ନୂଆଦିଲ୍ଲୀ, ୧୯।୧୧ : ପ୍ରାୟ ୨ ମାସର ବିରତି ପରେ ଉପସାଗରୀୟ ଦେଶ ଉପରେ ଇରାନ ପୁଣି ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେଇଛି। ବୁଧବାର ସକାଳୁ ଇରାନ ସେନା କୁଏତରେ ଥିବା ଆମେରିକାର ବିମାନ ଘାଟି ଉପରେ ଡ୍ରୋନ ଆକ୍ରମଣ କରିଥିଲା ବେଳେ ବାହାରିନ ଉପରେ ଏକାଧିକ ମିସାଇଲ୍ ମାଡ଼ କରିଛି। ଏଥିସହ ହୋର୍ମୁଜରେ ଚଳାଚଳ କରୁଥିବା କେତେକ ଜାହାଜ ଓ ଟ୍ୟାଙ୍କରକୁ ଆକ୍ରମଣ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ ବୁଧବାର ଭୋରରୁ ଇରାନ ସେନା କୁଏତର ଅଲ୍ ସାଲେମ ବିମାନବନ୍ଦରରେ ଥିବା ଆମେରିକାର ବିମାନଘାଟିକୁ ଟାର୍ଗେଟ କରି ଡ୍ରୋନ ଆକ୍ରମଣ କରିଛି। ଆକ୍ରମଣ ଫଳରେ ବିମାନବନ୍ଦରରେ ଧୂଆଁ ଦେଖିବାକୁ ମିଳିଛି। କିନ୍ତୁ ଆକ୍ରମଣ ଯୋଗୁ ସେଠାରେ କଣ କ୍ଷୟକ୍ଷତି ଘଟିଛି ତାହା ଜଣାପଡିନାହିଁ । ଅନ୍ୟପକ୍ଷରେ କୁଏତ କହିଛି କି ଇରାନର କେତେକ ଡ୍ରୋନକୁ ଖସାଇ ଦିଆଯାଇଛି। ଫଳରେ ଇରାନର ଡ୍ରୋନ ଆକ୍ରମଣରେ କେହି ମୃତାହତ ହୋଇନାହାନ୍ତି କିମ୍ବା କୌଣସି କ୍ଷୟକ୍ଷତି ଘଟିନାହିଁ।

Also Read :- ଭିଆଇପିଙ୍କ ପାଇଁ ରାସ୍ତା ସଫା କରୁଛ, ସାଧାରଣ ଲୋକଙ୍କ ପାଇଁ କାହିଁକି ନୁହେଁ ? ପ୍ରଶ୍ନ କଲେ ମୁମ୍ବାଇ ହାଇକୋର୍ଟ

କୁଏତ ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଇରାନର ଏଭଳି ଆକ୍ରମଣ ଦେଶର ସୁରକ୍ଷା ଓ ସ୍ଥିରତା ପ୍ରତି ବିପଦ। ଏହା ଆନ୍ତର୍ଜାତିକ ଆଇନର ଖୋଲା ଉଲଂଘନ। ସେହିଭଳି ବାହାରିନ କହିଛି ଯେ ଇରାନ ତାଙ୍କ ଦେଶ ଉପରକୁ ଏକାଧିକ ଡ୍ରୋନ ଓ ମିସାଇଲ୍ ମାଡ଼ କରିଛି। କିନ୍ତୁ ସେଥିରୁ ଅଧିକାଂଶକୁ ଏୟାର ଡିଫେନ୍ସ ସିଷ୍ଟମ ଯୋଗେ ନଷ୍ଟ କରିଦିଆଯାଇଛି। ଗତ ୬ ଦିନରେ ବାହାରିନ ଉପରେ ଇରାନର ଏହା ଚତୁର୍ଥ ଆକ୍ରମଣ। ବାହାରିନରେ ଆମେରିକା ନୌସେନାର ଅନେକ କାର୍ଯ୍ୟାଳୟ ରହିଛି। ଆମେରିକା ସେନା ମଙ୍ଗଳବାର ହୋର୍ମୁଜ ପ୍ରଣାଳୀରେ ଥିବା ଇରାନର କେଶମ ଦ୍ବୀପ ଉପରେ ଆକ୍ରମଣ କରିବା ପରେ ତେହରାନ ପକ୍ଷରୁ ପାଲଟା ଜବାବ ଦିଆଯାଇଛି।

କେଶମ ଦ୍ବୀପରେ ଥିବା ଇରାନର ମିସାଇଲ୍ ଲଞ୍ଚିଂ ସାଇଟ୍ ଉପରେ ଆମେରିକା ବାୟୁସେନା ବୋମାମାଡ଼ କରିଛି । ସେହି ସାଇଟରୁ ଇରାନ ହୋର୍ମୁଜରେ ଚଳାଚଳ କରୁଥିବା ଟ୍ୟାଙ୍କର ଓ ପଡୋଶୀ ଦେଶରେ ଥିବା ଆମେରିକାର ବିଭିନ୍ନ ଠିକଣାକୁ ଟାର୍ଗେଟ କରୁଥିବାରୁ ତାକୁ ନଷ୍ଟ କରିବାକୁ ଆମେରିକା ସେନା ଏହି ଆକ୍ରମଣ କରିଛି। ଆକ୍ରମଣକୁ ଇରାନ ସେନା ସ୍ୱୀକାର କରିଛି। କହିଛି କି କେଶମ ଦ୍ବୀପରେ ୫-୬ଟି ବିସ୍ଫୋରଣ ଘଟିଛି। କିନ୍ତୁ ଏଥିରେ କେହି ମୃତାହତ ହୋଇନାହାନ୍ତି କିମ୍ବା ସେଭଳି କୌଣସି କ୍ଷତି ଘଟିନାହିଁ ।

ଇତି ମଧ୍ୟରେ ଆମେରିକା ମଧ୍ୟପ୍ରାଚ୍ୟରେ ୩ ଯୁଦ୍ଧଜାହାଜ ମୁତୟନ କରିଛି। ପୂର୍ବରୁ ୟୁଏସଏସ୍ ଜର୍ଜ ଏଚଡବଲ୍ୟୁ ବୁଶ୍ ରହିଥିଲା ବେଳେ ବର୍ଷ ମାନ ୟୁଏସଏସ ଥିଓଡୋର ରୁଜଭେଲ୍ଡ ଏବଂ ୟୁଏସଏସ ଜର୍ଜ ୱାଶିଂଟନକୁ ମୁତୟନ କରାଯାଇଛି । ଏଥିସହ ଉଭୟ ଜଳ ଓ ସ୍ଥଳ ପଥରେ ଆକ୍ରମଣ କରିପାରୁଥିବା ଯୁଦ୍ଧପୋତ ୟୁଏସଏସକୁ ମଧ୍ୟ ଆମେରିକା ପାଟ୍ରୋଲିଂରେ ନିୟୋଜିତ କରିଛି ।