ନୂଆଦିଲ୍ଲୀ: ବିଶ୍ୱ ଧର୍ମୀୟ ଜନସଂଖ୍ୟାରେ ଆସିବ ବଡ଼ ପରିବର୍ତ୍ତନ । ଆସନ୍ତା ୨୦୩୫ ସୁଦ୍ଧା ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଧର୍ମ ଭାବେ ଖ୍ରୀଷ୍ଟିଆନ ଧର୍ମକୁ ପଛରେ ପକାଇ ଇସଲାମ ଆଗକୁ ଆସିବ ବୋଲି ଆକଳନ କରିଛି ପ୍ୟୁ ରିସର୍ଚ୍ଚ ସେଣ୍ଟର । ଆମେରିକୀୟ ସଂସ୍ଥାର ନୂଆ ଗବେଷଣା ରିପୋର୍ଟରେ ୨୦୨୦ରୁ ୨୦୭୦ ମଧ୍ୟରେ ବିଶ୍ୱର ପ୍ରମୁଖ ଧର୍ମଗୁଡ଼ିକର ଜନସଂଖ୍ୟାରେ କିଭଳି ପରିବର୍ତ୍ତନ ଆସିବ, ତାହାର ଆକଳନ କରାଯାଇଛି ।

ପ୍ୟୁ ରିସର୍ଚ୍ଚ ସେଣ୍ଟର ଗତ ୨୫ ବର୍ଷ ଧରି ବିଶ୍ୱର ଧର୍ମୀୟ ଜନସଂଖ୍ୟାକୁ ନେଇ ଗବେଷଣା ଓ ରିପୋର୍ଟ ପ୍ରକାଶ କରିଆସୁଛି । ସଂସ୍ଥାର କହିବା ଅନୁସାରେ, ଇସଲାମ ଓ ଖ୍ରୀଷ୍ଟିଆନ ଧର୍ମ ଉଭୟର ଜନସଂଖ୍ୟା ବଢ଼ୁଛି । କିନ୍ତୁ ଖ୍ରୀଷ୍ଟିଆନ ଧର୍ମ ତୁଳନାରେ ଇସଲାମ ଧର୍ମର ଜନସଂଖ୍ୟା ଅଧିକ ଦ୍ରୁତଗତିରେ ବଢ଼ୁଛି । ଏହାର ମୁଖ୍ୟ କାରଣ ହେଉଛି ମୁସଲମାନ ସମ୍ପ୍ରଦାୟରେ ଅନ୍ୟ ପ୍ରମୁଖ ଧର୍ମୀୟ ସମ୍ପ୍ରଦାୟ ତୁଳନାରେ ଜନ୍ମହାର ଅଧିକ ରହିବା ।

ପ୍ୟୁର ବରିଷ୍ଠ ଜନସଂଖ୍ୟା ବିଶେଷଜ୍ଞ କନରାଡ୍ ହାକେଟ୍ କହିଛନ୍ତି, ଏହାର ମୁଖ୍ୟ କାରଣ ହେଉଛି ଅଧିକ ଶିଶୁ ଜନ୍ମ । ଧର୍ମ ପରିବର୍ତ୍ତନ ଅପେକ୍ଷା ଜନ୍ମହାର ଏହି ଜନସଂଖ୍ୟା ବୃଦ୍ଧିରେ ଅଧିକ ଭୂମିକା ନେଉଛି । ରିପୋର୍ଟ ଅନୁସାରେ, ୨୦୨୦ରୁ ୨୦୨୫ ମଧ୍ୟରେ ମୁସଲମାନ ମହିଳାଙ୍କ ହାରାହାରି ପ୍ରଜନନ ହାର ପ୍ରତି ମହିଳା ପିଛା ୩.୧ ରହିଥିବା ବେଳେ ଖ୍ରୀଷ୍ଟିଆନ ମହିଳାଙ୍କ କ୍ଷେତ୍ରରେ ଏହା ୨.୫ ରହିଛି । ଅନ୍ୟ ଧର୍ମର ମହିଳାଙ୍କ କ୍ଷେତ୍ରରେ ଏହି ହାର ୧.୬ ରହିଛି ।

