ମୁମ୍ୱାଇ: ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫ୍‌ଙ୍କ ଉପରେ ରବିବାର ମୁମ୍ୱାଇରେ ହୋଇଥିବା ଗୁଳିକାଣ୍ଡ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି । ପୋଲିସ ଜେରାରେ ଅଭିଯୁକ୍ତମାନେ ବଡ଼ ଖୁଲାସା କରି କହିଛନ୍ତି, ସେମାନଙ୍କ ଟାର୍ଗେଟ୍ ଟାଇଗର୍ ଶ୍ରଫ୍ ନଥିଲେ । ସେମାନଙ୍କ ଟାର୍ଗେଟରେ ବଲିଉଡର ଅନ୍ୟ ଜଣେ ବଡ଼ ସେଲିବ୍ରିଟି ଥିଲେ । କିନ୍ତୁ ଯେତେବେଳେ ଟାର୍ଗେଟ୍ ମିଳି ନଥିଲା, ସେତେବେଳେ ସେମାନେ ଟାଇଗରଙ୍କ ଉପରକୁ ଗୁଳି ଚଳାଇଥିଲେ । ମୁମ୍ୱାଇ ପୋଲିସ ସୂତ୍ରକୁ ନେଇ ‘ଲୋକମତ’ ନିଜ ରିପୋର୍ଟରେ କହିଛି ଯେ ଆକ୍ରମଣକାରୀଙ୍କ ପ୍ରକୃତ ଟାର୍ଗେଟ୍ ଟାଇଗର୍ ନଥିଲେ ।

ପଚରାଉଚରାରେ ଅଭିଯୁକ୍ତମାନେ କହିଛନ୍ତି, ସେମାନେ ଅନ୍ୟ ଜଣେ ପ୍ରମୁଖ ସେଲିବ୍ରିଟିଙ୍କୁ ଟାର୍ଗେଟ କରିବା ପାଇଁ ମୁମ୍ବାଇ ଆସିଥିଲେ । ତେବେ ସେମାନଙ୍କର ପ୍ରଥମ ଟାର୍ଗେଟରେ ପହଞ୍ଚିବା କଷ୍ଟକର ହେବାରୁ, ସେମାନେ ଟାଇଗର ଶ୍ରଫଙ୍କୁ ନିଶାଣ କରିଥିଲେ । ଜେରା ବେଳେ ଏହା ମଧ୍ୟ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ସୋସିଆଲ୍ ମିଡିଆ ମାଧ୍ୟମରେ ଟାଇଗରଙ୍କ ଗତିବିଧି ଉପରେ ନଜର ରଖିଥିଲେ । ଦାବି କରାଯାଉଛି ଯେ ଫ୍ୟାନ୍ ପୋଷ୍ଟ ଏବଂ ଇନଷ୍ଟାଗ୍ରାମ୍ ପେଜ୍ ମାଧ୍ୟମରେ ସୁଟରମାନେ ଜାଣିବାକୁ ପାଇଥିଲେ ଯେ ଟାଇଗର ଶ୍ରଫ୍ ପ୍ରତି ରବିବାର ଜୁହୁ ଫୁଟବଲ୍ ଗ୍ରାଉଣ୍ଡକୁ ଯାଆନ୍ତି । ସେଠାରେ ତାଙ୍କର ସୁରକ୍ଷା କମ ରହିଥାଏ । ତେଣୁ, ସୁଟରମାନେ ଟାଇଗରଙ୍କୁ ଟାର୍ଗେଟ କରିବାକୁ ନିଷ୍ପତ୍ତି ନେଇଥିଲେ । ସୁଟରମାନେ ଭାବିଥିଲେ ଯେ ଟାଇଗର ସାଧାରଣ ଲୋକଙ୍କ ମଧ୍ୟରେ ବିନା ସୁରକ୍ଷାରେ ବୁଲୁଥିବାରୁ ତାଙ୍କୁ ଟାର୍ଗେଟ କରିବା ସହଜ ହେବ । ଏହି କାରଣରୁ ସେମାନେ ଟାଇଗରଙ୍କୁ ନୂଆ ଟାର୍ଗେଟ ଭାବରେ ବାଛିଥିଲେ ।  

ସୂତ୍ର ଅନୁଯାୟୀ, ଆକ୍ରମଣକାରୀମାନେ ବଲିଉଡରେ ଆତଙ୍କ ଖେଳାଇବା ଉଦ୍ଦେଶ୍ୟରେ ଅଭିନେତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ । ତେବେ ସେମାନେ ପ୍ରଥମେ କେଉଁ ସେଲିବ୍ରିଟିଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଥିଲେ, ତାଙ୍କ ପରିଚୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।

ଅକ୍ଟୋବର ୧୮ରେ ଟାଇଗର ଶ୍ରଫ୍ ଫୁଟବଲ୍ ପଡ଼ିଆରୁ ବାହାରିବା ମାତ୍ରେ ଆକ୍ରମଣକାରୀମାନେ ତାଙ୍କ କାର ଉପରକୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିଲେ । ଟାଇଗର ସାମାନ୍ୟ ଆହତ ହୋଇଥିଲେ, ଡ୍ରାଇଭର ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଡ୍ରାଇଭର ଗୁଳି ମାରିବା ପରେ ଟାଇଗର ସାହସିକତାର ସହିତ  ଡ୍ରାଇଭରଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ । ପୋଲିସ ଏହି ମାମଲାରେ ରାଜସ୍ଥାନର କୋଟାରୁ ରେହାନ, ଫୁଲ ସିଂହ ଏବଂ ହ୍ରିତିକ୍ କୁମାରଙ୍କୁ ଗିରଫ କରିଛି । ଏହି ତିନି ଜଣଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ସମେତ ଗୁରୁତର ଅଭିଯୋଗ ଆସିଛି ।