ନୂଆଦିଲ୍ଲୀ:  ମଡେଲ୍‌ ଏବଂ ସ୍ବିମଓ୍ବେୟାର ଡିଜାଇନର ସାହାରା ରେ’ଙ୍କ ପରଲୋକ । ମାତ୍ର ୩୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ସୂଚନା ଦେଇଛନ୍ତି । ତେବେ ତାଙ୍କର ମୃତ୍ୟୁର କାରଣ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ । ସାହାରା ରେ’ ଜଣେ ଲୋକପ୍ରିୟ ଅଷ୍ଟ୍ରେଲୀୟ ମଡେଲ୍‌ ଥିଲେ । ସେ ଜଣେ ଶିଶୁ କନ୍ୟାକୁ ଜନ୍ମ ଦେବାର  କିଛି ମାସ ପରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ପପ୍ ଷ୍ଟାର୍ ଜଷ୍ଟିନ୍ ବିବରଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ସାହାରା ।  ସାହାରାଙ୍କ ପରିବାର ପକ୍ଷରୁ ଗଣମାଧ୍ୟମ ସଂସ୍ଥା TMZ କୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅକ୍ଟୋବର ୧୮ ତାରିଖ ରାତିରେ ହସ୍ପିଟାଲରେ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ତାଙ୍କ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ। ସୋସିଆଲ ମିଡିଆରେ ତାଙ୍କର ଶେଷ ପୋଷ୍ଟ ନିଜ ନବଜାତ କନ୍ୟା ସନ୍ତାନକୁ ନେଇ ଥିଲା । ଯେଉଁଥିରେ ସେ ଝିଅକୁ ‘ମୋର ସମ୍ପୂର୍ଣ୍ଣ ହୃଦୟ’ ବୋଲି ଲେଖିଥିଲେ।

ସାହାରା ପୂର୍ବରୁ ଗିଲେନ୍-ବାରେ ସିଣ୍ଡ୍ରୋମ୍ ନାମକ ଏକ ଦୁର୍ଲଭ ସ୍ନାୟୁଗତ ରୋଗରେ ପୀଡ଼ିତ ଥିଲେ ।  ଏକ ଗମ୍ଭୀର ସଡ଼କ ଦୁର୍ଘଟଣା ପରେ ଏହି ସିଣ୍ଡ୍ରୋମ୍ ଯୋଗୁଁ ସେ ଆଂଶିକ ଭାବରେ ପାରାଲାଇଜ୍ ହୋଇଯାଇଥିଲେ।  ଅଷ୍ଟ୍ରେଲିଆର ପ୍ରସିଦ୍ଧ ସର୍ଫିଂ କିମ୍ବଦନ୍ତୀ ଟୋନି ରେ ’ଙ୍କ ଝିଅ ଥିଲେ ସାହାରା । ତାଙ୍କର ପିଲା ଦିନ ଅଷ୍ଟ୍ରେଲିଆ, କାଲିଫର୍ଣ୍ଣିଆ ଏବଂ ହାୱାଇରେ ବିତାଇଥିଲେ।

 ସେ ମଡେଲିଂରୁ ନିଜର କ୍ୟାରିୟର ଆରମ୍ଭ କରିବା ପରେ ‘ସାହାରା ରେ ସ୍ୱିମ୍’ ନାମରେ ନିଜର ବ୍ରାଣ୍ଡ୍ ଲଞ୍ଚ୍ କରିଥିଲେ। ୨୦୧୬ରେ ହାୱାଇ ଗସ୍ତ ସମୟରେ ଗାୟକ ଜଷ୍ଟିନ୍ ବିବରଙ୍କ ସହ ନଜରକୁ ଆସିଥିଲେ ସାହାରା । ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ହୋଇଥିଲା । ଏହାବ୍ୟତୀତ ଅଷ୍ଟ୍ରେଲୀୟ ଗାୟକ କୋଡି ସିମ୍ପସନ୍ ଏବଂ ସଙ୍ଗୀତଜ୍ଞ ମୋଡ୍ ସନଙ୍କ ସହ ମଧ୍ୟ ସାହାରାଙ୍କ ନାମ ଯୋଡ଼ା ଯାଇଥିଲା । ହେଲେ ଏଥିରେ କେତେ ସତ୍ୟତା ଥିଲା, ତହା ସ୍ପଷ୍ଟ ହୋଇପାରି ନଥିଲା ।