶର ବାଣିଜ୍ୟ ପ୍ରାୟ ୧.୧୫ ବିଲିୟନ ଡଲାର ରହିଥିଲା, ଯାହା ଚଳିତ ନୂତନ ଚୁକ୍ତି ମାଧ୍ୟମରେ ଆଗାମୀ ଦିନରେ ଏକ ବଡ଼ ସଫଳତା ଆଣିବ ବୋଲି ଆଶା କରାଯାଉଛି।