ନୂଆଦିଲ୍ଲୀ: ପାକିସ୍ତାନ ପିପୁଲ୍ସ ପାର୍ଟି (PPP) ର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ନିଜ ମେଣ୍ଟ ସରକାର ଉପରେ ବର୍ଷିଛନ୍ତି । ପାକିସ୍ତାନର ଶାହବାଜ ସରକାରଙ୍କ ସହଯୋଗୀ ପିପିପିର ଅଧ୍ୟକ୍ଷ ଏବେ ଇମ୍ରାନ ଖାନଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ଇମ୍ରାନ ଖାନଙ୍କୁ ଜଣେ ‘ରାଜନୈତିକ ବନ୍ଦୀ’ ବୋଲି କହିଛନ୍ତି ବିଲାଓ୍ବଲ ଭୁଟ୍ଟୋ । ଏହା ସହ ଦେଶରେ ଏବେ ରାଜନୈତିକ ପ୍ରତିଶୋଧ ନେବାର ପରମ୍ପରା ବନ୍ଦ କରିବାକୁ ସେ ସରକାରଙ୍କୁ ଆହ୍ବାନ କରିଛନ୍ତି । କରାଚୀ ପ୍ରେସ୍ କ୍ଲବରେ ମଙ୍ଗଳବାର ବିଲାୱଲ ଇମ୍ରାନ ଖାନଙ୍କୁ ଜଣେ ପ୍ରମୁଖ ‘ରାଜନୈତିକ ଅଂଶୀଦାର’ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (PML-N) ର ସହଯୋଗୀ ଦଳ ହୋଇଥିବା ସତ୍ତ୍ୱେ ବିଲାୱଲଙ୍କ ଏଭଳି ମନ୍ତବ୍ୟ ଏବେ ପାକିସ୍ତାନ​‌ରେ ରାଜନୈତିକ ଝଡ଼ ସୃଷ୍ଟି କରିଛି । 

ବିଲାୱଲ ଭୁଟ୍ଟୋ କହିଛନ୍ତି ଯେ, ‘ମୁଁ ତାଙ୍କୁ ପସନ୍ଦ କରେ କି ନକରେ, କିନ୍ତୁ ତାଙ୍କ ବିନା ଏହି ଦେଶ ଚାଲିପାରିବ ନାହିଁ। ଆପଣଙ୍କୁ ପିଟିଆଇ (PTI) ର ବିଶ୍ୱାସ ଜିତିବାକୁ ପଡ଼ିବ ଏବଂ ବାସ୍ତବତାକୁ ସ୍ୱୀକାର କରିବାକୁ ହେବ।’ ଜେଲ୍ ଯାଇଥିବା ପାକିସ୍ତାନର ପ୍ରତ୍ୟେକ ପ୍ରଧାନମନ୍ତ୍ରୀ କ’ଣ ଚୋର ଥିଲେ ନା ସେମାନେ ରାଜନୈତିକ ପ୍ରତିଶୋଧର ଶିକାର ହୋଇଥିଲେ ? ଆପଣମାନେ ଆଉ କେତେ ପ୍ରତିଶୋଧ ନେବେ ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିଥିବା ଇମ୍ରାନ ଖାନ ଏକ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଅଗଷ୍ଟ ୨୦୨୩ ରୁ ଜେଲରେ ଅଛନ୍ତି। ୧୯୪୭ ମସିହାରୁ ପାକିସ୍ତାନରେ ଯିଏ ବି ପ୍ରଧାନମନ୍ତ୍ରୀ ହେଉଛି ସେ ଜେଲ୍ ଯାଉଛି ଏବଂ ଯିଏ ଜେଲରୁ ବାହାରୁଛି ସେ ପ୍ରଧାନମନ୍ତ୍ରୀ ଆସନରେ ବସୁଛି ବୋଲି ବିଲାୱଲ କଟାକ୍ଷ କରିଛନ୍ତି। ଇମ୍ରାନ ଖାନଙ୍କ ଦଳ ପିଟିଆଇ କିଛି ଭୁଲ୍ କରିଛି ବୋଲି ସେ ସ୍ବୀକାର କରିଛନ୍ତି । ଏହା ସହ ଭବିଷ୍ୟତର ସରକାର ଯେପରି ବିରୋଧୀଙ୍କୁ ହଇରାଣ ନକରନ୍ତି ସେଥିପାଇଁ ରାଜନୈତିକ ସହମତି ଓ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଲାଓ୍ବଲ ଭୁଟ୍ଟୋ ।

ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିରଙ୍କ ସମର୍ଥନରେ ଚାଲିଥିବା ସରିଫ ସରକାରଙ୍କ ସହ ପିପିପିର ମତଭେଦ ବଢ଼ିବାରେ ଲାଗିଛି। ନଭେମ୍ବର ୧୨ ତାରିଖରେ ଗୃହମନ୍ତ୍ରୀ ମୋହସିନ୍ ନକଭି ନୂଆ ପ୍ରଦେଶ ଗଠନ ପାଇଁ ଜନମତ ସଂଗ୍ରହ କରାଇବାକୁ ଦେଇଥିବା ପ୍ରସ୍ତାବ ପରେ ଏହି ବିବାଦ ତୀବ୍ର ହୋଇଛି। ସିନ୍ଧ ଏବଂ ବଲୁଚିସ୍ତାନରେ ପିପିପିର ଦବଦବା ଥିବାରୁ ଏହି ପ୍ରସ୍ତାବ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ଏନେଇ ପିପିପି କିମ୍ବା ତାଙ୍କ ପିତା ତଥା ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀଙ୍କ ମତ ନିଆଯାଇ ନାହିଁ ବୋଲି ବିଲାୱଲ ଅଭିଯୋଗ କରିଛନ୍ତି।