ପ୍ୟୋଙ୍ଗୟାଙ୍ଗ: ଉତ୍ତରକୋରିଆ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ ପ୍ରଥମ ଥର ଜାତୀୟ ପତାକାର ଅଧିକାରୀକ ଅନୁପାତ ପରିବର୍ତ୍ତନ କରିଛନ୍ତି। ଗତ ୭୮ ବର୍ଷରେ ହୋଇଥିବା ଏହା ପ୍ରଥମ ପରିବର୍ତ୍ତନ ଓ ଏଥିଲାଗି ସମ୍ବିଧାନର ଅନୁଚ୍ଛେଦ ୧୬୬ ସଂଶୋଧନ କରାଯାଇଛି। ସଂଶୋଧନ ଅନୁସାରେ ପତାକାର ଉଚ୍ଚତା ଓ ଚୌଡା ଅନୁପାତ ୧:୨କୁ ବଦଳାଇ ୧:୧.୬୫ କରାଯାଇଛି। ଅର୍ଥାତ ଏବେ ଉତ୍ତର କୋରିଆ ଜାତୀୟ ପତାକା ପୂର୍ବାପେକ୍ଷା କମ ଚୌଡାର ହେବ। ତେବେ ଦେଶର ସଂସ୍ଥାପକ ତଥା କିମ ଜୋଙ୍ଗ ଉନଙ୍କ ଜେଜେ କିମ୍ ଇଲ ସୁଙ୍ଗ ସମୟରେ ଧ୍ୱଜର ରଙ୍ଗ ଓ ଲାଲ ତାରକାରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ତେବେ ଛୋଟ ଡିଜାଇନ କାରଣରୁ ଲାଲ ତାରକା ପତାକାର କେନ୍ଦ୍ରସ୍ଥଳକୁ ଆସିଯାଇଛି।

‘ଦି ଷ୍ଟ୍ରେଟସ୍ ଟାଇମ’ ଅନୁସାରେ ଏହି ଧ୍ୱଜକୁ ମୂଳ ରୂପେ ଉତ୍ତକୋରିଆ ସଂସ୍ଥାପକ କିମ ଇଲ ସୁଙ୍ଗଙ୍କ କାର୍ଯ୍ୟକାଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସୋଭିଏତ ଶାସନ ଦ୍ୱାରା ଅନୁପ୍ରାଣିତ ହୋଇ ଗ୍ରହଣ କରାଯାଇଥିଲା। ଦୀର୍ଘ ୭୮ ବର୍ଷରେ ଧ୍ୱଜାର ଅଧିକାରୀକ ଅନୁପାତରେ କରାଯାଇଥିବା ଏହା ପ୍ରଥମ ପରିବର୍ତ୍ତନ। ଉତ୍ତରକୋରିଆ ଏବେକା ଜାତୀୟ ପତାକାକୁ ସେପ୍ଟେମ୍ବର ୧୯୪୮ରେ ଆପଣାଇଥିଲା। ଏହାର କିଛି ସମୟ ପରେ ୯ ସେପ୍ଟେମ୍ବର ୧୯୪୮ରେ ଦେଶ ସ୍ଥାପନା ହୋଇଥିଲା। ଉତ୍ତରକୋରିଆ ଜାତୀୟ ପତାକା ମଝିରେ ଏକ ଚୌଡା ଲାଲ ପଟ୍ଟି ରହିଛି। ଏହାର ଉପର ଓ ତଳ ଆଡକୁ ଶ୍ୱେତ ଓ ନିଳ ରଙ୍ଗର ପଟ୍ଟି ସବୁ ରହିଛି। ଲାଲ ପଟ୍ଟିର ବାମ ପଟକୁ ଶ୍ୱେତ ରଙ୍ଗର ଗୋଲେଇ ଭିତରେ ୫ କୋଣିଆ ଲାଲ ତାରକା ରହିଛି।

ନୂଆ ପରିବର୍ତ୍ତନ ପରେ ପତାକାର ରଙ୍ଗ ଓ ସଂକେତ ପୂର୍ବ ଭଳି ରହିବ। ବିଶେଷଜ୍ଞଙ୍କ ଅନୁସାରେ କିମ ଜୋଙ୍ଗ ଉନ ଦେଶର ଏକ ଅଲଗା ପରିଚୟ ତିଆରି କରୁଛନ୍ତି। ଏଥିରେ ସେ ଜେଜେ ଓ ବାପାଙ୍କ ଶାସନ କାଳରେ ଛାଡି ଯାଇଥିବା ଛାପ ଠାରୁ ପୃଥକ ନିଜର ନୂଆ ଛବି ଗଢୁଛନ୍ତି। ଏହା ପୂର୍ବରୁ କିମ ଜୋଙ୍ଗ ୨୦୨୪ ମସିହାରେ ଜାତୀୟ ସଂଗୀତ ଶବ୍ଦରେ ପରିବର୍ତ୍ତନ କରିଥିଲେ।