ସୋନପୁର ୧୮।୧୧ : ରାସ୍ତା ଉପରେ ରକ୍ତର ଛିଟା । ଚାରିଆଡ଼େ ଖେଳିଯାଇଛି ଆତଙ୍କ । ହଠାତ୍ ଗୁଳିମାଡ଼ରେ ଥରିଉଠିଲା ସାଲେପାଲି-ଅଇଁଲାସାରି ରାସ୍ତା । ଦୁର୍ବୃତ୍ତଙ୍କ ଗୁଳିରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ମୃତକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଗଜବନ୍ଧ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀପାଲି ଗାଁର ୩୫ ବର୍ଷୀୟ ସୁଦାମ ନାଗ । ଗଜବନ୍ଧ ଛକରେ ଏକ ଛୋଟ ୱେଲଡିଂ ଦୋକାନ କରି ପରିବାର ଚଳାଉଥିଲେ ସେ ।

ସୂଚନା ଅନୁଯାୟୀ, ଆଜି ଡୁଙ୍ଗୁରିପାଲିରୁ ନିଜ ଘରକୁ ଫେରୁଥିବା ସମୟରେ ସାଲେପାଲି-ପାଙ୍କେଲ ରାସ୍ତାରେ ତାଙ୍କୁ ଟାର୍ଗେଟ୍ କରିଥିଲେ ଦୁର୍ବୃତ୍ତ । ପ୍ରାୟ ଚାରି ରାଉଣ୍ଡ ଗୁଳିମାଡ଼ କରି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଆକ୍ରମଣକାରୀ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁବର୍ଣ୍ଣପୁର ଏସ୍‌ପି ନାରାୟଣ ନାୟକ, ବରଗଡ଼ ଜିଲ୍ଲାର ବରପାଲି ପୋଲିସ ଏବଂ ଡୁଙ୍ଗୁରିପାଲି ପୋଲିସ । ଘଟଣାସ୍ଥଳରୁ ଗୁଳିର ଖୋକା ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍‌କୁ ଡକାଯାଇ ଅଧିକ ତଦନ୍ତ କରାଯିବ । 

Also Read:-Aircraft Crashes: ରୁଷରେ ଭୟଙ୍କର ବିମାନ ଦୁର୍ଘଟଣା ; ମଝି ଆକାଶରେ ଲାଗିଲା ନିଆଁ, ୧୭ ଜଣଙ୍କ ମୃତ୍ୟୁ...

ତେବେ ଏହି ହତ୍ୟା ପଛରେ କ'ଣ ରହିଛି କାରଣ ? ପୂର୍ବ ଶତ୍ରୁତା, ପ୍ରେମ ସମ୍ପର୍କ, ବ୍ୟବସାୟିକ ବିବାଦ ନା ଜମିଜମା ବିବାଦ ? ଏସବୁ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ହତ୍ୟାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତକଙ୍କ ସମ୍ପର୍କୀୟ ।