ନୂଆଦିଲ୍ଲୀ ୧୯।୧୧; ବଲିଉଡ୍‌ର ଭାଇଜାନ୍ ସଲମାନ ଖାନ୍। ନିଜ ଷ୍ଟାଇଲ୍ ଓ ଦମଦାର ଅଭିନୟ ପାଇଁ ଯେତିକି ଚର୍ଚ୍ଚାରେ, ନିଜର ବଡ଼ ହୃଦୟ ପାଇଁ ମଧ୍ୟ ସେତିକି ପରିଚିତ। ପୁଣିଥରେ ନିଜ ଉଦାରତାର ପରିଚୟ ଦେଇଛନ୍ତି ସଲମାନ। ନିଜ ଆଗାମୀ ଫିଲ୍ମ 'ମାତୃଭୂମି: ମେ ୱାର ରେଷ୍ଟ ଇନ୍ ପିସ୍'ର କଳାକାର ଓ କ୍ରୁ ସଦସ୍ୟଙ୍କୁ ଦେଇଛନ୍ତି ଦାମୀ ଉପହାର। ଉପହାର ଏମିତି ସେମିତି ନୁହେଁ, ପ୍ରତ୍ୟେକଙ୍କୁ ଦେଇଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଲଗ୍ଜୁରୀ ଘଣ୍ଟା। ତେବେ କାହାକୁ କେତେ ଦାମୀ ଘଣ୍ଟା ଦେଲେ ଭାଇଜାନ୍? ଆସନ୍ତୁ ଜାଣିବା।

ନଭେମ୍ବର ୧୨ ତାରିଖରେ ନିଜ ପାନଭେଲ୍ ଫାର୍ମହାଉସରେ ଫିଲ୍ମର ପୂରା ଟିମ୍ ପାଇଁ ଏକ ସ୍ୱତନ୍ତ୍ର ପାର୍ଟିର ଆୟୋଜନ କରିଥିଲେ ଭାଇଜାନ୍। ହେଲେ ଏହି ପାର୍ଟିରେ ଲୁଚି ରହିଥିଲା ଏକ ବଡ଼ ସରପ୍ରାଇଜ୍। ପ୍ରଥମେ ସମସ୍ତଙ୍କୁ କୁହାଯାଇଥିଲା ଯେ ଫିଲ୍ମର ପ୍ରମୋସନ୍ ଓ ଆଗାମୀ କାମକୁ ନେଇ ଆଲୋଚନା ହେବ। କିନ୍ତୁ ସେଠାରେ ପହଞ୍ଚିବା ପରେ ସଲମାନଙ୍କ ଉପହାର ଦେଖି ସମସ୍ତେ ହୋଇଯାଇଥିଲେ ଆଶ୍ଚର୍ଯ୍ୟ। ରିପୋର୍ଟ ଅନୁସାରେ, ପ୍ରାୟ ୨୦ରୁ ୨୫ ଜଣ ସଦସ୍ୟଙ୍କୁ ଉପହାର ଦିଆଯାଇଛି ଲଗ୍ଜୁରୀ ଘଣ୍ଟା। ଏହି ଘଣ୍ଟାଗୁଡ଼ିକର ମୂଲ୍ୟ ପ୍ରାୟ ୨ ଲକ୍ଷରୁ ୬ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ଖାସ୍ କଥା ହେଉଛି, ପୁରୁଷ ଓ ମହିଳା ସଦସ୍ୟଙ୍କ ପାଇଁ ଭିନ୍ନ ଭିନ୍ନ ବ୍ରାଣ୍ଡର ଘଣ୍ଟା ବାଛିଥିଲେ ସଲମାନ। ଆଉ ନିଜେ ସମସ୍ତଙ୍କୁ ଏହି ଉପହାର ପ୍ରଦାନ କରିଥିଲେ।

ଏହି ସ୍ୱତନ୍ତ୍ର ସନ୍ଧ୍ୟାରେ ଫିଲ୍ମର ନିର୍ଦ୍ଦେଶକ ଅପୂର୍ବ ଲାଖିଆଙ୍କ ସହ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ ଓ ଅନ୍ୟ କଳାକାର ଏବଂ ଟିମ୍ ସଦସ୍ୟ ଉପସ୍ଥିତ ଥିଲେ। ସୋସିଆଲ ମିଡିଆରେ ପାର୍ଟିର କିଛି ଫଟୋ ମଧ୍ୟ ସେୟାର ହୋଇଛି। ଏପଟେ ସଲମାନଙ୍କ ଆଗାମୀ ଫିଲ୍ମ 'ମାତୃଭୂମି 'କୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ରହିଛି ଉତ୍ସାହ।

ଦେଶପ୍ରେମ ଓ ଯୁଦ୍ଧର ପୃଷ୍ଠଭୂମି ଉପରେ ଆଧାରିତ ଏହି ଫିଲ୍ମରେ ସଲମାନ ଖାନ୍ କର୍ଣ୍ଣେଲ ବି. ସନ୍ତୋଷ ବାବୁଙ୍କ ଚରିତ୍ରରେ ନଜର ଆସିବେ। ଚିତ୍ରାଙ୍ଗଦା ସିଂହ ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରିବେ। ଅପୂର୍ବ ଲାଖିଆଙ୍କ ନିର୍ଦ୍ଦେଶନାରେ ଏବଂ ସଲମାନ ଖାନ୍ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମକୁ ନେଇ ଏବେଠୁ ଚର୍ଚ୍ଚା ଜୋର୍ ଧରିଛି। ତେବେ ନିଜ ଫିଲ୍ମର ସଫଳତା ପଛରେ ଥିବା ପ୍ରତ୍ୟେକ ସଦସ୍ୟଙ୍କୁ ଏଭଳି ଦାମୀ ଉପହାର ଦେଇ ସଲମାନ ପୁଣି ପ୍ରମାଣ କରିଛନ୍ତି ଯେ ତାଙ୍କ ପାଇଁ ଟିମ୍ର ପ୍ରତ୍ୟେକ ସଦସ୍ୟ କେତେ ଗୁରୁତ୍ୱପୂର୍ଣ୍ଣ।