ପ୍ୟୁ ରିସର୍ଚ୍ଚର ନୂଆ ଆକଳନ ଅନୁସାରେ, ୨୦୨୦ରେ ବିଶ୍ୱରେ ପ୍ରାୟ ୨୨୭ କୋଟି ଖ୍ରୀଷ୍ଟିଆନ ଓ ୨୦୨ କୋଟି ମୁସଲମାନ ଥିଲେ । କିନ୍ତୁ ୨୦୩୫ ସୁଦ୍ଧା ମୁସଲମାନଙ୍କ ସଂଖ୍ୟା ୨୫୭ କୋଟିରେ ପହଞ୍ଚିବାକୁ ଥିବା ବେଳେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୨୫୨ କୋଟି ହେବ ବୋଲି ଆକଳନ କରାଯାଇଛି । ଯଦି ବର୍ତ୍ତମାନର ଧାରା ଜାରି ରହେ, ତେବେ ୨୦୭୦ ସୁଦ୍ଧା ବିଶ୍ୱରେ ମୁସଲମାନଙ୍କ ସଂଖ୍ୟା ୩୬୦ କୋଟିରୁ ଅଧିକ ହୋଇପାରେ । ସେହି ସମୟରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୩୦୦ କୋଟିରୁ ସାମାନ୍ୟ କମ୍ ରହିବାର ଆକଳନ କରାଯାଇଛି ।

ଏହି ଆକଳନରେ ବିଭିନ୍ନ ଧର୍ମୀୟ ସମ୍ପ୍ରଦାୟର ବୟସ ଅନୁପାତ, ଜନ୍ମହାର, ମୃତ୍ୟୁହାର, ଧର୍ମ ପରିବର୍ତ୍ତନ ଏବଂ ଦେଶାନ୍ତରଣ ଭଳି ବିଷୟକୁ ବିଚାରକୁ ନିଆଯାଇଛି । ପ୍ୟୁ ରିସର୍ଚ୍ଚ ସେଣ୍ଟରର ଆକଳନ ଅନୁସାରେ, ଆଗାମୀ ୪୦ ବର୍ଷ ମଧ୍ୟରେ ଆମେରିକାରେ ଖ୍ରୀଷ୍ଟିଆନମାନେ ସଂଖ୍ୟାଗରିଷ୍ଠ ରହିନପାରନ୍ତି । ବର୍ତ୍ତମାନ ଆମେରିକାର ମୋଟ ଜନସଂଖ୍ୟାର ପ୍ରାୟ ୬୨ ପ୍ରତିଶତ ଖ୍ରୀଷ୍ଟିଆନ ଥିବା ବେଳେ ୨୦୬୫ ସୁଦ୍ଧା ଏହି ଅନୁପାତ ୫୦ ପ୍ରତିଶତରୁ ତଳକୁ ଖସିପାରେ ।

୨୦୨୦ରୁ ୨୦୭୦ ମଧ୍ୟରେ ବିଶ୍ୱର ମୋଟ ଜନସଂଖ୍ୟାରେ ୨୯ ପ୍ରତିଶତ ବୃଦ୍ଧି ହେବାର ଆକଳନ ରହିଛି । କିନ୍ତୁ ଏହି ସମୟ ମଧ୍ୟରେ ମୁସଲମାନଙ୍କ ଜନସଂଖ୍ୟାରେ ୮୦ ପ୍ରତିଶତ ବୃଦ୍ଧି ହୋଇପାରେ । ସେହିପରି ଖ୍ରୀଷ୍ଟିଆନଙ୍କ ଜନସଂଖ୍ୟାରେ ୩୦ ପ୍ରତିଶତ ବୃଦ୍ଧି ହେବାର ଆକଳନ କରାଯାଇଛି । ପ୍ୟୁର ରିପୋର୍ଟ ଅନୁସାରେ, ହିନ୍ଦୁ ଓ ଯିହୁଦୀଙ୍କ ମୋଟ ଜନସଂଖ୍ୟା ବଢ଼ିବ । କିନ୍ତୁ ବିଶ୍ୱର ମୋଟ ଜନସଂଖ୍ୟା ତୁଳନାରେ ସେମାନଙ୍କ ଅନୁପାତ ହ୍ରାସ ପାଇବ ।ଅନ୍ୟପକ୍ଷରେ ବୌଦ୍ଧ ଧର୍ମାବଲମ୍ବୀଙ୍କ ଜନସଂଖ୍ୟା ଏବଂ ବିଶ୍ୱ ଜନସଂଖ୍ୟାରେ ସେମାନଙ୍କ ଅଂଶ ଉଭୟ ହ୍ରାସ ପାଇବାର ଆକଳନ ରହିଛି । ଏହାର ଏକ ପ୍ରମୁଖ କାରଣ ହେଉଛି ଚୀନ୍, ଦକ୍ଷିଣ କୋରିଆ ଓ ଜାପାନର ମୋଟ ଜନସଂଖ୍ୟା ହ୍ରାସ ପାଇବା ।