ନୂଆଦିଲ୍ଲୀ: ନିଜର ଏକ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ସୋନୁ ନିଗମ । ଏହି ମନ୍ତବ୍ୟ ସେ ୨୦୨୫ରେ ଦେଇଥିଲେ । କର୍ଣ୍ଣାଟକରେ ଏହାକୁ ନେଇ ପୁଣି ବିବାଦ ହେବାରୁ, ସିଙ୍ଗର କ୍ଷମା ମାଗିଛନ୍ତି । ସେ କହିଛନ୍ତି, ୧୦୦୦ ଥହର ସରି କହିଲେ ବି ଦୁଃଖ ନାହିଁ । କର୍ଣ୍ଣାଟକରେ ସୋନୁଙ୍କ ଆଗାମୀ କନସର୍ଟକୁ ବିରୋଧ କରିଥିଲା ‘କର୍ଣ୍ଣାଟକ ରକ୍ଷଣା ବେଦିକେ’ ସଂଗଠନ । ଏହା ପୂର୍ବରୁ ସୋନୁ କର୍ଣ୍ଣାଟକର ଲୋକମାନଙ୍କୁ କ୍ଷମା ମାଗିଛନ୍ତି  । 

ସେ କହିଛନ୍ତି, ‘ମୋର ପ୍ରିୟ କର୍ଣ୍ଣାଟକ ପରିବାର । ଯେତେବେଳେ ଆପଣ କାହାକୁ ଭଲପାଆନ୍ତି ଏବଂ ସମ୍ପର୍କକୁ ବଜାୟ ରଖିବାକୁ ଚାହାଁନ୍ତି, ସେତେବେଳେ ୧୦୦୦ ଥର କ୍ଷମା ମାଗିବାକୁ ବି କୌଣସି ଦୁଃଖ ନଥାଏ। ଯଦି ମୋର କୌଣସି ଅଜାଣତରେ କୁହାଯାଇଥିବା କଥା ଆପଣଙ୍କ ମନରେ ଆଘାତ ଦେଇଥାଏ, ତେବେ ମୁଁ ହୃଦୟରୁ କ୍ଷମାପ୍ରାର୍ଥନା କରୁଛି।’

କ’ଣ ଥିଲା ବିବାଦ ?
ଏପ୍ରିଲ୍ ୨୦୨୫ରେ ବେଙ୍ଗାଲୁରୁର ଇଷ୍ଟ ପଏଣ୍ଟ ଇଞ୍ଜିନିୟରିଂ କଲେଜରେ ଆୟୋଜିତ ଏକ କନସର୍ଟରେ ଯୋଗ ଦେଇଥିଳେ ସୋନୁ ନିଗମ । ଶୋ' ଚାଲିଥିବା ସମୟରେ ଜଣେ ପ୍ରଶଂସକ ସୋନୁଙ୍କୁ କନ୍ନଡ଼ ଗୀତ ଗାଇବା ପାଇଁ ଦାବି କରିଥିଲେ। ଏଥିରେ ସୋନୁ କହିଥିଲେ ଯେ, ଯେଉଁ ଢଙ୍ଗରେ ଦାବି କରାଗଲା, ତାହା ତାଙ୍କୁ ଡରାଇବା ଭଳି ଥିଲା। ସେ କହିଥିଲେ, ଏହି କାରଣ ପାଇଁ ପହଲଗାମ୍‌ରେ ସେପରି ଘଟିଥିଲା । ଆପଣମାନେ ଯାହା ଏବେ କରୁଛନ୍ତି। ଏହି ମନ୍ତବ୍ୟ କନ୍ନଡ଼ ଭାଷାଭାଷୀଙ୍କ ମନରେ ଗଭୀର ଆଘାତ ଦେଇଥିଲା।

କର୍ଣ୍ଣାଟକ ରକ୍ଷଣା ବେଦିକେର ରାଜ୍ୟ ସଭାପତି ଟି.ଏ. ନାରାୟଣ ଗୌଡ଼ାଙ୍କ ସହ ଆଲୋଚନା କରିବା ପରେ ସୋନୁ ନିଗମ ଭିଡିଓ ବାର୍ତ୍ତା ମାଧ୍ୟମରେ କ୍ଷମା ମାଗିଛନ୍ତି। ସେ ଆହୁରି କହିଛନ୍ତି, ବିଗତ ୩୦ ବର୍ଷ ଧରି କର୍ଣ୍ଣାଟକର ଲୋକମାନେ ତାଙ୍କୁ ପ୍ରଚୁର ଭଲପାଇବା ଓ ସମ୍ମାନ ଦେଇଛନ୍ତି।  କୌଣସି ଭୁଲ୍ ବୁଝାମଣା ଯୋଗୁଁ ଏହି ମଧୁର ସମ୍ପର୍କରେ ତିକ୍ତତା ଆସୁ ବୋଲି ସୋନୁ ଚାହୁଁନାହାନ୍ତି।

ସୋନୁଙ୍କ କ୍ଷମାପ୍ରାର୍ଥନା ପରେ, KRV ସଭାପତି ନାରାୟଣ ଗୌଡ଼ା ସମସ୍ତ ବିରୋଧ ପ୍ରଦର୍ଶନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସୋନୁଙ୍କ ପ୍ରତି ସେମାନଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ। ସୋନୁ ନିଗମ ଆଗାମୀ ଦିନରେ ଆହୁରି ଅନେକ କନ୍ନଡ଼ ଗୀତ ଗାଇବେ ବୋଲି ନାରୟଣ ଗୌଡ଼ା ଆଶା ପ୍ରକାଶ କରିଛନ୍ତି ।