ବେଙ୍ଗାଲୁରୁ: ଗିରିନଗର ଅଞ୍ଚଳର ବୀରଭଦ୍ର ନଗର ରାସ୍ତାକଡରେ ଜଣେ ଅଳିଆ ଗୋଟାଳିଙ୍କୁ ବୁଧବାର ସକାଳେ ଦରପୋଡା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣା ଗିରିନିଗର ଥାନା ଅଞ୍ଚଳରେ ହୋଇଛି। ପୋଲିସ ଅନୁସାରେ ସକାଳ ପାଖାପାଖି ୬ଟା ବେଳେ ଲୋକେ ତାକୁ ସଡ଼କ କଡ଼ରେ ପଡିଥିବା ଦେଖି ସୂଚିତ କରିଥିଲେ। ତା ହାତଓ ଗୋଡ ବନ୍ଧା ହୋଇଥିଲା। ପୀଡ଼ିତଙ୍କୁ ସୟଦ ଏଚ. ଭାବେ ଚିହ୍ନଟ କରାଯାଇଛି। ପ୍ରାରମ୍ଭିକ ସୂଚନା ଅନୁସାରେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ କୌଣସି ଅଜଣା ବ୍ୟକ୍ତି ତା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା।

ଅଧିକାରୀ କହିଛନ୍ତି ଯେ ପୋଲିସ ପୀଡ଼ିତଙ୍କୁ ଉଦ୍ଧାର କରି ତୁରନ୍ତ ଭିକ୍ଟୋରିଆ ହସ୍ପିଟାଲରେ ଭର୍ତ୍ତି କରିଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଅଧିକାରୀଙ୍କ ଅନୁସାରେ ପୀଡ଼ିତ ବ୍ୟକ୍ତିର ସହରରେ ନା ଘର ଅଛି ନା ପରିବାର, ସମ୍ପର୍କୀୟ। ସେ ପ୍ରାୟ ରାସ୍ତାରେ ବୁଲୁଥିଲା ଓ ଜରିଗୋଟାଇ ଗୁଜୁରାଣ ମେଣ୍ଟାଉଥିଲା। ସ୍ଥାନୀୟ ଲୋକଙ୍କ ଅନୁସାରେ ଅନେକ ବର୍ଷ ପୂର୍ବରୁ ସେ ପାଦରାୟନପୁରା ଅଞ୍ଚଳରେ ରହୁଥିଲା। ତା ନିକଟରୁ ନା ଫୋନ ମିଳିଛି ନା ତାର କୌଣସି ପରିଚୟ ପତ୍ର ଅଛି। ଅଳିଆ ଗଦାରୁ ପ୍ଲାଷ୍ଟିକ ଗୋଟେଇ ଜୀବିକା ଚଳାଉଥିଲା।

ପୋଲିସ ମାମଲାର ତଦନ୍ତ କରୁଛି। ଏପରି ଜନଘନ୍ୟ କାଣ୍ଡ କରିଥିବା ଲୋକକୁ ଖୋଜିବାକୁ ଚେଷ୍ଟା କରାଯାଉଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ପୋଲିସ ଏକତ୍ର କରିବାକୁ ଉଦ୍ୟମ କରୁଛି। ସିସିଟିଭି ଫୁଟେଜରୁ ହୁଏତ ଆକ୍ରମଣକାରୀଙ୍କ ସନ୍ଧାନ ମିଳିପାରେ ବୋଲି ପୋଲିସ ଆଶା କରୁଛି। ତେବେ ପୀଡ଼ିତଙ୍କୁ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା ସ୍ୱାସ୍ଥ୍ୟ ସେବା ଅଧିକାରୀ କହିଛନ୍ତି। ପୀଡିତ ସୁସ୍ଥ ହେଲେ ଘଟଣାର ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି।